ଇସ୍ରାଏଲରେ କେମିତି ହୁଏ ନିର୍ବାଚନ ? ଭାରତଠାରୁ ପୂରା ଅଲଗା ବ୍ୟବସ୍ଥା
ଇସ୍ରାଏଲର ସବୁଠୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ରହିଥିବା ବେଞ୍ଜାମିନ ନେତନ୍ୟାହୁ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ତାଙ୍କ ଲିକୁଡ୍ ପାର୍ଟିକୁ କଡ଼ା ଟକ୍କର ଦେଉଛି ପୂର୍ବତନ ସେନାମୁଖ୍ୟ ଗାଦି ଆଇସେନକୋଟଙ୍କ ‘ୟଶାର’ ପାର୍ଟି।
ଇସ୍ରାଏଲରେ କିଏ ଗଢ଼ିବ ସରକାର? ପୁଣି କ୍ଷମତାକୁ ଫେରିବେ କି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ? ନା ଏଥର ବଦଳିବ ଇସ୍ରାଏଲର ରାଜନୈତିକ ଚିତ୍ର? ଏଭଳି ଅନେକ ପ୍ରଶ୍ନ ଭିତରେ ଅକ୍ଟୋବର ୨୭ ତାରିଖ ମଙ୍ଗଳବାର ଦିନ ହେବାକୁ ଯାଉଛି ଇସ୍ରାଏଲର ସାଧାରଣ ନିର୍ବାଚନ। ୨୦୨୩ ଅକ୍ଟୋବର ୭ରେ ହମାସର ଆକ୍ରମଣ ଏବଂ ଏହାପରେ ଗାଜା, ଲେବାନନ ଓ ଇରାନ ସହ ସଂଘର୍ଷ ପରେ ଏହା ଦେଶର ପ୍ରଥମ ଜାତୀୟ ନିର୍ବାଚନ। ତେଣୁ ଏହି ନିର୍ବାଚନକୁ ଇସ୍ରାଏଲ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ବୋଲି କୁହାଯାଉଛି।
ଇସ୍ରାଏଲର ସବୁଠୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ରହିଥିବା ବେଞ୍ଜାମିନ ନେତନ୍ୟାହୁ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ତାଙ୍କ ଲିକୁଡ୍ ପାର୍ଟିକୁ କଡ଼ା ଟକ୍କର ଦେଉଛି ପୂର୍ବତନ ସେନାମୁଖ୍ୟ ଗାଦି ଆଇସେନକୋଟଙ୍କ ‘ୟଶାର’ ପାର୍ଟି। ନିର୍ବାଚନ ପୂର୍ବରୁ ପ୍ରକାଶିତ ଅଧିକାଂଶ ସର୍ଭେରେ ୟଶାର ପାର୍ଟି ସାମାନ୍ୟ ଆଗରେ ରହିଛି। ତେବେ କୌଣସି ଗୋଟିଏ ଦଳକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା କମ୍ ରହିଛି।
ଇସ୍ରାଏଲର ନିର୍ବାଚନ ବ୍ୟବସ୍ଥା ଭାରତଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେଠାରେ ସମଗ୍ର ଦେଶକୁ ଗୋଟିଏ ନିର୍ବାଚନମଣ୍ଡଳୀ ଭାବେ ବିବେଚନା କରାଯାଏ। ଭୋଟରମାନେ କୌଣସି ପ୍ରାର୍ଥୀଙ୍କୁ ନୁହେଁ, ବରଂ ରାଜନୈତିକ ଦଳକୁ ଭୋଟ୍ ଦିଅନ୍ତି। ଏଠାରେ ଇଭିଏମ୍ ବଦଳରେ ବାଲଟ୍ ପେପର ବ୍ୟବହାର କରାଯାଏ। ଇସ୍ରାଏଲ ସଂସଦ ‘ନେସେଟ୍’ରେ ମୋଟ ୧୨୦ଟି ଆସନ ରହିଛି। ସରକାର ଗଠନ ପାଇଁ ୬୧ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ସଂସଦରେ ପ୍ରବେଶ ପାଇଁ ଏକ ଦଳକୁ ଅତିକମରେ ୩.୨୫ ପ୍ରତିଶତ ଭୋଟ୍ ହାସଲ କରିବାକୁ ପଡ଼ିଥାଏ।
ସଦ୍ୟତମ ସର୍ଭେ ଅନୁସାରେ ନେତନ୍ୟାହୁଙ୍କ ମେଣ୍ଟକୁ ପ୍ରାୟ ୫୦ଟି ଆସନ ମିଳିପାରେ। ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ମଧ୍ୟ ବହୁମତ ପାଇଁ ସଂଘର୍ଷ କରୁଛନ୍ତି। ଏଭଳି ସ୍ଥିତିରେ ଆରବ ରାଜନୈତିକ ଦଳଗୁଡ଼ିକ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି। ଅର୍ଥନୀତି, ଜାତୀୟ ସୁରକ୍ଷା ଏବଂ ଅତିରକ୍ଷଣଶୀଳ ଯିହୁଦୀ ପୁରୁଷଙ୍କ ବାଧ୍ୟତାମୂଳକ ସାମରିକ ସେବା ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ପାଲଟିଛି।
ଅକ୍ଟୋବର ୨୭ରେ ମତଦାନ ଶେଷ ହେବା ପରେ ଭୋଟ୍ ଗଣତି ଆରମ୍ଭ ହେବ। ୨୮ ତାରିଖ ସୁଦ୍ଧା ନିର୍ବାଚନର ଚିତ୍ର ସ୍ପଷ୍ଟ ହୋଇପାରେ। ତେବେ ନଭେମ୍ବର ୪ରେ ଆନୁଷ୍ଠାନିକ ଫଳାଫଳ ସ୍ପଷ୍ଟ ହେବା ଆଶା କରାଯାଉଛି। ଏହାପରେ ରାଷ୍ଟ୍ରପତି ଜଣେ ନେତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ। ଏଥିପାଇଁ ପ୍ରଥମେ ୨୮ ଦିନ ସମୟ ମିଳିବ ଏବଂ ଆବଶ୍ୟକ ହେଲେ ଆଉ ୧୪ ଦିନ ବଢ଼ାଯାଇପାରିବ। ଏହି ନିର୍ବାଚନ ଉପରେ ଭାରତର ମଧ୍ୟ ନଜର ରହିଛି। କାରଣ ୧୯୯୨ ମସିହାରୁ ଭାରତ ଓ ଇସ୍ରାଏଲ ମଧ୍ୟରେ ପୂର୍ଣ୍ଣ କୂଟନୈତିକ ସମ୍ପର୍କ ରହିଛି। ଇସ୍ରାଏଲରେ ଯିଏ ବି କ୍ଷମତାକୁ ଆସନ୍ତୁ, ଭାରତ ସହ ରଣନୈତିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଇସ୍ରାଏଲ ଦୂତାବାସ ପକ୍ଷରୁ କୁହାଯାଇଛି।
What's Your Reaction?