ଦିଲ୍ଲୀ ଭୋଟର ତାଲିକାରେ ରାଘବ ଚଡ୍ଡାଙ୍କ ନାଁ : ଉପଯୁକ୍ତ ପ୍ରକ୍ରିୟା ପାଳନ ହୋଇଥିବା କହିଲେ ସିଇଓ
ବିଜେପି ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାମ ଦିଲ୍ଲୀର ଭୋଟର ତାଲିକାରେ ''କୌଣସି ନିୟମ ନ ମାନି'' ଯୋଡ଼ାଯାଇଥିବା ନେଇ ଆମ୍ ଆଦ୍ମୀ ପାର୍ଟି ଆଣିଥିବା ଅଭିଯୋଗକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ
ବିଜେପି ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାମ ଦିଲ୍ଲୀର ଭୋଟର ତାଲିକାରେ ''କୌଣସି ନିୟମ ନ ମାନି'' ଯୋଡ଼ାଯାଇଥିବା ନେଇ ଆମ୍ ଆଦ୍ମୀ ପାର୍ଟି ଆଣିଥିବା ଅଭିଯୋଗକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ନିୟମାନୁସାରେ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯାଇ ଏହି ନାମ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି।
ଗତ ଏପ୍ରିଲ ମାସରେ ଆମ୍ ଆଦ୍ମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଘବ ଚଡ୍ଡା ପୂର୍ବରୁ ପଞ୍ଜାବର ମୋହାଲିରେ ଭୋଟର ଥିଲେ। ପଞ୍ଜାବର ଚିଠା ଭୋଟର ତାଲିକାରେ ତାଙ୍କ ନାମକୁ ସ୍ଥାନାନ୍ତରିତ ଦର୍ଶାଯିବା ପରେ, ସେ ଆପ୍ ସରକାରଙ୍କ ବିରୋଧରେ ରାଜନୈତିକ ପ୍ରତିଶୋଧ ପରାୟଣତାର ଅଭିଯୋଗ ଆଣିଥିଲେ। ଏହାରି ଭିତରେ ଦିଲ୍ଲୀର ରାଜେନ୍ଦ୍ର ନଗର ଭୋଟର ତାଲିକାରେ ତାଙ୍କ ନାମ ପ୍ରକାଶ ପାଇବା ପରେ, ଆପ୍ ନେତା ସୌରଭ ଭାରଦ୍ୱାଜ ଏହାକୁ ଗ୍ରହଣଯୋଗ୍ୟ ନୁହେଁ ଏବଂ ବେଆଇନ୍ ବୋଲି ଅଭିଯୋଗ କରିଥିଲେ। ଦିଲ୍ଲୀ ଏବଂ ପଞ୍ଜାବରେ ଏକାସାଙ୍ଗରେ ''ବିଶେଷ ସଂଶୋଧନ ପ୍ରକ୍ରିୟା'' ଚାଲିଥିବା ସମୟରେ ଏହା କିପରି ସମ୍ଭବ ହେଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ।
ଏହି ବିବାଦ ସମ୍ପର୍କରେ ଦିଲ୍ଲୀ ସିଇଓ ଅଶୋକ କୁମାର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ''ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦'' ଏବଂ ''ଭୋଟର ପଞ୍ଜୀକରଣ ନିୟମ, ୧୯୬୦'' ଅନୁଯାୟୀ କେବଳ ଫର୍ମ-୬, ୭, ଏବଂ ୮ ମାଧ୍ୟମରେ ହିଁ ନାମ ଯୋଡ଼ିବା, କାଟିବା କିମ୍ବା ସଂଶୋଧନ କରାଯାଇଥାଏ। ଏହି ଫର୍ମଗୁଡ଼ିକୁ ବର୍ଷର କୌଣସି ବି ସମୟରେ ନାଗରିକମାନେ ଦାଖଲ କରିପାରିବେ। ଅନ୍ୟପଟେ ରାଘବ ଚଡ୍ଡା ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ନିର୍ବାଚନ କମିଶନଙ୍କ ସମସ୍ତ ନିୟମାବଳୀ ପାଳନ କରିଛନ୍ତି। ଆପ୍ ନିଜର ଦଳୀୟ ସଭ୍ୟପଦ ପଞ୍ଜିକା ଏବଂ ନିର୍ବାଚନ କମିଶନଙ୍କ ଭୋଟର ତାଲିକା ମଧ୍ୟରେ ଫରକ ବୁଝିପାରୁନାହିଁ ବୋଲି ସେ କଟାକ୍ଷ କରିଛନ୍ତି।
What's Your Reaction?