ସରକାରୀ ବିଭାଗରେ ଦୁର୍ନୀତିର ପାହାଡ଼ ! ବର୍ଷକରେ ଆସିଛି ୭୦ ହଜାରରୁ ଅଧିକ ଅଭିଯୋଗ, ବ୍ୟାଙ୍କ ଓ ରେଳବାଇରେ ସର୍ବାଧିକ
ଗତ ବର୍ଷ ବିଭିନ୍ନ ସରକାରୀ ସଂସ୍ଥା ବିରୋଧରେ ମୋଟ ୭୦,୫୮୪ଟି ଦୁର୍ନୀତି ଅଭିଯୋଗ ପଞ୍ଜିକୃତ ହୋଇଛି । ଏହି ଅଭିଯୋଗ ଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଏବଂ ରେଳବାଇ ବିଭାଗ ବିରୋଧରେ ସର୍ବାଧିକ ସଂଖ୍ୟକ ଅଭିଯୋଗ ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।
କେନ୍ଦ୍ରୀୟ ସତର୍କତା ଆୟୋଗ ବା ସିଭିସି (CVC) ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରେ ସରକାରୀ ବିଭାଗ ଗୁଡ଼ିକରେ ହେଉଥିବା ଦୁର୍ନୀତିର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି । ଗତ ବର୍ଷ ବିଭିନ୍ନ ସରକାରୀ ସଂସ୍ଥା ବିରୋଧରେ ମୋଟ ୭୦,୫୮୪ଟି ଦୁର୍ନୀତି ଅଭିଯୋଗ ପଞ୍ଜିକୃତ ହୋଇଛି । ଏହି ଅଭିଯୋଗ ଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଏବଂ ରେଳବାଇ ବିଭାଗ ବିରୋଧରେ ସର୍ବାଧିକ ସଂଖ୍ୟକ ଅଭିଯୋଗ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । କମିସନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ମୁଖ୍ୟ ସତର୍କତା ଅଧିକାରୀଙ୍କ ଜରିଆରେ ଏହି ସମସ୍ତ ଅଭିଯୋଗ ଗ୍ରହଣ କରାଯାଇଛି ।
ସିଭିସିର ୨୦୨୫ ବାର୍ଷିକ ରିପୋର୍ଟ ଅନୁଯାୟୀ, ମୋଟ ଅଭିଯୋଗ ମଧ୍ୟରୁ ୬୪,୯୦୫ଟି ମାମଲାର ସମାଧାନ ୩୧ ଡିସେମ୍ବର ୨୦୨୫ ସୁଦ୍ଧା କରାଯାଇଛି । ତେବେ ବର୍ଷ ଶେଷ ସୁଦ୍ଧା ୫,୬୭୯ଟି ଅଭିଯୋଗର ତଦନ୍ତ କିମ୍ବା ପ୍ରକ୍ରିୟାକରଣ ସମାପ୍ତ ହୋଇପାରି ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏଥିମଧ୍ୟରୁ ୨,୦୦୨ଟି ଅଭିଯୋଗ ତିନି ମାସରୁ ଅଧିକ ସମୟ ଧରି ବିଚାରାଧୀନ ରହିଛି, ଯଦିଓ ନିୟମ ଅନୁଯାୟୀ ତିନି ମାସ ମଧ୍ୟରେ ଏହି ତଦନ୍ତ ସମାପ୍ତ ହେବା କଥା ।
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସର୍ବାଧିକ ୯,୯୩୩ଟି ଦୁର୍ନୀତି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୯,୫୨୦ଟିର ସମାଧାନ ହୋଇଛି ଏବଂ ୪୧୩ଟି ଏବେ ମଧ୍ୟ ବିଚାରାଧୀନ ରହିଛି । ସେହିପରି ରେଳବାଇ ବିଭାଗ ଦୁର୍ନୀତି ଅଭିଯୋଗ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ରେଳବାଇ ବିରୋଧରେ ମୋଟ ୯,୩୮୧ଟି ଅଭିଯୋଗ ପ୍ରାପ୍ତ ହୋଇଥିବା ବେଳେ ୮,୭୫୪ଟି ମାମଲା ସମାଧାନ ହୋଇଛି ଏବଂ ୬୨୭ଟି ବିଚାରାଧୀନ ରହିଛି । ଯେଉଁଥିରେ ୧୦ଟି ଅଭିଯୋଗ ତିନି ମାସରୁ ଅଧିକ ସମୟ ଧରି ପଡ଼ି ରହିଛି । ରିପୋର୍ଟରେ ଅନ୍ୟାନ୍ୟ ବିଭାଗ ଗୁଡ଼ିକର ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି । ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସହିତ ଜଡ଼ିତ ୬,୫୩୧ଟି ଅଭିଯୋଗ ଆସିଥିବା ବେଳେ କୋଇଲା କ୍ଷେତ୍ରର ଶ୍ରମିକଙ୍କ ସହ ଜଡ଼ିତ ୪,୧୧୮ଟି ଅଭିଯୋଗ ମିଳିଛି । ଏହା ବ୍ୟତୀତ ଅର୍ଥ କ୍ଷେତ୍ର ସହିତ ଜଡ଼ିତ ୩,୧୦୭ଟି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହିତ ଜଡ଼ିତ ୨,୭୨୨ଟି ଦୁର୍ନୀତି ଅଭିଯୋଗ ପଞ୍ଜିକୃତ ହୋଇଛି । ଏହି ରିପୋର୍ଟ ସରକାରୀ ବିଭାଗ ଗୁଡ଼ିକରେ ସ୍ୱଚ୍ଛତା ଏବଂ ସତର୍କତାର ଆବଶ୍ୟକତାକୁ ପୁନର୍ବାର ସୂଚାଇ ଦେଇଛି ।
What's Your Reaction?