ଆଜି ଜନ୍ମାଷ୍ଟମୀ : ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ
ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ। ଜନ୍ମାଷ୍ଟମୀ ପାଇଁ ଆଜି ଚତୁର୍ଦ୍ଦିଗରେ କୃଷ୍ଣପ୍ରେମର ଏକ ଅପୂର୍ବ ବାତାବରଣ ସୃଷ୍ଟି ହୋଇଛି। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ୍ ଜନ୍ମାଷ୍ଟମୀ ପାଇଁ ରାଜ୍ୟର ପ୍ରତିଟି ମନ୍ଦିର
ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ। ଜନ୍ମାଷ୍ଟମୀ ପାଇଁ ଆଜି ଚତୁର୍ଦ୍ଦିଗରେ କୃଷ୍ଣପ୍ରେମର ଏକ ଅପୂର୍ବ ବାତାବରଣ ସୃଷ୍ଟି ହୋଇଛି। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ୍ ଜନ୍ମାଷ୍ଟମୀ ପାଇଁ ରାଜ୍ୟର ପ୍ରତିଟି ମନ୍ଦିର ଏବେ ଚଳଚଞ୍ଚଳ ଏବଂ ଉତ୍ସବମୁଖର ହୋଇଉଠିଛି। ସକାଳୁ ସକାଳୁ ମନ୍ଦିରମାନଙ୍କରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆରାଧ୍ୟ ଦେବଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିବାବେଳେ ହରେ କୃଷ୍ଣ ମହାମନ୍ତ୍ର ଓ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। ମନ୍ଦିରଗୁଡ଼ିକୁ ଆକର୍ଷଣୀୟ ଆଲୋକମାଳା ଏବଂ ସୁଗନ୍ଧିତ ଫୁଲରେ ଭବ୍ୟ ଭାବରେ ସଜାଯାଇଛି, ଯାହା ପର୍ବର ଶୋଭାକୁ ଦ୍ୱିଗୁଣିତ କରୁଛି।
ରାତି ୧୨ଟାରେ ମହାପ୍ରଭୁଙ୍କ ଜନ୍ମ ନୀତିକାନ୍ତି ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦିନସାରା ଉପବାସ ରହି ଭକ୍ତମାନେ ଏହି ପବିତ୍ର ଦିନଟିକୁ ଅତ୍ୟନ୍ତ ନିଷ୍ଠା, ଭକ୍ତି ଓ ଆନନ୍ଦର ସହିତ ପାଳନ କରୁଛନ୍ତି। କେବଳ ମନ୍ଦିର ନୁହେଁ, ବରଂ ଘରେ ଘରେ ମଧ୍ୟ ସୁନ୍ଦର ଖଟୁଲିରେ ବାଳଗୋପାଳଙ୍କୁ ବିରାଜମାନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ‘ ହାତୀ ଘୋଡ଼ା ପାଲ୍କି, ଜୟ କହ୍ନେୟା ଲାଲ୍ କି’ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର। ସବୁଆଡ଼େ ଏକ ଦିବ୍ୟ, ଆଧ୍ୟାତ୍ମିକ ଏବଂ ଉଲ୍ଲସିତ ପରିବେଶ ଦେଖିବାକୁ ମିଳୁଛି।
ସେପଟେ ଶ୍ରୀମନ୍ଦିରରେ ପାଳିତ ହେବ ଶ୍ରୀକୃଷ୍ଣ ଜନ୍ମ ନୀତି । ଏନେଇ ବଡ଼ ଦେଉଳରେ ସ୍ୱତନ୍ତ୍ର ନୀତିରେ ପୂଜାର୍ଚ୍ଚନା ବିଧି ଚାଲିଛି । ସନ୍ଧ୍ୟା ଧୂପ ଓ ପ୍ରସାଦ ଲାଗି ପରେ ତିନି ଠାକୁରଙ୍କ ବନ୍ଦାପନା କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କୁ ଗର୍ଭୋଦକ ବନ୍ଦାପନା କରାଯାଇଛି । ଏହା ପୂର୍ବରୁ ମହାପ୍ରଭୁଙ୍କୁ ଜେଉଟ ଭୋଗ ଲାଗି କରାଯାଇଥିଲା । ଆଜି ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ ହେବା ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।
ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଭଗବାନ ଶ୍ରୀକୃଷ୍ଣଙ୍କ ମନୋହର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି କଳାକୃତିରେ ହ୍ୟାପି ଜନ୍ମାଷ୍ଟମୀ ବାର୍ତ୍ତା ସହ ବାଲ ଗୋପାଳଙ୍କ ଦିବ୍ୟ ରୂପକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଆଠ ଫୁଟ ଉଚ୍ଚର ବାଲୁକା କଳାରେ ସୁଦର୍ଶନ ଛୋଟ କୃଷ୍ଣ ବା ବାଲ ଗୋପାଳଙ୍କୁ ଜୀବନ୍ତ କରି ଦେଖାଇଛନ୍ତି। ଏହି ମୂର୍ତ୍ତିରେ ବାଲ ଗୋପାଳ ତାଙ୍କ ପ୍ରିୟ ବଂଶୀ, ଏକ ବଡ଼ ମାଖନ ହାଣ୍ଡି ଏବଂ ତାଙ୍କ ପାଖରେ ବିଶ୍ରାମ ନେଉଥିବା ଏକ ଗାଈ ସହ ଗୋକୁଳରେ କୃଷ୍ଣଙ୍କ ବାଲ୍ୟଲୀଳାର ମନୋରମ କାହାଣୀକୁ ମନେ ପକାଇ ଦେଉଛି। ଏହି କଳାକୃତିର ସ୍ୱତନ୍ତ୍ର ଆକର୍ଷଣ ହେଉଛି ମୂର୍ତ୍ତି ଚାରିପଟେ ଥିବା ୧୦୧ଟି ଛୋଟ ମାଖନ ହାଣ୍ଡି, ଯାହା ଭକ୍ତି ଓ ବାଲ ଗୋପାଳଙ୍କ ଆନନ୍ଦମୟ ଭାବକୁ ପ୍ରତୀକାତ୍ମକ କରୁଛି। ଏହି ବାଲୁକା କଳା ପୁରୀ ବେଳାଭୂମିରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି।ଆଜି ଜନ୍ମାଷ୍ଟମୀର ପବିତ୍ର ଅବସରରେ ସାରା ରାଜ୍ୟ ଭକ୍ତିର ରଙ୍ଗରେ ରଙ୍ଗାଇତ ହୋଇଉଠିଛି। ମନ୍ଦିରରୁ ଘର ଅଗଣା ପର୍ଯ୍ୟନ୍ତ ସବୁଠି ଶୁଣିବାକୁ ମିଳୁଛି ଶ୍ରୀକୃଷ୍ଣଙ୍କ ନାମ ସଙ୍କୀର୍ତ୍ତନ। କେଉଁଠି ଭଜନ କୀର୍ତ୍ତନ, ତ କେଉଁଠି ବାଳଗୋପାଳଙ୍କ ଝୁଲଣ ଉତ୍ସବ—ସବୁଆଡ଼େ ଦେଖିବାକୁ ମିଳୁଛି ଭକ୍ତି ଓ ଆନନ୍ଦର ଅପୂର୍ବ ମିଳନ।ନନ୍ଦଘରେ ଆନନ୍ଦ ଉତ୍ସବର ସେହି ପୌରାଣିକ କାହାଣୀ ଯେପରି ଆଜି ପୁଣିଥରେ ଜୀବନ୍ତ ହୋଇଉଠିଛି। ଭକ୍ତମାନେ ଛୋଟ କୃଷ୍ଣଙ୍କୁ ସଜାଇ ଝୁଲାରେ ବସାଇବା ସହ ମାଖନ, ମିଠା ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରୁଛନ୍ତି। ଶିଶୁମାନେ ମଧ୍ୟ କୃଷ୍ଣ ଓ ରାଧାଙ୍କ ବେଶରେ ସଜେଇ ଏହି ପବିତ୍ର ଉତ୍ସବକୁ ଆହୁରି ରଙ୍ଗିନ କରିଦେଇଛନ୍ତି।
ଭକ୍ତି, ବିଶ୍ୱାସ ଓ ପ୍ରେମର ବାର୍ତ୍ତା ନେଇ ପାଳିତ ହେଉଛି ଜନ୍ମାଷ୍ଟମୀ। ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ବିରୋଧରେ ସତ୍ୟର ସଂଗ୍ରାମର ପ୍ରତୀକ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଆଜି ପ୍ରତ୍ୟେକ ଭକ୍ତଙ୍କ ମନରେ ନୂଆ ଆଶା ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଛି।
ରାତି ଠିକ୍ ୧୨ଟା ବାଜିବା କ୍ଷଣକୁ ଚାତକ ପରି ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଶଙ୍ଖଧ୍ୱନି, ଘଣ୍ଟ ଓ ହରିବୋଲରେ ପ୍ରକମ୍ପିତ ହେବ ପରିବେଶ। ଆଉ ଜନ୍ମ ନେବେ ନନ୍ଦଲାଲ… ଗୁଞ୍ଜି ଉଠିବ—“ହାତୀ ଘୋଡ଼ା ପାଲ୍କି… ଜୟ କହ୍ନେୟା ଲାଲ କି…”ସେହିପରି ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମଧ୍ୟ ଜନ୍ମାଷ୍ଟମୀର ଆକର୍ଷଣକୁ ଆହୁରି ବଢ଼ାଇ ଦେଇଛି। ବାଲୁକାରେ ସୃଷ୍ଟି ହୋଇଥିବା ବାଳଗୋପାଳଙ୍କ ଏହି ଦିବ୍ୟ ରୂପ ଦେଖିବା ପାଇଁ ପୁରୀ ବେଳାଭୂମିରେ ଜମୁଛି ଦର୍ଶକଙ୍କ ଭିଡ଼। ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଓ ଭଲପାଇବାର ଏହି ଅନନ୍ୟ କଳାକୃତି ସମସ୍ତଙ୍କ ମନକୁ ମୁଗ୍ଧ କରୁଛି।ସତରେ, ଆଜି କେବଳ ଏକ ପର୍ବ ନୁହେଁ… ଆଜି ହେଉଛି ଭକ୍ତିର ଉତ୍ସବ, ପ୍ରେମର ଉତ୍ସବ ଏବଂ ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳାକୁ ସ୍ମରଣ କରିବାର ଏକ ପବିତ୍ର ଦିନ। ସାରା ଓଡ଼ିଶା ଏବେ କୃଷ୍ଣମୟ… ଚାରିଆଡ଼େ କେବଳ ଗୋଟିଏ ଧ୍ୱନି—
ଜୟ ଶ୍ରୀକୃଷ୍ଣ… ଜୟ କହ୍ନେୟା ଲାଲ କି! ????✨
What's Your Reaction?