ଥରୁଟିଏ ଟଙ୍କା ବାନ୍ଧିଦେଲେ,ମାସକୁ ମାସ ଖାତାକୁ ଆସିବ ୧୫,୦୦୦ ; ପୋଷ୍ଟାଲର ଏ ସ୍କିମ୍ ବିଷୟରେ ଜାଣିଛନ୍ତି କି ନାହିଁ?
ଏହି ସରକାରୀ ସଞ୍ଚୟ ଯୋଜନାରେ ସରକାର ବାର୍ଷିକ ୮.୨ ପ୍ରତିଶତ ଭଳି ଆକର୍ଷଣୀୟ ସୁଧ ହାର ପ୍ରଦାନ କରୁଛନ୍ତି, ଯାହା ଅନ୍ୟ ସାଧାରଣ ବ୍ୟାଙ୍କର ଫିକ୍ସଡ୍ ଡିପୋଜିଟ୍ ତୁଳନାରେ ଯଥେଷ୍ଟ ଅଧିକ ।
ବର୍ତ୍ତମାନ ସମୟ ଯାହା ହେଲାଣି ସଞ୍ଚୟ ନକଲେ ନଚଳେ । କଠିନ ପରିଶ୍ରମର ଟଙ୍କା ସୁରକ୍ଷିତ ରଖିବା ସହ ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ଆୟ ପାଇବା ପ୍ରତ୍ୟେକ ନିବେଶକଙ୍କର ସ୍ବପ୍ନ ହୋଇଥାଏ। ଖାସ୍ କରି ଅବସରପ୍ରାପ୍ତ ଓ ବରିଷ୍ଠ ନାଗରିକମାନଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ଏବଂ ସବଳ କରିବା ପାଇଁ ପୋଷ୍ଟ ଅଫିସ୍ର 'ସିନିଅର୍ ସିଟିଜେନ୍ ସେଭିଂ ସ୍କିମ୍' ଏକ ବେଶ୍ ଲୋକପ୍ରିୟ ଯୋଜନା। ଏହି ସଞ୍ଚୟ ଯୋଜନାରେ ଥରୁଟିଏ ପୁଞ୍ଜି ନିବେଶ କରି ବରିଷ୍ଠ ନାଗରିକମାନେ ନିଜର ଦୈନନ୍ଦିନ ଖର୍ଚ୍ଚ ଉଠାଇବା ପାଇଁ ପ୍ରତିମାସରେ ଏକ ଭଲ ଆୟର ସୁବିଧା ପାଇପାରିବେ ।
ଏହି ସରକାରୀ ସଞ୍ଚୟ ଯୋଜନାରେ ସରକାର ବାର୍ଷିକ ୮.୨ ପ୍ରତିଶତ ଭଳି ଆକର୍ଷଣୀୟ ସୁଧ ହାର ପ୍ରଦାନ କରୁଛନ୍ତି, ଯାହା ଅନ୍ୟ ସାଧାରଣ ବ୍ୟାଙ୍କର ଫିକ୍ସଡ୍ ଡିପୋଜିଟ୍ ତୁଳନାରେ ଯଥେଷ୍ଟ ଅଧିକ । ଯଦି ଜଣେ ବ୍ୟକ୍ତି ଏହି ଯୋଜନାରେ ସର୍ବାଧିକ ୩୦ ଲକ୍ଷ ଟଙ୍କାର ନିବେଶ କରନ୍ତି ତେବେ ତାଙ୍କୁ ବାର୍ଷିକ ୨,୪୬,୦୦୦ ଟଙ୍କାର ସୁଧ ମିଳିଥାଏ। ଏହି ସୁଧ ରାଶି ତ୍ରୈମାସିକ ଭିତ୍ତିରେ ଜମାକାରୀଙ୍କ ଆକାଉଣ୍ଟକୁ ଆସିଥାଏ ଯାହା ମାସିକ ହିସାବରେ ପାଖାପାଖି ୧୫,୦୦୦ ଟଙ୍କା ରୋଜଗାରର ମାଧ୍ୟମ ସାଜିଥାଏ। ଏହି ସ୍କିମ୍ର ଅବଧି ୫ ବର୍ଷ ରହିଥିବା ବେଳେ ଗ୍ରାହକ ଚାହିଲେ ଏହାକୁ ଆଉ ୩ ବର୍ଷ ପାଇଁ ବଢ଼ାଇ ପାରିବେ । ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ଆକାଉଣ୍ଟ ଖୋଲିପାରିବେ । ଏହାଛଡ଼ା ୫୫ ରୁ ୬୦ ବର୍ଷ ବୟସ ମଧ୍ୟରେ ସ୍ୱେଚ୍ଛାକୃତ ଅବସର ନେଇଥିବା କର୍ମଚାରୀମାନେ ମଧ୍ୟ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅଧୀନରେ ଏହାର ଫାଇଦା ଉଠାଇପାରିବେ । ସର୍ବନିମ୍ନ ୧,୦୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଥିରେ ବିନିଯୋଗ କରାଯାଇପାରିବ । ସୁରକ୍ଷିତ ରିଟର୍ଣ୍ଣ ସହିତ ଏହି ଯୋଜନା ଆୟକର ଛାଡ଼ର ସୁବିଧା ମଧ୍ୟ ଯୋଗାଇଦିଏ । ଆୟକର ଅଧିନିୟମର ଧାରା ୮୦C ଅଧୀନରେ ନିବେଶକମାନେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କର ଛାଡ଼ ପାଇପାରିବେ । ଆଜିର ସମୟରେ ଅବସର ପରେ ବିନା କୌଣସି ଆର୍ଥିକ ବିପଦରେ ସୁରକ୍ଷିତ ମାସିକ ରୋଜଗାର ପାଇବା ପାଇଁ ପୋଷ୍ଟ ଅଫିସର ଏହି ସିନିଅର୍ ସିଟିଜେନ୍ ସେଭିଂ ସ୍କିମ୍ ବରିଷ୍ଠ ନାଗରିକଙ୍କ ପାଇଁ ଏକ ବରଦାନ ସଦୃଶ ପ୍ରମାଣିତ ହୋଇଛି ।
What's Your Reaction?