ସରକାରଙ୍କୁ ପ୍ରଶ୍ନ କରିବାରୁ ଗିରଫ, ରାତି ଅଧିଆ ଘରୁ ଉଠାଇନେଲେ

Sep 5, 2026 - 15:05
 0  1
ସରକାରଙ୍କୁ ପ୍ରଶ୍ନ କରିବାରୁ ଗିରଫ, ରାତି ଅଧିଆ ଘରୁ ଉଠାଇନେଲେ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୩ ବର୍ଷରୁ କମ୍ ସଜା ଥିବା ମାମଲାରେ ଗିରଫ ପୂର୍ବରୁ ନୋଟିସ୍ ଦେବା ବାଧ୍ୟତାମୂଳକ । କିନ୍ତୁ ଏହି କ୍ଷେତ୍ରରେ କୌଣସି ପ୍ରକ୍ରିୟା ପାଳନ ନକରି ଜଣେ ଅପରାଧୀ ଭଳି ତାଙ୍କୁ ରାତି ଅଧରେ ଗିରଫ କରାଯିବା ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି  

ଗଣତନ୍ତ୍ରରେ ସରକାରଙ୍କୁ ପ୍ରଶ୍ନ କରିବା ଅପରାଧ କି ? ସାଧାରଣ ଲୋକଙ୍କ ସମସ୍ୟା ଉଠାଇଲେ, ସରକାରୀ ବ୍ୟବସ୍ଥାର ଅସଲ ମୁଖା ଖୋଲିଲେ କ'ଣ ଆମେ ଦେଶଦ୍ରୋହୀ ସାଜିଯିବା? ମହାରାଷ୍ଟ୍ରର ପୁଣେରୁ ସାମ୍ନାକୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠି ଜଣେ ସାମାଜିକ କର୍ମୀ ତଥା ୟୁଟ୍ୟୁବରଙ୍କୁ ପୁଲିସ ରାତି ଅଧିଆ ତାଙ୍କ ଘରୁ ଉଠାଇ ନେଇଛି । ମହାରାଷ୍ଟ୍ର ସରକାରଙ୍କ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସମାଲୋଚନା ଆଉ ପ୍ରଶ୍ନ କରିଥିବାରୁ ତାଙ୍କ ଉପରେ ରୁଜୁ ହୋଇଛି ସଙ୍ଗିନ ମାମଲା ।

ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାରୁ ୟୁଟ୍ୟୁବରଙ୍କୁ ବାନ୍ଧିଲା ପୁଲିସ । ଏହି ଘଟଣା ଏବେ ମହାରାଷ୍ଟ୍ର ସମେତ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଣେର ଜଣାଶୁଣା ସାମାଜିକ କର୍ମୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସନ୍ତୋଷ ପଣ୍ଡିତଙ୍କୁ ଗୁରୁବାର ରାତି ଅଧିଆ ପୁଲିସ ଗିରଫ କରିଛି । ସନ୍ତୋଷଙ୍କ ଅପରାଧ କେବଳ ଏତିକି ଥିଲା ଯେ, ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସହରର ରାସ୍ତାଘାଟ, ଖାଲଖମା ଏବଂ ନାଳନର୍ଦ୍ଦମା ସମସ୍ୟାକୁ ନେଇ ନେତା ଓ ପ୍ରଶାସନକୁ ନିୟମିତ ଘେରୁଥିଲେ । ନିକଟରେ ସେ ମହାରାଷ୍ଟ୍ରର ଉଚ୍ଚଶିକ୍ଷା ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ଉଦ୍ଦେଶ୍ୟରେ କିଛି ଭିଡିଓ ପୋଷ୍ଟ କରିଥିଲେ । ଯାହା ତାଙ୍କୁ ମହଙ୍ଗା ପଡ଼ିଛି ।

କେବଳ ସେତିକି ନୁହେଁ ଗିରଫଦାରୀର ଠିକ୍ ଦିନକ ପୂର୍ବରୁ ବିଜେପି ନେତା ଗୋପୀଚାନ୍ଦ ପଡାଲକରଙ୍କ ଗାଡ଼ିରେ ବାଧ୍ୟତାମୂଳକ 'ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍' ନଥିବା ନେଇ ସେ ସିଧାସଳଖ ପ୍ରଶ୍ନ କରିଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କ ବିରୋଧରେ ଆସିଥିଲା ଅଶ୍ଳୀଳ ତଥା ଅପମାନଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ । ଫଳରେ ତାଙ୍କୁ ସରକାରୀ ବିରୋଧୀ ଭଳି ଆଚରଣ କରାଯାଇ ରାତି ଅଧିଆ ବାନ୍ଧି ନେଲା ପୁଲିସ । ନିଜ ଗିରଫଦାରୀ ବେଳର ଭିଡିଓ ସେୟାର କରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ସିଧାସଳଖ ଏହି ପ୍ରଶ୍ନ କରିଥିଲେ ସନ୍ତୋଷ ।

ଅନ୍ୟପକ୍ଷରେ ପୁଣେ ପୁଲିସ କହିଛି, ସନ୍ତୋଷ ନିଜ ଭିଡିଓରେ ମନ୍ତ୍ରୀ ଏବଂ ଜଣେ ମହିଳା କର୍ପୋରେଟରଙ୍କ ବିରୋଧରେ ଅପମାନଜନକ ଏବଂ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ବିଜେପି ନେତା ସୁନୀଲ ପାଣ୍ଡେଙ୍କ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତା ବା ବିଏନଏସର ଦଫା ୩୫୬, ୨୯୬ ଏବଂ ଆଇଟି ଆକ୍ଟ ଅଧୀନରେ ତାଙ୍କ ନାମରେ ଏଫଆଇଆର ରୁଜୁ ହୋଇଛି । ସନ୍ତୋଷ ଲୋକଙ୍କ ନିକଟରେ ବେଶ୍ ଲୋକପ୍ରିୟ ଏବଂ ତାଙ୍କ ଭିଡିଓଗୁଡ଼ିକରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭ୍ୟୁଜ୍ ଆସୁଥିଲା । ସରକାରୀ ବାବୁଙ୍କ ଦୁର୍ନୀତି ଏବଂ ଭିଆଇପିଙ୍କ ଯୋଗୁ ସାଧାରଣ ଲୋକ ଭୋଗୁଥିବା ଅସୁବିଧାକୁ ସେ ନିର୍ଭୟରେ ଉଠାଉଥିଲେ । ସେଥିପାଇଁ ତାଙ୍କୁ ଟାର୍ଗେଟ୍ କରାଯାଇଛି ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୩ ବର୍ଷରୁ କମ୍ ସଜା ଥିବା ମାମଲାରେ ଗିରଫ ପୂର୍ବରୁ ନୋଟିସ୍ ଦେବା ବାଧ୍ୟତାମୂଳକ । କିନ୍ତୁ ଏହି କ୍ଷେତ୍ରରେ କୌଣସି ପ୍ରକ୍ରିୟା ପାଳନ ନକରି ଜଣେ ଅପରାଧୀ ଭଳି ତାଙ୍କୁ ରାତି ଅଧରେ ଗିରଫ କରାଯିବା ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

ବିରୋଧୀ ଏହି ଘଟଣାକୁ ଗଣତନ୍ତ୍ରର କଣ୍ଠରୋଧ ବୋଲି କହିଛନ୍ତି । କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଯଶୋମତୀ ଠାକୁର କହିଛନ୍ତି ଯେ, ସମ୍ବିଧାନ ଦେଇଥିବା ବାକ୍ ସ୍ୱାଧୀନତାକୁ କ୍ଷମତାସୀନ ସରକାର ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି । ଯଦି ସନ୍ତୋଷଙ୍କ ଉପରୁ ମାମଲା ପ୍ରତ୍ୟାହାର ନହୁଏ ଏବଂ ତାଙ୍କୁ ତୁରନ୍ତ ଖଲାସ କରା ନ ଯାଏ ତେବେ ଦଳ ରାଜରାସ୍ତାକୁ ଓହ୍ଲାଇବ ।

ଆମେ ଜାଣୁ ଗଣତନ୍ତ୍ରରେ ସରକାରଙ୍କୁ ପ୍ରଶ୍ନ କରିବା ପ୍ରତିଟି ନାଗରିକଙ୍କ ମୌଳିକ ଅଧିକାର । ଯଦି କେହି ଭୁଲ ଶବ୍ଦ ବ୍ୟବହାର କରିଛନ୍ତି ତାହାର ଆଇନଗତ ତଦନ୍ତ ନିଶ୍ଚୟ ହେବା ଦରକାର । କିନ୍ତୁ ବିକାଶ ନାଁରେ ଦୁର୍ନୀତି ପ୍ରଶ୍ନ ପଚାରିଲେ ଯଦି ନିର୍ବାଚିତ ପ୍ରତିନିଧିମାନେ ପ୍ରତିଶୋଧ ନେବେ, ଗିରଫ କରାଇବେ ତେବେ ସାଧାରଣ ଲୋକ ନିଜ ସମସ୍ୟା କାହାକୁ କହିବେ?  

What's Your Reaction?

like

dislike

love

funny

angry

sad

wow