ଅପରେସନ୍ ଟ୍ରାଇଡେଣ୍ଟ : ୧୦୦ କୋଟିର ବେଆଇନ ଅର୍ଥ କାରବାର ଠାବ,୧୮ ଜଣ ଅଭିଯୁକ୍ତ ଗିରଫ

Oct 25, 2026 - 12:35
ଅପରେସନ୍ ଟ୍ରାଇଡେଣ୍ଟ : ୧୦୦ କୋଟିର ବେଆଇନ ଅର୍ଥ କାରବାର ଠାବ,୧୮ ଜଣ ଅଭିଯୁକ୍ତ ଗିରଫ

‘ଅପରେସନ୍ ଟ୍ରାଇଡେଣ୍ଟ’ ଜରିଆରେ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ନେଟୱର୍କର ପର୍ଦ୍ଦାଫାସ କରିଛନ୍ତି ତଦନ୍ତକାରୀ ସଂସ୍ଥା। ଏହି ଅଭିଯାନରେ ତିନୋଟି ରାଜ୍ୟର ୩୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । 

ନିଶାଦ୍ରବ୍ୟ ଚାଲାଣକାରୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ବଡ଼ ଆକ୍ସନ୍ । ‘ଅପରେସନ୍ ଟ୍ରାଇଡେଣ୍ଟ’ ଜରିଆରେ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ନେଟୱର୍କର ପର୍ଦ୍ଦାଫାସ କରିଛନ୍ତି ତଦନ୍ତକାରୀ ସଂସ୍ଥା। ଏହି ଅଭିଯାନରେ ତିନୋଟି ରାଜ୍ୟର ୩୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଏଥିରେ ୧୮ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୧୪୨୪ଟି ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଛି । ଏହି ବଡ଼ ଅଭିଯାନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେବା ସହ ତଦନ୍ତକାରୀ ଟିମ୍‌କୁ ପ୍ରଶଂସା କରିଛନ୍ତି ।

ଅମିତ ଶାହା ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି । ଅକ୍ଟୋବର ୨୩ ତାରିଖରେ ଆସାମ, ମିଜୋରାମ ଓ ମଣିପୁରର ୩୮ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ କରି ଏକ ଅନ୍ତର୍ଜାତୀୟ ନାର୍କୋ-କାର୍ଟେଲ୍‌କୁ ଧ୍ୱଂସ କରାଯାଇଥିବା ସେ କହିଛନ୍ତି । ଏହି ଅଭିଯାନରେ ପ୍ରାୟ ୧୦୦ କୋଟି ଟଙ୍କାର ବେଆଇନ ଅର୍ଥ କାରବାରର ଖୁଲାସା ହୋଇଛି । ଏଥିସହ ୧୭.୮୨ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଚଢ଼ାଉ ସମୟରେ ୫୦୦ଟି ଡେଟୋନେଟର୍‌ ଓ ୧୨ ଲକ୍ଷ ଟଙ୍କା ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଏହି ମାମଲାରେ ମୋଟ ୧୮ ଜଣଙ୍କୁ ଗିରଫ କରାଯାଇଛି ।

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ଏହି ନେଟୱର୍କ ଭାରତ, ମିଆଁମାର ଓ ବାଂଲାଦେଶ ସୀମାକୁ ବ୍ୟବହାର କରି ନିଶାଦ୍ରବ୍ୟ ଚାଲାଣ କରୁଥିଲା । ଏହି ଅଞ୍ଚଳକୁ ‘ଡେଥ୍ ଟ୍ରାଏଙ୍ଗଲ୍ କରିଡର୍’ ଭାବେ ଉଲ୍ଲେଖ କରିଛନ୍ତି ଗୃହମନ୍ତ୍ରୀ । ଏହି ନେଟୱର୍କର ଆର୍ଥିକ କାରବାର ଉପରେ ମଧ୍ୟ ତଦନ୍ତକାରୀ ସଂସ୍ଥା ଜୋରଦାର ତଦନ୍ତ କରୁଛି । ଏହି ଅଭିଯାନକୁ ନେଇ ଅମିତ ଶାହା କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ନିଶାଦ୍ରବ୍ୟ ବିରୋଧରେ ଆଉ ଏକ ବଡ଼ ପ୍ରହାର କରିଛନ୍ତି। ନିଶା କାରବାରରେ ସମ୍ପୃକ୍ତ ନେଟୱର୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପର୍ଯ୍ୟନ୍ତ ଭାରତର ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି ।

୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ
କେନ୍ଦ୍ର ସରକାର ୨୦୨୯ ଡିସେମ୍ବର ୩୧ ସୁଦ୍ଧା ଦେଶରୁ ନିଶାଦ୍ରବ୍ୟ ସମସ୍ୟାକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଅକ୍ଟୋବର ୨୧ ତାରିଖରେ ନୂଆଦିଲ୍ଲୀରେ ପୁଲିସ ସ୍ମୃତି ଦିବସ ଅବସରରେ ଗୃହମନ୍ତ୍ରୀ ଏହି ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ଆଗାମୀ ସାଢ଼େ ତିନି ବର୍ଷ ଅର୍ଥାତ୍ ୨୦୨୭, ୨୦୨୮ ଓ ୨୦୨୯ରେ ନିଶାଦ୍ରବ୍ୟ ବିରୋଧରେ କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ପୁଲିସ ମିଳିତ ଭାବେ ଲଢ଼େଇ କରିବେ । ନିଶା କାରବାରର ମୂଳୋତ୍ପାଟନ ପାଇଁ ଏହି ମିଳିତ ଅଭିଯାନ ଆଗକୁ ଆହୁରି ଜୋରଦାର ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । 

What's Your Reaction?

like

dislike

love

funny

angry

sad

wow