ଫିଫା ବିଶ୍ୱକପ୍ରେ ଭାରତର ଅପରାଜେୟ ଯାତ୍ରା ଜାରି; ୩-୦ରେ ଆଗୁଆ ଥାଇ ବି ଗ୍ରେନାଡା ସହ ମ୍ୟାଚ୍ ଡ୍ର
ତିନି ଗୋଲ୍ରେ ଆଗୁଆ ରହିବା ପରେ ଭାରତର ବିଜୟ ପ୍ରାୟ ନିଶ୍ଚିତ ବୋଲି ମନେ ହେଉଥିଲା। କିନ୍ତୁ ଏହାପରେ ମ୍ୟାଚ୍ର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଗ୍ରେନାଡା ଖେଳାଳିମାନେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଭାରତୀୟ ରକ୍ଷଣଭାଗକୁ ଚକ୍ମା ଦେଇଥିଲେ।
ଫିଫା ୧୫ ବର୍ଷରୁ କମ୍ ବିଶ୍ୱକପ୍ରେ ଭାରତୀୟ ଫୁଟ୍ବଲ୍ ଦଳର ଅପରାଜେୟ ଯାତ୍ରା ଜାରି ରହିଛି। ପ୍ରଥମ ଦୁଇଟି ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଥିବା ଭାରତ ତୃତୀୟ ମୁକାବିଲାରେ ଗ୍ରେନାଡା ସହ ପଏଣ୍ଟ ବାଣ୍ଟିଛି। ଆଜରବାଇଜାନର ବକୁରେ ଅନୁଷ୍ଠିତ ଏହି ରୋମାଞ୍ଚକର ମୁକାବିଲା ୩-୩ ଗୋଲ୍ରେ ଅମୀମାଂସିତ ରହିଛି। ତେବେ ଏହି ଡ୍ର ସତ୍ତ୍ୱେ ଭାରତ ଗ୍ରୁପ୍-କେର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି।
ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଲାଓସ୍ ଓ ଦ୍ୱିତୀୟ ମ୍ୟାଚ୍ରେ କାମେରୁନ୍କୁ ପରାସ୍ତ କରିଥିବା ଭାରତ ଗ୍ରେନାଡା ବିପକ୍ଷରେ ମଧ୍ୟ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ମ୍ୟାଚ୍ର ମାତ୍ର ତୃତୀୟ ମିନିଟ୍ରେ ମ୍ୟାକ୍ଡୋନିସ ଏନ୍ଗାଇରାଙ୍ଗବା ଗୋଲ୍ ଦେଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ୨୨ତମ ମିନିଟ୍ରେ ସି ଲାଲାମିନଙ୍ଗରୋପୁଇଆ ଓ ୨୯ତମ ମିନିଟ୍ରେ ହେଇବାମ ରୋନାଣ୍ଡେବ ଗୋଲ୍ ସ୍କୋର କରି ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ।
ତିନି ଗୋଲ୍ରେ ଆଗୁଆ ରହିବା ପରେ ଭାରତର ବିଜୟ ପ୍ରାୟ ନିଶ୍ଚିତ ବୋଲି ମନେ ହେଉଥିଲା। କିନ୍ତୁ ଏହାପରେ ମ୍ୟାଚ୍ର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଗ୍ରେନାଡା ଖେଳାଳିମାନେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଭାରତୀୟ ରକ୍ଷଣଭାଗକୁ ଚକ୍ମା ଦେଇଥିଲେ। ୩୧ତମ ମିନିଟ୍ରେ ଜୟୱାର୍ନି ନୋଏଲ, ୩୩ତମ ମିନିଟ୍ରେ କାଇ ୱିଲସନ୍ ଓ ୩୭ତମ ମିନିଟ୍ରେ ଅମନ ୟୁସି ଗୋଲ୍ ଦେଇ ସ୍କୋରକୁ ୩-୩ରେ ପହଞ୍ଚାଇଥିଲେ।
ମାତ୍ର ୭ ମିନିଟ୍ ମଧ୍ୟରେ ତିନିଟି ଗୋଲ୍ ଦେଇ ଗ୍ରେନାଡା ଭାରତର ବିଜୟ ଆଶାରେ ପାଣି ପକାଇଥିଲା। ଏହି ଫଳାଫଳ ସହ ଗ୍ରେନାଡା ପ୍ରତିଯୋଗିତାରେ ନିଜର ପ୍ରଥମ ପଏଣ୍ଟ ହାସଲ କରିଛି। ଅନ୍ୟପକ୍ଷରେ ଭାରତ ୩ଟି ମ୍ୟାଚ୍ରୁ ୨ ବିଜୟ ଓ ଗୋଟିଏ ଡ୍ର ସହ ମୋଟ ୭ ପଏଣ୍ଟ ହାସଲ କରିଛି। ଅପରାଜେୟ ରହିଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ବଜାୟ ରଖି ନପାରିବା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
What's Your Reaction?