ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ଖୁଲାସା
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ଖୁଲାସା । ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼। ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟାରି ରିପୋର୍ଟରେ ସାମ୍ନାକୁ ଆସିଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଘଟଣା ସମୟରେ କେବଳ ଗୋପାଳ ଦାସର ବନ୍ଧୁକରୁ ନୁହେଁ ବରଂ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼ । ଯାହାକି ଏବେ ଘଟଣାକୁ ନେଇ ବଢ଼ାଇ ଦେଇଛି ସନ୍ଦେହ। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଓ ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟ ଅନୁସାରେ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା। ପ୍ରଥମ ଗାଡ଼ିରେ ଖୋଦ୍ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ିରେ ତାଙ୍କର ସହଯୋଗୀମାନେ ବସିଥିଲେ। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍ ଫର୍ମରେ ଗୋପାଳ ଦାସଙ୍କ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି।ଏହାସହିତ ଗୋଟିଏ ଗୁଳି ସେ ଆକାଶରେ ଫୁଟାଇଥିବା ନେଇ ରିପୋର୍ଟରେ ରହିଛି ଉଲ୍ଲେଖ। ଅର୍ଥାତ୍ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା। କିନ୍ତୁ ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟରେ ଉଲ୍ଲେଖ ଅଛି ଏକ ଭିନ୍ନ କଥା। ଦ୍ବିତୀୟ ଗାଡ଼ି ଯାହା ଏକ ଧଳା ରଙ୍ଗର ଇନୋଭା କାର୍ ଥିଲା ଉକ୍ତ କାର୍ର ସମ୍ମୁଖ ପାର୍ଶ୍ବରେ ‘ଓଡ଼ିଶା ସରକାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ’ ବୋଲି ଉଲ୍ଲେଖ ରହିଥିଲା। ୨୦୨୩ ମସିହା ଫେବ୍ରୁଆରି ୨ ତାରିଖ ସକାଳ ୯ଟା ସମୟରେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ସମୟରେ ଏହି ଦ୍ବିତୀୟ ଗାଡ଼ିରେ ୫ଟି ଗନ୍ ସଟ୍ ହୋଲ୍ ଅର୍ଥାତ୍ ଗୁଳି ଦ୍ବାରା ହୋଇଥିବା କଣା ମିଳିଥିଲା। କାରର ବାମ ପାର୍ଶ୍ବରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳି ଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେସମ୍ପର୍କରେ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରିନି କ୍ରାଇମ୍ବ୍ରାଞ୍ଚ। ଗୋପାଳ ଦାସର ବନ୍ଧୁକରେ ଥିବା ସମସ୍ତ ଗୁଳିର ହିସାବ ମିଳୁଥିଲେ ହେଁ କେବଳ ନବ ଦାସଙ୍କ ଛାତିରେ ବାଜିଥିବା ଗୁଳିର ମିଳିପାରିନି ପତ୍ତା।ସେପଟେ, ପଛ କାର୍ରେ ଆଉ ୫ଟି ଗୁଳି ବାଜିଥିଲେ ହେଁ ମିଳିପାରିନି ଉକ୍ତ ଗୁଳି ଓ ଖୋକା । ଏଭଳି ସ୍ଥିତିରେ ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ରହିଛି ଅସ୍ପଷ୍ଟ ।
Jangyaseni Parida