ରାଜୀବ ଗାନ୍ଧି PM ହୁଅନ୍ତୁ ଚାହୁଁନଥିଲେ ସୋନିଆ, ନିଜ ବହିରେ କଲେ ବଡ଼ ଖୁଲାସା
କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧିଙ୍କ ବଡ଼ ବୟାନ । ସ୍ୱାମୀ ରାଜୀବ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ, ଏହା ସେ ଆଦୌ ଚାହୁଁନଥିଲେ । ନିଜର ଆଗାମୀ ସ୍ମୃତି ପୁସ୍ତକକୁ ନେଇ ଆଲୋଚନା ବେଳେ ଏଭଳି ଖୁଲାସା କରିଛନ୍ତି ସୋନିଆ ।
: କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧିଙ୍କ ବଡ଼ ବୟାନ । ସ୍ୱାମୀ ରାଜୀବ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ, ଏହା ସେ ଆଦୌ ଚାହୁଁନଥିଲେ । ନିଜର ଆଗାମୀ ସ୍ମୃତି ପୁସ୍ତକକୁ ନେଇ ଆଲୋଚନା ବେଳେ ଏଭଳି ଖୁଲାସା କରିଛନ୍ତି ସୋନିଆ । ତାଙ୍କ କହିବା ଅନୁସାରେ, ବହିରେ ସେ ନିଜ ଜୀବନର ଘଟଣା ଓ ଅନୁଭୂତିକୁ ନିଜ ଦୃଷ୍ଟିକୋଣରୁ ଉପସ୍ଥାପନ କରିଛନ୍ତି । ଏହି ବହି ପ୍ରକାଶ ପାଇବା ପରେ ଅନେକ ଲୋକଙ୍କ ମତ ବଦଳିପାରେ । ଏପରିକି ଏହାକୁ ନେଇ ବିବାଦ ଓ ଚର୍ଚ୍ଚା ମଧ୍ୟ ହୋଇପାରେ ବୋଲି କହିଛନ୍ତି ସୋନିଆ ।
ରାଜୀବ ଗାନ୍ଧି PM ହେବାକୁ ବିରୋଧ କରୁଥିଲେ ସୋନିଆ
ସୋନିଆ ଗାନ୍ଧି କହିଛନ୍ତି, ଯେତେବେଳେ ରାଜୀବ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ କୁହାଯାଇଥିଲା, ସେ ଏହି ନିଷ୍ପତ୍ତିର ସମ୍ପୂର୍ଣ୍ଣ ବିରୋଧରେ ଥିଲେ । ତାଙ୍କର ଏହି ବୟାନ ଗାନ୍ଧି ପରିବାରର ବ୍ୟକ୍ତିଗତ ଜୀବନ ଓ ରାଜନୈତିକ ଯାତ୍ରାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ଘଟଣା ଗାନ୍ଧି ପରିବାରର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା ।
ନିଜ ବହିକୁ ନେଇ କାହିଁକି କହିଲେ ‘ତମାଶା’?
ସୋନିଆ ଗାନ୍ଧିଙ୍କ ଆଗାମୀ ବହିର ନାଁ ହେଉଛି ‘Belonging: A Journey of Love’ । ଏଥିରେ ଇଟାଲୀରେ ତାଙ୍କ ପିଲାଦିନ, ରାଜୀବ ଗାନ୍ଧିଙ୍କ ସହ ପରିଚୟ, ବିବାହ ଏବଂ ଭାରତୀୟ ରାଜନୀତିରେ ତାଙ୍କର ଦୀର୍ଘ ଯାତ୍ରା ସମ୍ପର୍କରେ ଅନେକ ଅନୁଭୂତି ସ୍ଥାନ ପାଇଛି । ବହି ବିଷୟରେ କହିବା ବେଳେ ସୋନିଆ କହିଛନ୍ତି, କିଛି ଲୋକଙ୍କ ମତ ତାଙ୍କ ପ୍ରତି ବଦଳିପାରେ ଏବଂ କିଛି ଲୋକଙ୍କ ମତ ଆହୁରି ଖରାପ ହୋଇପାରେ । ସାର୍ବଜନୀନ ଜୀବନରେ ଥିବା ବ୍ୟକ୍ତିଙ୍କ ବିଷୟରେ ଲୋକଙ୍କ ଭିନ୍ନ ମତ ରହିବା ସ୍ୱାଭାବିକ ବୋଲି ସେ କହିଛନ୍ତି ।
୨୦୦୪ରେ ମଧ୍ୟ PM ପଦ ଗ୍ରହଣ କରିନଥିଲେ ସୋନିଆ
୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ UPA ବିଜୟୀ ହେବା ପରେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିନଥିଲେ । ତାଙ୍କ ବଦଳରେ ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ନିଷ୍ପତ୍ତି ସୋନିଆଙ୍କ ରାଜନୈତିକ ଜୀବନର ଏକ ଚର୍ଚ୍ଚିତ ଅଧ୍ୟାୟ । ଏବେ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ ହେବାକୁ ନେଇ ତାଙ୍କ ପୂର୍ବ ମତ ସାମ୍ନାକୁ ଆସିବା ପରେ କ୍ଷମତା ଓ ପରିବାରର ସମ୍ପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।
ବହିରେ ରହିଛି ଗାନ୍ଧି ପରିବାରର ଅନେକ ଦୁଃଖଦ ଅଧ୍ୟାୟ
ସୋନିଆଙ୍କ ସ୍ମୃତି ପୁସ୍ତକରେ ସଞ୍ଜୟ ଗାନ୍ଧିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ, ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଏବଂ ୧୯୯୧ରେ ରାଜୀବ ଗାନ୍ଧିଙ୍କ ହତ୍ୟା ଭଳି ଘଟଣା ସ୍ଥାନ ପାଇଛି । ଏହା ସହ କଂଗ୍ରେସ ଦଳର ନେତୃତ୍ୱ, ଦଳକୁ ପୁନର୍ଗଠନ କରିବାରେ ସୋନିଆଙ୍କ ଭୂମିକା ଏବଂ UPA ସରକାର ସମୟର ଅନୁଭୂତି ମଧ୍ୟ ଏହି ପୁସ୍ତକରେ ରହିଥିବା ରିପୋର୍ଟରେ କୁହାଯାଇଛି ।
କେବେ ପ୍ରକାଶ ପାଇବ ବହି?
ରିପୋର୍ଟ ଅନୁସାରେ, ‘Belonging: A Journey of Love’ ନଭେମ୍ବର ୧୦ରେ ପ୍ରକାଶ ପାଇବାକୁ ଯାଉଛି । ଅକ୍ଟୋବର ୨୨ରେ ସୋନିଆ ଗାନ୍ଧି ଇନ୍ଷ୍ଟାଗ୍ରାମ୍ ଓ Xରେ ନିଜର ଆକାଉଣ୍ଟ ଆରମ୍ଭ କରିବା ସହ ବହି ସମ୍ପର୍କିତ ଭିଡିଓ ମଧ୍ୟ ସେୟାର କରିଥିଲେ ।
What's Your Reaction?