ସତ୍ୟ ନିକେତନ ଟ୍ରାଜେଡି ପରେ ବଡ଼ ପଦକ୍ଷେପ! ଦିଲ୍ଲୀରେ PG ପାଇଁ ନୂଆ ନିୟମ

Sep 9, 2026 - 12:15
 0  1
ସତ୍ୟ ନିକେତନ ଟ୍ରାଜେଡି ପରେ ବଡ଼ ପଦକ୍ଷେପ! ଦିଲ୍ଲୀରେ PG ପାଇଁ ନୂଆ ନିୟମ

ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଭଡ଼ା ଓ ରହଣି ବ୍ୟବସ୍ଥାକୁ ନେଇ କଡ଼ା ନିୟମ ଆଣିବାକୁ ଯାଉଛନ୍ତି ଦିଲ୍ଲୀ ସରକାର। ସତ୍ୟ ନିକେତନରେ PG ଥିବା ଏକ କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ପରେ ଏବେ ରାଜଧାନୀରେ PG ବ୍ୟବସ୍ଥାକୁ ନେଇ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତାବ ରହିଛି ।  

ଦିଲ୍ଲୀରେ ଏଣିକି ମନଇଚ୍ଛା ଚାଲିବନି PG ବ୍ୟବସ୍ଥା। ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଭଡ଼ା ଓ ରହଣି ବ୍ୟବସ୍ଥାକୁ ନେଇ କଡ଼ା ନିୟମ ଆଣିବାକୁ ଯାଉଛନ୍ତି ଦିଲ୍ଲୀ ସରକାର। ସତ୍ୟ ନିକେତନରେ PG ଥିବା ଏକ କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ପରେ ଏବେ ରାଜଧାନୀରେ PG ବ୍ୟବସ୍ଥାକୁ ନେଇ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତାବ ରହିଛି । ପ୍ରସ୍ତାବିତ ‘Paying Guest Accommodation Regulation and Welfare Bill’ ଅନୁସାରେ ଦିଲ୍ଲୀର ପ୍ରତ୍ୟେକ PGକୁ ପଞ୍ଜୀକରଣ କରିବା ସହ ଅପରେଟିଂ ଲାଇସେନ୍ସ ନେବାକୁ ପଡ଼ିବ। ୯୦ ଦିନ ମଧ୍ୟରେ ଲାଇସେନ୍ସ ପାଇଁ ଆବେଦନ କରିବାକୁ ହେବ। ଏଥିପାଇଁ ପୋଲିସ, ମ୍ୟୁନିସିପାଲ୍ କର୍ପୋରେସନ୍ ଏବଂ ସ୍ଥାନୀୟ ପ୍ରଶାସନର NOC ଆବଶ୍ୟକ ହେବ। ପଞ୍ଜୀକୃତ ପ୍ରତ୍ୟେକ PGକୁ ଏକ ସ୍ୱତନ୍ତ୍ର Paying Guest Registration Number ବା PGRN ଦିଆଯିବ ।

କେବଳ ସୁରକ୍ଷା ନୁହେଁ, PG ଭଡ଼ାକୁ ନେଇ ମଧ୍ୟ ଆସିପାରେ ନୂଆ ନିୟମ। ଅନେକ ସମୟରେ ଛାତ୍ରଛାତ୍ରୀଙ୍କଠାରୁ ମନଇଚ୍ଛା ଭଡ଼ା ଓ ଅଧିକ ସିକ୍ୟୁରିଟି ଡିପୋଜିଟ୍ ନିଆଯାଉଥିବା ଅଭିଯୋଗ ରହିଛି। ଏହାକୁ ରୋକିବା ପାଇଁ Rent Regulation Committee ଗଠନର ପ୍ରସ୍ତାବ ରହିଛି। PG ମାଲିକ ତିନି ମାସରୁ ଅଧିକ ଭଡ଼ା ସିକ୍ୟୁରିଟି ଡିପୋଜିଟ୍ ଭାବେ ନେଇପାରିବେ ନାହିଁ। ସେହିପରି ତିନି ମାସରୁ ଅଧିକ ଅଗ୍ରିମ ଭଡ଼ା ମଧ୍ୟ ନିଆଯାଇପାରିବ ନାହିଁ ।

PGର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କରାଯିବ। ସମସ୍ତ ପ୍ରବେଶ ପଥ ଓ କମନ୍ ଏରିଆରେ CCTV ବାଧ୍ୟତାମୂଳକ ହେବ। CCTV ଫୁଟେଜ୍ ୩୦ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ପଡ଼ିବ। ୧୫ କିମ୍ବା ତା’ଠାରୁ ଅଧିକ ଛାତ୍ର ରହୁଥିବା PGରେ ରାତି ସମୟରେ ସିକ୍ୟୁରିଟି ଗାର୍ଡ ମୁତୟନ କରିବାକୁ ହେବ। ଭିଜିଟର୍ ରେଜିଷ୍ଟର ଏବଂ ୫୦୦ ମିଟର ମଧ୍ୟରେ ୱାର୍ଡେନ୍ ବ୍ୟବସ୍ଥା ମଧ୍ୟ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ GovPG ନାମରେ ଏକ ଡିଜିଟାଲ୍ ପୋର୍ଟାଲ୍ ଆଣିବାର ପ୍ରସ୍ତାବ ରହିଛି। ଏଠାରେ ଭେରିଫାଏଡ୍ PGର ଭଡ଼ା, ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ସୂଚନା ମିଳିବ। ଏପରିକି ଛାତ୍ରଛାତ୍ରୀ ଚାହିଲେ ଅଭିଯୋଗ ମଧ୍ୟ ଗୋପନୀୟ ଭାବେ କରିପାରିବେ।

ସତ୍ୟ ନିକେତନ PG ଦୁର୍ଘଟଣା ପରେ ଏହି ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇଛି। ଭୁଶୁଡ଼ିଥିବା ୫ ମହଲା କୋଠାରେ ଚାଲିଥିବା ମରାମତି କାମ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ୨୭ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେଥିରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୫ ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ PG ମାଲିକ ଓ ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପାଖପାଖି କୋଠାଗୁଡ଼ିକର ସୁରକ୍ଷା ଯାଞ୍ଚ ମଧ୍ୟ ହୋଇଛି। ଏବେ ନୂଆ ନିୟମ ଆସିଲେ ଦିଲ୍ଲୀର ଅନିୟନ୍ତ୍ରିତ PG ବ୍ୟବସ୍ଥାରେ ସ୍ୱଚ୍ଛତା, ସୁରକ୍ଷା ଓ ଦାୟିତ୍ୱବୋଧ ବଢ଼ିବ ବୋଲି ଆଶା କରାଯାଉଛି।

What's Your Reaction?

like

dislike

love

funny

angry

sad

wow