ଗଜପତିର ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ
ଗଜପତି ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତିର ଭରଣା ଏବଂ ରିଲିଫ ବଣ୍ଟନ ପ୍ରକ୍ରିୟାରେ ଦେଖାଦେଇଥିବା ସମସ୍ୟାର ସମାଧାନ ଦାବି ନେଇ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଭୁବନେଶ୍ୱରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରିଛନ୍ତି।
ଗଜପତି ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତିର ଭରଣା ଏବଂ ରିଲିଫ ବଣ୍ଟନ ପ୍ରକ୍ରିୟାରେ ଦେଖାଦେଇଥିବା ସମସ୍ୟାର ସମାଧାନ ଦାବି ନେଇ ପାରଳାଖେମୁଣ୍ଡି ବିଧାୟକରୂପେଶ ପାଣିଗ୍ରାହୀ ଭୁବନେଶ୍ୱରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶପୂଜାରୀ ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ ଜନସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଏହାର ତ୍ୱରିତ ସମାଧାନ ପାଇଁ ଦାବି ଉପସ୍ଥାପନ କରିଥିଲେ। ବିଶେଷକରି ଗୋଷାଣୀ ବ୍ଲକର ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ବର୍ଷା ଓ ବନ୍ୟା ସମୟରେ ବିପଦର ସମ୍ମୁଖୀନ ହେଉଛନ୍ତି। ତେଣୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରି ସୁରକ୍ଷିତ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବାକୁ ବିଧାୟକ ଦାବି ଜଣାଇଥିଲେ...
ସେହିପରି ମହେନ୍ଦ୍ରତନୟା ନଦୀରେ ଜଳପରିଚାଳନା ବ୍ୟବସ୍ଥାର ସୁଧାର ପାଇଁ ଆନିକଟ ନିର୍ମାଣ ସହ ନଦୀର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେବାକୁ ସେ ଦାବି କରିଥିଲେ। ଏହାଦ୍ୱାରା ନଦୀର ଜଳପ୍ରବାହକୁ ନିୟନ୍ତ୍ରଣ କରିବା ସହ ଜଳସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ ବୋଲି ସେ ମତ ରଖିଥିଲେ। ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ ମଧ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ରିଲିଫ ସହାୟତାରୁ ଅନେକ ଲୋକ ବଞ୍ଚିତ ହୋଇଥିବା ସମସ୍ୟାକୁ ବିଧାୟକ ଉଠାଇଥିଲେ। ସମସ୍ତ ପରିବାରଙ୍କୁ ଘୋଷିତ ଚାଉଳ ଓ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ସହ ରିଲିଫ ବଣ୍ଟନରେ ରହିଥିବା ତ୍ରୁଟି ଦୂର କରିବାକୁ ସେ ଦାବି କରିଥିଲେ।
ସମସ୍ୟାର ସ୍ଥାୟୀ ସମାଧାନ ପ୍ରସଙ୍ଗ ମଧ୍ୟ ଉଠିଥିଲା
ଏହି ଆଲୋଚନା ସମୟରେ ଗଜପତି ଓ କନ୍ଧମାଳ ଜିଲ୍ଲାରେ ଚିହ୍ନଟ ହୋଇଥିବା ଭୂସ୍ଖଳନ ପ୍ରବଣ ଅଞ୍ଚଳ ଏବଂ ସମ୍ଭାବ୍ୟ ଭୂସ୍ଖଳନ ସ୍ଥଳରେ ଦେଖାଦେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ପ୍ରସଙ୍ଗ ମଧ୍ୟ ଉଠିଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଥିଲେ। ଏହାସହ ଭୂସ୍ଖଳନ ସମସ୍ୟାର ବୈଜ୍ଞାନିକ ଅନୁଧ୍ୟାନ ଓ ସ୍ଥାୟୀ ପ୍ରତିକାର ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଖୁବ୍ଶୀଘ୍ର ଏହି କମିଟିର ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଜଣାଇଥିବା ବିଧାୟକ ସୂଚନା ଦେଇଛନ୍ତି।
What's Your Reaction?