ଦୁଇ ନାବାଳିକା ଭଉଣୀଙ୍କ ନ୍ୟାୟ ନିବେଦନ ଭିଡିଓ ଭାଇରାଲ୍, ସ୍ପଷ୍ଟୀକରଣ ରଖିଲା ବ୍ରହ୍ମପୁର ପୁଲିସ
ଦୁଇ ନାବାଳିକା ଭଉଣୀଙ୍କ ନ୍ୟାୟ ନିବେଦନ ସଂକ୍ରାନ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବ୍ରହ୍ମପୁର ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ଦୁଇ ନାବାଳିକାଭଉଣୀଙ୍କ ନ୍ୟାୟ ନିବେଦନ ସଂକ୍ରାନ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବ୍ରହ୍ମପୁର ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପରିବାର ମଧ୍ୟରେ ଦୁଇ ନାବାଳିକା ଭଉଣୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଗତ ଅଗଷ୍ଟ ୨୬ ତାରିଖରେ ଗୋସାଣିନୂଆଗାଁ ଥାନାରେ ବିଏନ୍ଏସ୍ ଓ ପୋକ୍ସୋ ଆଇନ ଅନୁଯାୟୀ ୩୨୧/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଦୁଇ ପୀଡ଼ିତାଙ୍କ ବୟାନ ବିଏନ୍ଏସ୍ଏସ୍ର ଧାରା ୧୮୦ ଅନୁଯାୟୀ ଅଡିଓ-ଭିଜୁଆଲ୍ ମାଧ୍ୟମରେ ଏବଂ ଧାରା ୧୮୩ ଅନୁଯାୟୀ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ରେକର୍ଡ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ହାଜର କରାଯିବା ପରେ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଏହାସହ ପୀଡ଼ିତାଙ୍କ ସୁରକ୍ଷା ଓ ଥଇଥାନ ପାଇଁ ଶିଶୁ ମଙ୍ଗଳ କମିଟି ସହ ସମନ୍ୱୟ ରକ୍ଷା କରାଯାଇଥିଲା। ଡିଏଫ୍ଏସ୍ଏଲ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ସଂଗୃହୀତ ନମୁନାଗୁଡ଼ିକୁ ପରୀକ୍ଷା ପାଇଁ ଆର୍ଏଫ୍ଏସ୍ଏଲ୍କୁ ପଠାଯାଇଥିଲା। ଡାକ୍ତରୀ ରିପୋର୍ଟ ସଂଗ୍ରହ ସହ ପୀଡ଼ିତାଙ୍କ କ୍ଷତିପୂରଣ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ନିକଟରେ ଆବେଦନ କରାଯାଇଥିଲା। ତଦନ୍ତ ଶେଷ କରି ଗତ ଅକ୍ଟୋବର ୨୧ ତାରିଖରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ୩୨୨ ନମ୍ବର ଚାର୍ଜସିଟ୍ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଦାଖଲ କରାଯାଇଥିବା ପୋଲିସ ସୂଚନା ଦେଇଛି।
ଖୁବ୍ଶୀଘ୍ର ତଦନ୍ତ ଶେଷ ହେବ
ଅନ୍ୟପକ୍ଷରେ, ପୋକ୍ସୋ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇବା ଉଦ୍ଦେଶ୍ୟରେ ପରିବାରର କିଛି ସଦସ୍ୟ ଦୁଇ ନାବାଳିକାଙ୍କୁ ଧମକ ଦେବା, ମାଡ଼ ମାରିବା ଓ ଜୋରଜବରଦସ୍ତ ଘରେ ଅଟକ ରଖିବାକୁ ଉଦ୍ୟମ କରିଥିବା ନେଇ ଗତ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟାରେ ଆଉ ଏକ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଗୋସାଣିନୂଆଗାଁ ଥାନାରେ ୪୦୪/୨୦୨୬ ନମ୍ବରରେ ବିଏନ୍ଏସ୍ର ଧାରା ୨୯୬, ୧୧୫(୨), ୭୪, ୨୩୨ ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ତଦନ୍ତରେ ରେକର୍ଡ ହୋଇଥିବା ବୟାନ ଆଧାରରେ ତିନିଜଣ ଅଭିଯୁକ୍ତଙ୍କୁ ବିଏନ୍ଏସ୍ଏସ୍ର ଧାରା ୩୫(୩) ଅନୁଯାୟୀ ନୋଟିସ୍ ଜାରି କରାଯାଇଛି। ଏହି ମାମଲାର ତଦନ୍ତ ତଦାରଖ ଦାୟିତ୍ୱ ଟାଉନ୍ ଏସ୍ଡିପିଓଙ୍କୁ ଦିଆଯାଇଥିବା ବେଳେ ଖୁବ୍ଶୀଘ୍ର ତଦନ୍ତ ଶେଷ ହେବ ବୋଲି ପୁଲିସ କହିଛି।
ତେବେ ଗତ ନଭେମ୍ବର ୯ ତାରିଖରେ ଅଭିଯୁକ୍ତଙ୍କୁ ଅଦାଲତରୁ ମିଳିଥିବା ଜାମିନକୁ ନେଇ ଦୁଇ ନାବାଳିକା ଭଉଣୀ ଅସନ୍ତୋଷ ପ୍ରକାଶ କରିବା ସହ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି। ଏପରିକି ସେମାନେ ଗଭୀର ମାନସିକ ଯନ୍ତ୍ରଣାରେ ଥିବା ମଧ୍ୟ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଅନୁସନ୍ଧାନ ଜାରି ରହିଥିବା ବେଳେ ପୀଡ଼ିତାଙ୍କ ସୁରକ୍ଷା, ମାନସିକ ପରାମର୍ଶ ଓ ଆଇନଗତ ସହାୟତା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ପୁଲିସ ସ୍ପଷ୍ଟ କରିଛି। ନାବାଳିକା ପୀଡ଼ିତାଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବାକୁ ବ୍ରହ୍ମପୁର ପୁଲିସ ପ୍ରତିବଦ୍ଧ ରହିଛି। ପୀଡ଼ିତା କିମ୍ବା ସାକ୍ଷୀଙ୍କୁ ଧମକ ଦେବା, ଭୟଭୀତ କରିବା ଅଥବା ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଇବା ଭଳି କୌଣସି ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ ଏବଂ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ପୁଲିସ ଚେତାବନୀ ଦେଇଛି।
What's Your Reaction?