ବାୟୁ ପ୍ରଦୂଷଣ : ସଙ୍ଗୀନ ଶ୍ରେଣୀରେ ରାଜଧାନୀ

Nov 5, 2026 - 12:43

ସ୍ଥାନୀୟ ବାୟୁ ପ୍ରଦୂଷଣ, ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ି ଏବଂ ପ୍ରତିକୂଳ ପାଣିପାଗ ଯୋଗୁଁ ବାୟୁର ଗତି ହ୍ରାସ ପାଇବା ଏହି ସ୍ଥିତିର ମୁଖ୍ୟ କାରଣ। ଆଇଆଇଟିଏମ୍ ର ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ପିଏମ୍୨.୫ ପ୍ରଦୂଷଣରେ ନଡ଼ା ପୋଡ଼ିର ଭାଗ ୧୬.୨୮ ପ୍ରତିଶତ ଥିବା ବେଳେ ଗାଡ଼ିମୋଟରରୁ ନିର୍ଗତ ଧୂଆଁର ଭାଗ ୧୮.୧୭ ପ୍ରତିଶତ ରହିଛି। 

ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଗୁରୁବାର ସକାଳ ୮:୦୧ ମିନିଟରେ ସମଗ୍ର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୮୨ ରେକର୍ଡ କରାଯାଇଛି, ଯାହାକି ଏହାକୁ ସଙ୍ଗୀନ ଶ୍ରେଣୀରେ ସାମିଲ କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର ତଥ୍ୟ ଅନୁଯାୟୀ, ସହରର ୭ଟି ପ୍ରମୁଖ ମନିଟରିଂ ଷ୍ଟେସନରେ ‘ଏକ୍ୟୁଆଇ’ ୪୦୦ରୁ ଉପରେ ରହିଛି। ପଞ୍ଜାବୀ ବାଗରେ ସବୁଠାରୁ ଅଧିକ ୪୪୬ ‘ଏକ୍ୟୁଆଇ’ ରେକର୍ଡ କରାଯାଇଥିବା ବେଳେ ନରେଲା (୪୩୪), ରୋହିଣୀ (୪୩୧), ଆର.କେ. ପୁରମ୍ (୪୧୬), ବାୱାନା (୪୧୨), ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଉତ୍ତର କ୍ୟାମ୍ପସ (୪୦୮) ଏବଂ ପଟପଡ଼ଗଞ୍ଜ (୪୦୫) ରେ ବାୟୁ ସଙ୍ଗୀନ ସ୍ଥିତିରେ ରହିଛି। ସେହିପରି ଓଖଲା, ଇଣ୍ଡିଆ ଗେଟ୍, ଆଇଟିଓ, ଦ୍ୱାରକା, ଚାନ୍ଦନୀ ଚୌକ୍ ଏବଂ ବସୁନ୍ଧରା ଏନ୍କ୍ଲେଭ୍ରେ ବାୟୁ ''ଅତି ଖରାପ'' ଶ୍ରେଣୀରେ ରହିଛି। ଗତ ୨୮୮ ଦିନ ମଧ୍ୟରେ ବୁଧବାର ଦିଲ୍ଲୀର ହାରାହାରି ‘ଏକ୍ୟୁଆଇ’ ୩୭୭ ଥିଲା, ଯାହା ଗତ ଜାନୁଆରୀ ୨୦ ପରଠାରୁ ସବୁଠାରୁ ଖରାପ ରେକର୍ଡ।

ସ୍ଥାନୀୟ ବାୟୁ ପ୍ରଦୂଷଣ, ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ି ଏବଂ ପ୍ରତିକୂଳ ପାଣିପାଗ ଯୋଗୁଁ ବାୟୁର ଗତି ହ୍ରାସ ପାଇବା ଏହି ସ୍ଥିତିର ମୁଖ୍ୟ କାରଣ। ଆଇଆଇଟିଏମ୍ ର ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ପିଏମ୍୨.୫ ପ୍ରଦୂଷଣରେ ନଡ଼ା ପୋଡ଼ିର ଭାଗ ୧୬.୨୮ ପ୍ରତିଶତ ଥିବା ବେଳେ ଗାଡ଼ିମୋଟରରୁ ନିର୍ଗତ ଧୂଆଁର ଭାଗ ୧୮.୧୭ ପ୍ରତିଶତ ରହିଛି। ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ି ଘଟଣା ସାମ୍ନାକୁ ଆସିବା ପରେ କମିଶନ୍ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍) ପଞ୍ଜାବର ୫ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସମ୍ଭାବ୍ୟ ଦୀପାବଳି ପୂର୍ବରୁ ଆଗାମୀ ନଭେମ୍ବର ୬ ଏବଂ ୭ ତାରିଖରେ ସ୍ଥିତି ଆହୁରି ଜଟିଳ ହେବା ନେଇ ସୂଚନା ଦିଆଯାଇଛି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଦିଲ୍ଲୀ-ଏନସିଆର୍ ରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (ଜିଆରଏପି) ର ଦ୍ୱିତୀୟ ପର୍ୟ୍ୟାୟ କାର୍ୟ୍ୟକାରୀ କରାଯାଇଛି। ଏହା ଅଧୀନରେ ରାସ୍ତା ସଫେଇ, ଜଳ ସିଞ୍ଚନ, ନିର୍ମାଣ କାର୍ୟ୍ୟ ଉପରେ କଡ଼ା ନଜର ଏବଂ ଧୂଳି ନିୟନ୍ତ୍ରଣ ପଦକ୍ଷେପକୁ ଜୋରଦାର କରାଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ସରକାରୀ ସଂସ୍ଥାଗୁଡ଼ିକ ପାଣିପାଗ ଓ ବାୟୁର ଗତିବିଧି ଉପରେ କ୍ରମାଗତ ନଜର ରଖିଛନ୍ତି ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। 

What's Your Reaction?

like

dislike

love

funny

angry

sad

wow