ଟିଏମସି ଅଫିସ୍‌ରେ ଭଙ୍ଗାରୁଜା, ବିଜେପି ଉପରେ ଅଭିଷେକଙ୍କ ଗମ୍ଭୀର ଅଭିଯୋଗ

Sep 3, 2026 - 12:47
 0  0
ଟିଏମସି ଅଫିସ୍‌ରେ ଭଙ୍ଗାରୁଜା, ବିଜେପି ଉପରେ ଅଭିଷେକଙ୍କ ଗମ୍ଭୀର ଅଭିଯୋଗ

ପଶ୍ଚିମବଙ୍ଗରେ ପୁଣି ତେଜିଲା ରାଜନୈତିକ ତାତି । କୋଲକାତାର କାମାକ୍ ଷ୍ଟ୍ରିଟ୍‌ରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ଓ ଦଳୀୟ କର୍ମୀଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ସରଗରମ ହୋଇଛି ରାଜନୀତି । ଘଟଣା ପଛରେ ବିଜେପି କର୍ମୀଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ।  ଅଭିଷେକଙ୍କ ଅଭିଯୋଗ, ଗୁରୁବାର ଭୋର୍ ପ୍ରାୟ ସାଢ଼େ ୪ଟାରେ ବହୁ ସଂଖ୍ୟକ ଲୋକ ଟିଏମସି କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ। କର୍ମୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଫୋନ୍ ଛଡ଼ାଇ ନିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଅଫିସ୍‌ର ଫର୍ଣ୍ଣିଚର ଭଙ୍ଗାଯାଇଛି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନଷ୍ଟ କରାଯାଇଛି। ଆଉ ଏହି ପୂରା ଘଟଣା ପାଇଁ ବିଜେପିକୁ କାଠଗଡ଼ାକୁ ଟାଣିଛନ୍ତି ଅଭିଷେକ । 

କିନ୍ତୁ ଏଠି ପୁଲିସର ଭୂମିକାକୁ ନେଇ ମଧ୍ୟ ଉଠାଇଛନ୍ତି ବଡ଼ ପ୍ରଶ୍ନ।

ଅଭିଷେକଙ୍କ ଦାବି, ବାରମ୍ବାର ଫୋନ୍ ଏବଂ ଇମେଲ୍ କରାଯିବା ସତ୍ତ୍ୱେ ପ୍ରାୟ ଦୁଇ ଘଣ୍ଟା ଧରି ପୁଲିସ ପକ୍ଷରୁ କୌଣସି ତତ୍କାଳ ପଦକ୍ଷେପ ନିଆଯାଇନଥିଲା । ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଅଭିଷେକ ପ୍ରଶ୍ନ କରିଛନ୍ତି ଯଦି ଭୋର୍ ସମୟରେ ଲୋକେ ଅସ୍ତ୍ରଶସ୍ତ୍ର ଧରି ଏକ ରାଜନୈତିକ ଦଳର କାର୍ଯ୍ୟାଳୟରେ ପଶିପାରିବେ, ଆକ୍ରମଣ ଓ ଭଙ୍ଗାରୁଜା କରିପାରିବେ, ତେବେ ରାଜ୍ୟରେ ଆଇନର ଶାସନ କେଉଁଠି?

ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ପୂରା ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ଅଭିଷେକ। ଆକ୍ରମଣ ପଛରେ କିଏ ଥିଲା, କାହା ନିର୍ଦ୍ଦେଶରେ ଏସବୁ ହେଲା ଏବଂ ଖବର ପାଇବା ପରେ ମଧ୍ୟ ପୁଲିସ କାହିଁକି ତତ୍କାଳ ପଦକ୍ଷେପ ନେଲାନି ଏସବୁର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । ଏହାସହ ରାଜ୍ୟପାଳ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଏହି ଘଟଣାରେ କ’ଣ ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଅଭିଷେକ । ଏପରିକି ଘଟଣାକୁ ‘ରାଜନୈତିକ ଗୁଣ୍ଡାଗିରି’ ବୋଲି କହି ଆକ୍ରମଣରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଟିଏମସି ସାଂସଦ ।

What's Your Reaction?

like

dislike

love

funny

angry

sad

wow