ନଭେମ୍ବର ୧ରୁ ବଡ଼ ପରିବର୍ତ୍ତନ: ବଦଳିବ ୫ ନିୟମ,ସିଧା ପକେଟ୍‌ରେ ପଡ଼ିବ ପ୍ରଭାବ

Oct 28, 2026 - 14:43
ନଭେମ୍ବର ୧ରୁ ବଡ଼ ପରିବର୍ତ୍ତନ: ବଦଳିବ ୫ ନିୟମ,ସିଧା ପକେଟ୍‌ରେ ପଡ଼ିବ ପ୍ରଭାବ

ରୋଷେଇ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି ଜିଏସଟି, ମୋବାଇଲ୍ କଲ୍, ରାଜପଥରେ ଯାତାୟାତ ଏବଂ ମଦ କିଣିବା ପାଇଁ ପେମେଣ୍ଟ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ନୂଆ ବ୍ୟବସ୍ଥା ଦେଖିବାକୁ ମିଳିବ । 

ଅକ୍ଟୋବର ମାସ ଶେଷ ହେବାକୁ ଯାଉଛି , ଆଉ ମାତ୍ର କିଛି ଦିନ ପରେ ଆରମ୍ଭ ହେବ ନଭେମ୍ବର । ନୂଆ ମାସ ଆରମ୍ଭ ସହ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ରୋଷେଇ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି ଜିଏସଟି, ମୋବାଇଲ୍ କଲ୍, ରାଜପଥରେ ଯାତାୟାତ ଏବଂ ମଦ କିଣିବା ପାଇଁ ପେମେଣ୍ଟ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ନୂଆ ବ୍ୟବସ୍ଥା ଦେଖିବାକୁ ମିଳିବ । କିଛି ନିୟମ ସିଧାସଳଖ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାକୁ ଥିବା ବେଳେ ଆଉ କିଛି ବ୍ୟବସାୟୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଏଲପିଜି ସିଲିଣ୍ଡର ଦର
ପ୍ରତି ମାସର ପ୍ରଥମ ତାରିଖରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ଦର ସମୀକ୍ଷା କରିଥାନ୍ତି । ଅକ୍ଟୋବର ୧ରେ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ଦର ବିଭିନ୍ନ ସହରରେ ବୃଦ୍ଧି ପାଇଥିଲା । ଦିଲ୍ଲୀରେ ଦର ୬୨ ଟଙ୍କା ୫୦ ପଇସା ବଢ଼ିଥିଲା । ତେବେ ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିଲା । ନଭେମ୍ବର ୧ରେ ପୁଣି ଦର ବଦଳିପାରେ। ବିମାନ ଇନ୍ଧନ ଦରରେ ମଧ୍ୟ ପରିବର୍ତ୍ତନ ସମ୍ଭାବନା ରହିଛି । 

ଜିଏସଟି ନିୟମ
ଜିଏସଟି ବ୍ୟବସ୍ଥାକୁ ସରଳ କରିବା ପାଇଁ ସରକାର ଅନେକ ସଂସ୍କାର ଉପରେ କାମ କରୁଛନ୍ତି । ଟିକସ ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ କାଗଜପତ୍ର ବୋଝ କମାଇବାକୁ ପ୍ରସ୍ତାବ ରହିଛି । ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କେତେକ ଛୋଟ ବ୍ୟବସାୟୀଙ୍କ ପାଇଁ ଇଚ୍ଛାଧୀନ ସରଳ ବ୍ୟବସ୍ଥାକୁ ମଧ୍ୟ ଜିଏସଟି ପରିଷଦ ନୀତିଗତ ସମ୍ମତି ଦେଇଛି । ତେବେ ସମସ୍ତ ପ୍ରସ୍ତାବ ନଭେମ୍ବର ୧ରୁ ଲାଗୁ ହେବ ବୋଲି ସ୍ପଷ୍ଟ ହୋଇନାହିଁ । 

ମଦ କିଣିବାକୁ ଡିଜିଟାଲ୍ ପେମେଣ୍ଟ
ତାମିଲନାଡୁରେ ନଭେମ୍ବର ୧ରୁ ୧ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମଦ କିଣିଲେ ଡିଜିଟାଲ୍ ପେମେଣ୍ଟ ବାଧ୍ୟତାମୂଳକ ହେବ । ରାଜ୍ୟର ଟାସମାକ୍ ଦୋକାନରେ ୟୁପିଆଇ, ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଟଙ୍କା ଦେବାକୁ ପଡ଼ିବ। ଅଧିକ ଦାମ୍ ଆଦାୟ ରୋକିବା ଏବଂ କାରବାରରେ ସ୍ୱଚ୍ଛତା ଆଣିବା ଏହାର ଉଦ୍ଦେଶ୍ୟ । 

ରାଜପଥରେ ଗାଡ଼ି ଚଳାଚଳ ନିୟମ
ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ନୂଆ କନେକ୍ଟିଂ ଲିଙ୍କରେ ନଭେମ୍ବର ୧ରୁ ସମସ୍ତ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ଲାଗିବ । ଏଥିରେ ପିକଅପ୍ ଭ୍ୟାନ୍ ଓ ଛୋଟ ବାଣିଜ୍ୟିକ ଗାଡ଼ି ମଧ୍ୟ ସାମିଲ ରହିଛି । ତେବେ ବ୍ୟକ୍ତିଗତ କାର୍ ଏବଂ ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ । 

ମୋବାଇଲ୍ ସ୍କ୍ରିନରେ ଦେଖାଯିବ କଲରଙ୍କ ନାଁ
ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଆସୁଛି ବଡ଼ ପରିବର୍ତ୍ତନ । ଦୂରସଞ୍ଚାର ବିଭାଗ ନଭେମ୍ବର ୧ରୁ ୪ଜି ଓ ୫ଜି ନେଟୱର୍କରେ କଲିଂ ନେମ୍ ପ୍ରେଜେଣ୍ଟେସନ୍ ବା ସିଏନଏପି ସେବା ଆରମ୍ଭ କରିବାକୁ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି। ଫଳରେ ଅଜଣା ନମ୍ବରରୁ କଲ୍ ଆସିଲେ ମଧ୍ୟ ନେଟୱର୍କରେ ପଞ୍ଜୀକୃତ ନାଁ ଦେଖାଯିବ । ଏହା ଫୋନ୍ ବ୍ୟବହାରକାରୀଙ୍କୁ କଲରଙ୍କ ପରିଚୟ ଜାଣିବାରେ ସହାୟକ ହେବ । 

What's Your Reaction?

like

dislike

love

funny

angry

sad

wow