ବ୍ୟାଟେରି ବର୍ଜ୍ୟବସ୍ତୁ ରପ୍ତାନି ନିଷିଦ୍ଧ
ଦେଶରେ ବ୍ୟାଟେରି ପୁନଃଚକ୍ରଣ ଶିଳ୍ପକୁ ଅଧିକ ସୁଦୃଢ଼ କରିବା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦର ସଂରକ୍ଷଣ ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବହାର ଅନୁପଯୋଗୀ ହୋଇଯାଇଥିବା କିଛି ପ୍ରକାର ବ୍ୟାଟେରିର ଅବର୍ଜନା ଓ ସ୍କ୍ରାପ୍ ରପ୍ତାନି ଉପରେ ସରକାର...
ଦେଶରେ ବ୍ୟାଟେରି ପୁନଃଚକ୍ରଣ ଶିଳ୍ପକୁ ଅଧିକ ସୁଦୃଢ଼ କରିବା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦର ସଂରକ୍ଷଣ ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବହାର ଅନୁପଯୋଗୀ ହୋଇଯାଇଥିବା କିଛି ପ୍ରକାର ବ୍ୟାଟେରିର ଅବର୍ଜନା ଓ ସ୍କ୍ରାପ୍ ରପ୍ତାନି ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି। ଏଥିରେ ଲିଥିୟମ୍-ଆୟନ ବ୍ୟାଟେରିରୁ ମିଳୁଥିବା ବ୍ଲାକ୍ ମାସ୍ ସାମିଲ ରହିଛି। ତୁରନ୍ତ ଏହି ନିଷ୍ପତ୍ତି ଲାଗୁ ହୋଇଛି। ପୁରୁଣା ଲିଥିୟମ୍-ଆୟନ ବ୍ୟାଟେରିକୁ ଭାଙ୍ଗି ଓ ଗୁଣ୍ଡ କରିବା ପରେ ଯେଉଁ କଳା ରଙ୍ଗର ଗୁଣ୍ଡ ମିଳେ ତାହାକୁ ବ୍ଲାକ୍ ମାସ୍ କୁହାଯାଏ। ଏଥିରେ ଲିଥିୟମ୍, କୋବାଲ୍ଟ ଓ ନିକେଲ୍ ଭଳି ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି। ଏହି ଖଣିଜଗୁଡ଼ିକୁ ପୁନରୁଦ୍ଧାର କରି ନୂଆ ବ୍ୟାଟେରି ତିଆରିରେ ବ୍ୟବହାର କରାଯିବ।
ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିଛି। ଏହା ଅନୁଯାୟୀ, ପ୍ରାଥମିକ ସେଲ୍, ବ୍ୟାଟେରି ଓ ଇଲେକ୍ଟ୍ରିକ୍ ଆକ୍ୟୁମୁଲେଟରର ବ୍ୟବହୃତ ଅବର୍ଜନା ଓ ସ୍କ୍ରାପ୍ ରପ୍ତାନି ନୀତିରେ ପରିବର୍ତ୍ତନ କରାଯାଇଛି। ଏହି ବର୍ଜ୍ୟବସ୍ତୁରେ ସୀସା, କ୍ୟାଡ୍ମିୟମ୍ ଓ ମର୍କ୍ୟୁରି ନଥିବା ସର୍ତ୍ତରେ ଏହାକୁ ରପ୍ତାନି କରିବା ପାଇଁ ପୂର୍ବରୁ ଅନୁମତି ଥିଲା। ଏବେ ଏହାକୁ ନିଷିଦ୍ଧ ବର୍ଗକୁ ପରିବର୍ତ୍ତନ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
ଖଣିଜ ପଦାର୍ଥର ଗୁରୁତ୍ୱ ବଢ଼ିଛି
ଇଲେକ୍ଟ୍ରିକ୍ ଯାନ (ଇଭି), ସ୍ମାର୍ଟଫୋନ୍ ଓ ଶକ୍ତି ସଂରକ୍ଷଣ ବ୍ୟବସ୍ଥାରେ ଲିଥିୟମ୍-ଆୟନ ବ୍ୟାଟେରି ବ୍ୟବହାର ହୋଇଥାଏ। ଏହି ବ୍ୟାଟେରିଗୁଡ଼ିକର ଚାହିଦା ବଢ଼ିବା ସହ ଏଥିରୁ ମିଳୁଥିବା ଖଣିଜ ପଦାର୍ଥର ଗୁରୁତ୍ୱ ମଧ୍ୟ ବଢ଼ିଛି। ତେଣୁ ପୁରୁଣା ବ୍ୟାଟେରିରୁ ମୂଲ୍ୟବାନ ଖଣିଜ ପଦାର୍ଥ ବାହାର କରିବା ଭାରତ ପାଇଁ ଏକ ବଡ଼ ଶିଳ୍ପ ସୁଯୋଗ ଭାବେ ଦେଖାଦେଇଛି। ଭାରତରେ ବର୍ତ୍ତମାନ ବ୍ଲାକ୍ ମାସ୍ରୁ ଲିଥିୟମ୍, କୋବାଲ୍ଟ ଓ ନିକେଲ୍ ଭଳି ଖଣିଜ ପଦାର୍ଥ ବାହାର କରିବାର କ୍ଷମତା ସୀମିତ ରହିଛି। ଫଳରେ କିଛି ପରିମାଣର ବ୍ୟାଟେରି ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଖଣିଜ ପଦାର୍ଥ ପୁନରୁଦ୍ଧାର ନକରି ବିଦେଶକୁ ରପ୍ତାନି କରାଯାଉଥିଲା। ଏହାଦ୍ୱାରା ଦେଶ ନିଜର ମୂଲ୍ୟବାନ ସମ୍ପଦ ହରାଉଥିବା ସରକାର ଅନୁଭବ କରିଛନ୍ତି। ଏହି କଟକଣା ଦ୍ୱାରା ଦେଶ ମଧ୍ୟରେ ବ୍ୟାଟେରି ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ଓ ଖଣିଜ ପୁନରୁଦ୍ଧାର ଶିଳ୍ପର ବିକାଶ ହେବ ବୋଲି ଆଶା କରାଯାଉଛି। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର ସେପ୍ଟେମ୍ବରରେ ୧,୫୦୦ କୋଟି ଟଙ୍କାର ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଥିଲେ।
What's Your Reaction?