ମିଳୁନି ପ୍ରିୟଜନଙ୍କ ମୃତଦେହ , କୁଶପୁତ୍ତଳିକା ଜାଳି ହେଉଛି ଅନ୍ତିମ ସଂସ୍କାର
ନେପାଳ ମହାପ୍ରଳୟକୁ ବିତିଗଲାଣି ଗୋଟିଏ ସପ୍ତାହ । କିନ୍ତୁ କମୁନି କଷ୍ଟ, ସରୁନି ଅପେକ୍ଷା। କିଏ ଆଜି ବି ନିଖୋଜ ପୁଅର ଫେରିବା ବାଟକୁ ଚାହିଁ ବସିଛି, ତ ଆଉ କିଏ ପ୍ରିୟଜନଙ୍କ ମୃତଦେହ ଟିକିଏ ପାଇବାକୁ ଅପେକ୍ଷା କରିଛି ।
ନେପାଳ ମହାପ୍ରଳୟକୁ ବିତିଗଲାଣି ଗୋଟିଏ ସପ୍ତାହ । କିନ୍ତୁ କମୁନି କଷ୍ଟ, ସରୁନି ଅପେକ୍ଷା । କିଏ ଆଜି ବି ନିଖୋଜ ପୁଅର ଫେରିବା ବାଟକୁ ଚାହିଁ ବସିଛି, ତ ଆଉ କିଏ ପ୍ରିୟଜନଙ୍କ ମୃତଦେହ ଟିକିଏ ପାଇବାକୁ ଅପେକ୍ଷା କରିଛି । ହେଲେ ଅନେକ ପରିବାରର ଆଶା ଏବେ ଭାଙ୍ଗିବାରେ ଲାଗିଛି । ପ୍ରିୟଜନ ଫେରିବେନି, ମୃତଦେହ ବି ମିଳିବନି ଏହି କଠୋର ସତ୍ୟକୁ ମାନି ନେଇ ଆରମ୍ଭ ହୋଇଛି ପ୍ରତୀକାତ୍ମକ ଅନ୍ତିମ ସଂସ୍କାର ।
ନଡ଼ାରେ ତିଆରି ହେଉଛି ନିଖୋଜ ପ୍ରିୟଜନଙ୍କ କୁଶପୁତ୍ତଳିକା । ଆଉ ହିନ୍ଦୁ ରୀତିନୀତି ଅନୁସାରେ ସେହି କୁଶପୁତ୍ତଳିକାକୁ ଦାହ କରି ପରିବାର ଲୋକେ କରୁଛନ୍ତି ଶେଷକୃତ୍ୟ । ଆଖିରେ ଲୁହ, ମନରେ ଅସହ୍ୟ କୋହ। ପରିବାର ଲୋକଙ୍କ କହିବା କଥା ନିଖୋଜ ପ୍ରିୟଜନଙ୍କ ଆତ୍ମାର ମୁକ୍ତି ପାଇଁ ସେମାନଙ୍କୁ ଏହି ପ୍ରତୀକାତ୍ମକ ଅନ୍ତିମ ସଂସ୍କାର କରିବାକୁ ପଡ଼ୁଛି ।
ଅନ୍ୟପଟେ ନିଖୋଜଙ୍କ ସନ୍ଧାନ ପାଇଁ ଜାରି ରହିଛି ଉଦ୍ୟମ। କାଠମାଣ୍ଡୁରେ ଶହ ଶହ ଲୋକ ଡିଏନଏ ନମୁନା ଦେଉଛନ୍ତି । ଉଦ୍ଦେଶ୍ୟ ଗୋଟିଏ ମିଳୁଥିବା ଅଚିହ୍ନା ମୃତଦେହ ମଧ୍ୟରେ ନିଜ ପରିବାରର କେହି ଅଛନ୍ତି କି ନାହିଁ, ତାହା ଜାଣିବା । ସ୍ଥିତି ଏତେ ଭୟଙ୍କର ଯେ, ଶହ ଶହ ମୃତଦେହ ମିଳିବା ପରେ ଶବ ସଂରକ୍ଷଣ କେନ୍ଦ୍ରରେ ମଧ୍ୟ ସ୍ଥାନ ଅଭାବ ଦେଖାଦେଇଛି ।
ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁସଂଖ୍ୟା ୧,୨୦୪ରେ ପହଞ୍ଚିଥିବାବେଳେ ୪ ହଜାର ୨୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ସେହିପରି ୩୯ଟି ଦେଶର ୫୯୦ ବିଦେଶୀ ନାଗରିକଙ୍କ ପତ୍ତା ମିଳୁନଥିବା କୁହାଯାଇଛି। ନେପାଳରେ ବନ୍ୟାର ପାଣି ହୁଏତ କମିଯାଇଛି, କିନ୍ତୁ ହଜାର ହଜାର ପରିବାର ଆଖିର ଲୁହ ଏବେ ବି ଶୁଖିନି। କାହା ପାଇଁ ଅପେକ୍ଷା ଜାରି ରହିଛି, ଆଉ କିଏ ପ୍ରିୟଜନଙ୍କ ମୃତଦେହ ନପାଇ କୁଶପୁତ୍ତଳିକା ଜାଳି ଦେଉଛି ଶେଷ ବିଦାୟ।
What's Your Reaction?