ନବୀନଙ୍କ ଦସ୍ତଖତରେ ସୁଜାତାଙ୍କ ଟିମ୍! ବିଜେଡିରେ ମେଗା ପୁନଃଗଠନ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଚେକ୍‌ ଦେବାକୁ ନୂଆ ରଣନୀତି !

Aug 28, 2026 - 14:22
 0  0
ନବୀନଙ୍କ ଦସ୍ତଖତରେ ସୁଜାତାଙ୍କ ଟିମ୍! ବିଜେଡିରେ ମେଗା ପୁନଃଗଠନ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଚେକ୍‌ ଦେବାକୁ ନୂଆ ରଣନୀତି !

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସଂଗଠନର ପୁନଃଗଠନକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି । ସୁଜାତାଙ୍କୁ ନେଇ ନୂଆ ଟିମ୍ ଗଠନ ହେଉଥିବା ଚର୍ଚ୍ଚା ମଧ୍ୟରେ ବିଭିନ୍ନ ସାମ୍ମୁଖ୍ୟରେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯାଉଛି । ସୁଜାତାଙ୍କୁ ସମର୍ଥନ କରୁଥିବା କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଦାୟିତ୍ୱ ମିଳିଛି । ତେବେ ସୁଜାତାଙ୍କୁ ନେଇ ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କୁ ସାଙ୍ଗରେ ନେବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । 

 ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ବଡ଼ ଧରଣର ରୂପାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଛାତ୍ର, ଯୁବ, ମହିଳା, ଅନୁସୂଚିତ ଜାତି (SC), ସଂଖ୍ୟାଲଘୁ ଏବଂ ଶ୍ରମିକ ମୋର୍ଚ୍ଚାର ପୁନର୍ବିନ୍ୟାସ କରାଯାଉଛି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ନିକଟରେ ଦଳରେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସିକା ସୁଜାତା କାର୍ତ୍ତିକେୟନଙ୍କୁ କେନ୍ଦ୍ର କରି ଏକ ନୂଆ ‘କୋର୍ ଟିମ୍’ ଗଢ଼ାଯାଉଛି । ସୁଜାତାଙ୍କୁ କେବଳ ସାଧାରଣ କର୍ମୀ ଭାବେ ସୀମିତ ନ ରଖି ଆଗାମୀ ଦିନରେ ଏକ ବଡ଼ ଦାୟିତ୍ୱ ଦେବାକୁ ଯୋଜନା ଚାଲିଥିବା ବେଳେ, ପ୍ରକାଶ ପାଉଥିବା ନୂଆ କମିଟି ତାଲିକାରେ ନବାଗତ ଓ ତୃଣମୂଳ ସ୍ତରର ଯୁବ ଚେହେରାଙ୍କୁ ଅଗ୍ରାଧିକାର ମିଳୁଛି । 

ଗତ ଜୁନ୍‌ ୨୫ ତାରିଖରେ ସୁଜାତା ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବା ପରେ ଶଙ୍ଖ ଭବନରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରୁ ନେତା ଓ କର୍ମୀମାନେ ଆସି ତାଙ୍କ ସହ ନିୟମିତ ଆଲୋଚନା କରୁଥିବା ବେଳେ ଏହି ପୁନର୍ଗଠନରେ ସୁଜାତାଙ୍କ ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳୁଛି । ବିଗତ ଦିନରେ ଗଠିତ ଟିମ୍‌ର ଅନେକ ନେତା ପଦବୀ ପାଇବା ସତ୍ତ୍ୱେ ନିର୍ବାଚନ ବେଳେ ଦଳ ଡେଇଁଥିବାରୁ ଏଥର ସଂଗଠନକୁ ଅଧିକ ଶୃଙ୍ଖଳିତ ଓ ଆନୁଗତ୍ୟ ଭିତ୍ତିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଦଳକୁ ପୁଣି ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଯୋଗ୍ୟ ତଥା ବିଶ୍ୱସ୍ତ ନେତୃତ୍ୱ ବାଛିବା ଏହି ପୁନଃଗଠନର ମୁଖ୍ୟ ଉଦ୍ଦେଶ୍ୟ ପାଲଟିଛି ।

ସେପଟେ, ସୁଜାତାଙ୍କୁ ସମର୍ଥନ ଓ ପ୍ରଶଂସା କରୁଥିବା କିଛି ବରିଷ୍ଠ ନେତାଙ୍କୁ ପୁଣି ଥରେ ପୁରସ୍କୃତ କରାଯାଇଛି; ଯେପରିକି କଟକ ମେୟର ସୁବାସ ସିଂହଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଦାୟିତ୍ୱ ମିଳିଛି । ତେବେ ଦଳର ଏକ ବଡ଼ ବର୍ଗର ବରିଷ୍ଠ ନେତା ଏବେ ବି ସୁଜାତାଙ୍କ ପ୍ରତ୍ୟକ୍ଷ ପ୍ରଭାବକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କିମ୍ବା ତାଙ୍କ ବୈଠକରୁ ଦୂରେଇ ରହୁଛନ୍ତି । ପୁରୁଣା ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ସହ ସମସ୍ତଙ୍କୁ ଏକାଠି କରି ଆଗକୁ ବଢ଼ିବା ସୁଜାତା ଏବଂ ଦଳର ଶୀର୍ଷ ନେତୃତ୍ୱ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ।

ସମସ୍ତ ଶାଖା ସଂଗଠନର କମିଟି ଘୋଷଣା ହେଉଥିଲେ ମଧ୍ୟ ଗତ ଦେଢ଼ ବର୍ଷ ହେବ ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ଗଠନ ସରିଥିଲେ ବି ତାହା ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରିନାହିଁ । ଏହି ନୂଆ କମିଟି ଓ ନୂଆ ଚେହେରାମାନେ ଆଗାମୀ ପଞ୍ଚାୟତ ଲଢ଼େଇରେ ଶାସକ ବିଜେପିକୁ କିପରି ମାତ୍‌ ଦେଉଛନ୍ତି ଏବଂ ତୃଣମୂଳ ସ୍ତରରେ ବିଜେଡିର ଦୁର୍ଗକୁ କେତେ ସୁଦୃଢ଼ କରିପାରୁଛନ୍ତି, ତାହା ଉପରେ ଏବେ ସାରା ରାଜ୍ୟର ନଜର ରହିଛି । 

What's Your Reaction?

like

dislike

love

funny

angry

sad

wow