ପ୍ରତୀକ୍ଷାର ହେଲା ଅନ୍ତ, ଖୋଲିଲା ରତ୍ନଭଣ୍ଡାର

ପ୍ରତୀକ୍ଷାର ହେଲା ଅନ୍ତ, ଖୋଲିଲା ରତ୍ନଭଣ୍ଡାର

ପ୍ରତୀକ୍ଷାର ହେଲା ଅନ୍ତ । ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ଠିକ୍‌  ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଥିଲା। ଏହା ପରେ ଖୋଲାଯିବ ଭିତର ରତ୍ନଭଣ୍ଡାର ଦ୍ୱାର । ଏନେଇ ଜାରି ରହିଛି ପ୍ରକ୍ରିୟା । ତେବେ ଆଜି ଗଣତି ହେବ ନାହିଁ କେବଳ ଯାଞ୍ଚ ହେବ ବୋଲି  କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ । ଏମାନଙ୍କ ମଧ୍ୟରେ ଯାଞ୍ଚ କମିଟିର ୨ ଜଣ ସଦସ୍ୟ ଜଷ୍ଟିସ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯାଇଛନ୍ତି। ଏଥିସହ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଏଏସ୍‌ଆଇ ଅଧୀକ୍ଷକ ଡିବି ଗଡ଼ନାୟକ ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ମଧ୍ଯ ଭିତରକୁ ଯାଇଥିବାର ମିଳିଛି ସୂଚନା।ସେପଟେ ଏନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ସେ କହିଛନ୍ତି ଯେ, ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ହେଉଛି ଆତଯାତ । ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଆରମ୍ଭ କରିଛି ଉଦ୍ୟମ । ତୁମ ଇଚ୍ଛାରେ ପ୍ରଥମେ ଖୋଲିଛି ଶ୍ରୀମନ୍ଦିରର ଚାରି ଦ୍ୱାର । ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍‌ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ।