ଭାରତୀୟ କ୍ରୀଡ଼ା ଜଗତରେ ଶୋକ, ୩ ଥରର ଏସିଆନ୍ ପାରା ଗେମ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ
ଭାରତୀୟ କ୍ରୀଡ଼ା ଜଗତରୁ ଆସିଲା ଦୁଃଖଦ ଖବର । ୩ ଥରର ଏସିଆନ୍ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ । ଦିଲ୍ଲୀରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି ।
ଭାରତୀୟ କ୍ରୀଡ଼ା ଜଗତରୁ ଆସିଲା ଦୁଃଖଦ ଖବର । ୩ ଥରର ଏସିଆନ୍ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ । ଦିଲ୍ଲୀରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ସେ ବିଷାକ୍ତ ପଦାର୍ଥ ସେବନ କରିଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ପରିସ୍ଥିତି ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି ।
୪୨ ବର୍ଷୀୟ ନୀରଜ ଯାଦବ ଭାରତର ଜଣେ ପ୍ରତିଷ୍ଠିତ ପାରା ଆଥଲେଟ୍ ଥିଲେ । ସେ F55 ବର୍ଗରେ ପ୍ରତିଯୋଗିତା କରୁଥିଲେ । ୨୦୧୮ ମସିହାରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ପାରା ଗେମ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ୨୦୨୩ ମସିହାରେ ହାଙ୍ଗଝୋଉରେ ଅନୁଷ୍ଠିତ ପାରା ଏସିଆନ୍ ଗେମ୍ସରେ ଜାଭେଲିନ୍ ଓ ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଭଳି ଭାବେ ସେ ଦେଶ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ସୂଚନା ଅନୁସାରେ, ଚଳିତ ମାସରେ ହେବାକୁ ଥିବା ଏସିଆନ୍ ପାରା ଗେମ୍ସରେ ଡୋପିଂ ନିଲମ୍ବନ କାରଣରୁ ସେ ଭାଗ ନେଇପାରିନଥିଲେ। ଏହାପରେ ସେ ମାନସିକ ଚାପରେ ଥିବା ନେଇ ଖବର ପ୍ରକାଶ ପାଇଛି । ତେବେ ଏହା ତାଙ୍କ ମୃତ୍ୟୁର କାରଣ କି ନୁହେଁ, ତାହା ଏଯାଏଁ ନିଶ୍ଚିତ ହୋଇନାହିଁ। ଭାରତୀୟ ପାରା ଆଥଲେଟିକ୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ଏସ୍. ସତ୍ୟନାରାୟଣ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ଅନ୍ୟପଟେ, ନୀରଜଙ୍କ ମୃତ୍ୟୁକୁ ନେଇ ତଦନ୍ତ ଏବଂ ପୋଷ୍ଟମର୍ଟମ୍ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି । ମାତ୍ର ୭ ବର୍ଷ ବୟସରେ ପୋଲିଓ ପରବର୍ତ୍ତୀ ପକ୍ଷାଘାତର ଶିକାର ହୋଇଥିବା ନୀରଜ ପ୍ରଥମେ ହ୍ୱିଲ୍ଚେୟାର ଟେନିସ୍ ଖେଳୁଥିଲେ । ପରେ ପାରା ଆଥଲେଟିକ୍ସକୁ ଆସି ଅନ୍ତର୍ଜାତୀୟ ସ୍ତରରେ ନିଜ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ମୃତ୍ୟୁ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ବଡ଼ କ୍ଷତି ।
What's Your Reaction?