ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ ; କହିଲେ , ଭାରତ ଶାନ୍ତିର ପକ୍ଷଧର

Sep 1, 2026 - 11:31
 0  0
ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ ; କହିଲେ , ଭାରତ ଶାନ୍ତିର ପକ୍ଷଧର

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାଧାନ କେବଳ ଆଲୋଚନା ମାଧ୍ୟମରେ ହିଁ ହୋଇପାରିବ ବୋଲି କହିଛନ୍ତି ମୋଦୀ । ଏସ୍‌ସିଓ ସମିଟରେ ଯୋଗଦେବା ପାଇଁ ଯାଇଛନ୍ତି ପ୍ରଧାନମନ୍ତ୍ରୀ । 

ଭାରତ ଯୁଦ୍ଧ ନୁହେଁ, ଶାନ୍ତିର ସମର୍ଥକ। ସମସ୍ୟାର ସମାଧାନ ପାଇଁ ଯୁଦ୍ଧ ନୁହେଁ, ଆଲୋଚନା ହିଁ ଭାରତର ପଥ। କିର୍ଗିଜସ୍ତାନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଏଭଳି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ଅବସରରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ପାଖାପାଖି ୩୦ ମିନିଟ ଧରି ଚାଲିଥିବା ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ପ୍ରମୁଖ ଭାବେ ସ୍ଥାନ ପାଇଥିଲା।ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧର ସମାଧାନ କେବଳ ଆଲୋଚନା ଓ କୂଟନୈତିକ ଉଦ୍ୟମ ମାଧ୍ୟମରେ ହିଁ ସମ୍ଭବ ବୋଲି କହିଛନ୍ତି ମୋଦୀ। ଯୁଦ୍ଧର ପଥ ଛାଡ଼ି ଶାନ୍ତି ଓ ସଂଳାପର ମାର୍ଗରେ ଆଗେଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ଏହାସହ ଭାରତ-ରୁଷ ସମ୍ପର୍କକୁ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ରାଷ୍ଟ୍ରପତି ପୁଟିନ କହିଛନ୍ତି, ସମୟ ସହିତ ଭାରତ ଓ ରୁଷ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି। ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରୁଥିବା ସେ କହିଛନ୍ତି।ଦୁଇ ଦେଶ ମଧ୍ୟରେ ବଢୁଥିବା ପର୍ଯ୍ୟଟନ ଓ ଲୋକ-ଲୋକ ସମ୍ପର୍କକୁ ନେଇ ମଧ୍ୟ ପୁଟିନ ଖୁସି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଭାରତ-ରୁଷ ସହଯୋଗ ଆହୁରି ବିସ୍ତାର ହେବ ବୋଲି ଦୁଇ ନେତାଙ୍କ ଆଲୋଚନାରୁ ସଙ୍କେତ ମିଳିଛି।

ବିଶ୍ୱ ଯେତେବେଳେ ଯୁଦ୍ଧ, ସଂଘର୍ଷ ଓ ଭୂ-ରାଜନୈତିକ ତିକ୍ତତା ମଧ୍ୟରେ ରହିଛି, ସେତେବେଳେ ପୁଟିନଙ୍କ ସହ ମୋଦୀଙ୍କ ଏହି ସାକ୍ଷାତକାରକୁ ନେଇ ବଢ଼ିଛି ଚର୍ଚ୍ଚା। ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ପୁଣିଥରେ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଛି—ଯୁଦ୍ଧ ନୁହେଁ, ଆଲୋଚନା ହିଁ ସମାଧାନର ଏକମାତ୍ର ରାସ୍ତା।ଏବେ ପ୍ରଶ୍ନ—ମୋଦୀଙ୍କ ଏହି ଶାନ୍ତି ବାର୍ତ୍ତା କି ରୁଷ-ୟୁକ୍ରେନ ଯୁଦ୍ଧ ସମାଧାନ ପାଇଁ ନୂଆ କୂଟନୈତିକ ପଥ ଖୋଲିବ? ଭାରତର ଏହି ଶାନ୍ତି କୂଟନୀତି ବିଶ୍ୱ ମଞ୍ଚରେ କେତେଦୂର ପ୍ରଭାବ ପକାଇବ? ଏବେ ସେହି ଦିଗକୁ ରହିବ ସମସ୍ତଙ୍କ ନଜର।

What's Your Reaction?

like

dislike

love

funny

angry

sad

wow