ଶିଶୁ କଳାକାରଙ୍କ ପାଇଁ ନୂଆ ନିୟମ

Aug 8, 2024 - 11:25
 0  2
ଶିଶୁ କଳାକାରଙ୍କ ପାଇଁ ନୂଆ ନିୟମ

ଟେଲିଭିଜନ, ସିନେମା, ଯାତ୍ରାରେ କାର୍ଯ୍ୟ କରୁଥିବା ଶିଶୁ କଳାକାରଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ଓଡିଶା ସରକାର । ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଜାରି କରାଯାଇଛି ମାର୍ଗଦର୍ଶିକା । ପୋକ୍‌ସୋ ଆକ୍ଟ, ଜୁଭେନାଇଲ ଦେୟମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଆକ୍ଟକୁ ଶିଶୁଙ୍କ କ୍ଷେତ୍ରରେ କଡ଼ାକଡ଼ି ପାଳନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ନିୟମ ଅନୁସାରେ, ଯଦି କୌଣସି ଟେଲିଭିଜନ ବା ସିନେମା ପ୍ରଯୋଜକ ତାଙ୍କ କାର୍ଯ୍ୟ ପାଇଁ ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ କରାଉଛନ୍ତି ତା’ହେଲେ ପ୍ରଥମେ ତାଙ୍କୁ ଜିଲାପାଳଙ୍କଠାରୁ ନେବାକୁ ପଡ଼ିବ ଅନୁମତି । ଅଣ୍ଡରଟେକିଂ ଲେଖିବା ସହ  ପ୍ରଦାନ କରିବାକୁ ପଡ଼ିବ ସବିଶେଷ ସୂଚନା। ସେହିପରି ଲାଇଭ କାର୍ଯ୍ୟକ୍ରମ ’ ବେଳେ ପିଲାଟିକୁ ଯେଭଳି ଅବହେଳା କି ନିର୍ଯାତନା ଦିଆଯିବ ନାହିଁ ସେ ନେଇ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇ ଆଗୁଆ ସୁନିଶ୍ଚିତ କରିବାକୁ ହେବ। ପିଲାଙ୍କୁ ନେଇ ହେଉଥିବା ଚଳଚ୍ଚିତ୍ର, ଟେଲିଭିଜନ ଧାରାବାହିକ, ରିୟାଲିଟି ଶୋ’, ସମାଜିକ ଗଣମାଧ୍ୟମ ବିଷୟବସ୍ତୁ ପ୍ରସାରଣ ଆଗରୁ ଡିସ୍‌କ୍ଲେମାର ଡିସ୍‌ପ୍ଲେରେ ପ୍ରଦର୍ଶନ କରିବାକୁ ହେବ। ସେହିପରି ବୟସ, ପରିପକ୍ୱତା, ମାନସିକ ତଥା ଶାରୀରିକ ବିକାଶକୁ ଦେଖି କିଶୋର ତଥା ଶିଶୁଙ୍କୁ କାଷ୍ଟ କରିବାକୁ ଦିଆଯିବ। ନିଶାଦ୍ରବ୍ୟ, ନଗ୍ନତା,ଯୌନ ସମ୍ବନ୍ଧୀୟ ଅଭିନୟ ଆଦିରେ ସେମାନଙ୍କୁ କରାଯିବନାହିଁ ସାମିଲ। ଅତି ଅବଶ୍ୟକ ପଡିଲେ ବିଷୟବସ୍ତୁକୁ ନଜରରେ ରଖି ଉପଯୁକ୍ତ ଯତ୍ନର ସହକାରେ ଏହା କରାଯିବ। ସେମାନଙ୍କ ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ ବାଧ୍ୟତାମୂଳକ ଭାବେ କରାଯାଇପାରିବ ନାହିଁ। କେବଳ ସ୍ତନ୍ୟପାନ କିମ୍ବା ଟିକାକରଣକୁ ଛାଡ଼ି ଦେଲେ ୩ମାସ ପୂର୍ବର ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିଆଯିବ ନାହିଁ। ୬ବର୍ଷରୁ କମ୍‌ ପିଲାଙ୍କ ପାଖରେ ପରିବାରର କେହି ସଦସ୍ୟ ଉପସ୍ଥିତ ରହିବା ନିହାତି ଆବଶ୍ୟକ। ଏଥିସହ ଯାତ୍ରା କରିବା ସମୟରେ ସେମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବା ସହ ସେମାନଙ୍କ ସହ ମଧ୍ୟ ରହିବେ ଅଭିଭାବକ । ପୋଷଣଯୁକ୍ତ ଖାଦ୍ୟ, ହାସପାତାଳ ସୁବିଧା ଓ ଶୁଟିଂ ସେଟ୍‌ରେ ସେମାନଙ୍କ ପୋଷାକ ପରିବର୍ତ୍ତନ କଲାବେଳେ ଭିନ୍ନ କୋଠରିର ରହିବ ବ୍ୟବସ୍ଥା । ବିପରୀତ ଲିଙ୍ଗର ଯେଭଳି କେହି ଉପସ୍ଥିତ ନ ରୁହନ୍ତି ସେ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଦିନରେ ୫ଘଣ୍ଟାରୁ ଅଧିକ କାମ ନ କରାଇବା ଓ ସମସ୍ତ ଆବଶ୍ୟକ ସୁବିଧା ପ୍ରଦାନକୁ ମାର୍ଗଦର୍ଶିକାରେ ଦିଆଯାଇଛି ଗୁରୁତ୍ୱ । ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।

What's Your Reaction?

like

dislike

love

funny

angry

sad

wow