୨୫ ତାରିଖ ଓଡିଶା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ : ସୁରେଶ ପୂଜାରୀ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଆଜି ସକାଳେ ଅବପାତରେ ହୋଇଛି ପରିଣତ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ।ଏହା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଛି କେନ୍ଦ୍ରୀଭୂତ। ଏହାପରେ ଧୀରେ ଧୀରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ହେବ ଘନୀଭୂତ। ବାତ୍ୟା ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାପାତ୍ର। ଅବପାତଟି ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି କେନ୍ଦ୍ରୀଭୂତ। ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ୱୀପ ଭିତରେ କରିବ ଉପକୂଳ ଅତିକ୍ରମ। ଉପକୂଳ ଅତିକ୍ରମ କରିବା ବେଳେ ୧୦୦ରୁ ୧୨୦ କିଲୋମିଟର ଛୁଇଁପାରେ ପବନର ବେଗ।ଏହି ସମୟରେ ଅଶାନ୍ତ ରହିବ ସମୁଦ୍ର। ତେଣୁ ସବୁ ବନ୍ଦରକୁ ଜାରି କରାଯାଇଛି ୧ ନମ୍ବର ବିପଦ ସଂକେତ। ଏଥିସହ ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାରୁ ମତ୍ସ୍ୟଜୀବୀଙ୍କୁ ଦିଆଯାଇଛି ପରାମର୍ଶ।ସେପଟେ ୨୫ ତାରିଖ ସକାଳକୁ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଦିନ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ସେ ଆହୁରି କହିଛନ୍ତି ଯେ, ଆଶ୍ରୟସ୍ଥଳୀ ବାହାରେ ପ୍ରସ୍ତୁତ ହୋଇଛି ୫୦୦ ରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ। ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା,ରନ୍ଧା ଖାଦ୍ୟ,ଗର୍ଭବତୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ।
Jangyaseni Parida