ଚର୍ଚ୍ଚାରେ ନେପାଳର ସବୁଠୁ ମଜବୁତ ଘର, ଇଞ୍ଜିନିୟରଙ୍କୁ ସଲାମ୍ କରୁଛନ୍ତି ଲୋକେ

Aug 31, 2026 - 14:37
 0  2
ଚର୍ଚ୍ଚାରେ ନେପାଳର ସବୁଠୁ ମଜବୁତ ଘର, ଇଞ୍ଜିନିୟରଙ୍କୁ ସଲାମ୍ କରୁଛନ୍ତି ଲୋକେ

ଆଉ ତୃତୀୟ କାରଣଟି ହେଲା ପାଣିର ଦିଗ ଓ ସୌଭାଗ୍ୟ । ବନ୍ୟା ପାଣିର ଭୟଙ୍କର ସ୍ରୋତ ଘର ଭିତରକୁ ସିଧାସଳଖ ନପଶି ଏହାର ଆଖପାଖ ଦେଇ ବାହାରି ଯାଇଥିଲା । 

ଆଖି ପିଛୁଳାକେ ଧୋଇଗଲା ପୂରା ଗାଁ । ବଡ଼ ବଡ଼ କୋଠା, ପୋଲ, ଗାଡ଼ିମୋଟର ସବୁକିଛି ପାଣି ସୁଅରେ କୁଟାଖିଅ ଭଳି ଭାସିଗଲା । କିନ୍ତୁ ପ୍ରଳୟଙ୍କରୀ ବନ୍ୟା ମଝିରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚାରିଆଡ଼େ ମୃତ୍ୟୁର ତାଣ୍ଡବ ଆଉ ହାହାକାର ଚାଲିଥିବା ବେଳେ ଛାତି ଦେଖାଇ ଦୃଢ଼ ଭାବେ ଛିଡ଼ା ହୋଇଛି ଗୋଟିଏ ଘର । ଯେଉଁଠି ପାଖଆଖର ସବୁ କିଛି ନିଶ୍ଚିହ୍ନ ହୋଇଯାଇଛି, ସେଠି ଏ ଘରଟି କେମିତି ସୁରକ୍ଷିତ ରହିଲା? ପ୍ରକୃତିର କରାଳ ରୂପ ଆଗରେ ଏ ଘରଟି ହାର୍ ନମାନିବାର ରହସ୍ୟ କ'ଣ? କ'ଣ ରହିଛି ଏହା ପଛର ଇଞ୍ଜିନିୟରିଂ ନା ଭଗବାନଙ୍କ ଚମତ୍କାର? ଆସନ୍ତୁ ଦେଖିବା... 

ଚାରିଆଡ଼େ ଖାଲି ପାଣି ଆଉ ପାଣି । ପାଣିର ସୁଅ ଏତେ ଭୟଙ୍କର ଯେ, ଯାହା ବାଟରେ ପଡୁଛି ସବୁକିଛିକୁ ତା’ ସାଙ୍ଗରେ ଭସାଇ ନେଉଛି । କିନ୍ତୁ ଭୟଙ୍କର ପ୍ରଳୟ ଭିତରେ ଗୋଟିଏ ଘର ପାହାଡ଼ ଭଳି ଛିଡ଼ା ହୋଇଛି । ଆଖପାଖର ଘର, ଗାଡ଼ି ସବୁ କଣ୍ଢେଇ ଭଳି ଭାସି ଯାଉଥିବା ବେଳେ ଏହି ଘରର ଇଟାଟିଏ ବି ଖସିନାହିଁ । ଏମିତିକି ଘର ଛାତ ଉପରେ କିଛି ଲୋକ ଚଲାବୁଲା କରୁଥିବା ମଧ୍ୟ ଦେଖିବାକୁ ମିଳିଛି, ଯେଉଁମାନେ ସେହି ଘରେ ଆଶ୍ରୟ ନେଇ ନିଜ ଜୀବନ ବଞ୍ଚାଇଛନ୍ତି ।

ସୋସିଆଲ୍ ମିଡିଆରେ ଏ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍ ହେବା ପରେ, ଲୋକେ ଏହାକୁ ଚମତ୍କାର ବୋଲି କହୁଛନ୍ତି । ଏପରିକି ଘର ତିଆରି କରିଥିବା ଇଞ୍ଜିନିୟରଙ୍କ ନିର୍ମାଣ ଶୈଳୀକୁ ସମସ୍ତେ ସାଲାମ୍ କରୁଛନ୍ତି ଆଉ ତାଙ୍କ ପାଇଁ ନ୍ୟାସନାଲ୍ ମେଡାଲ୍ ଦାବି କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଯେଉଁଠି ବଡ଼ ବଡ଼ କୋଠା ଭୁସୁଡ଼ି ପଡିଲା, ସେଠି ପ୍ରକୃତରେ ଏହି ଘରଟି ବର୍ତ୍ତିଗଲା କେମିତି? 
ଏମିତି ଚଟ୍ଟାଣ ଭଳି ନିର୍ମାଣ ପଛରେ ଥିବା କାରଣ ବୁଝାଇଛନ୍ତି ବିଶେଷଜ୍ଞ । ସ୍ଲିପି କ୍ଲାସେସ୍ IASର ସହ-ପ୍ରତିଷ୍ଠାତା ତଥା ଇଞ୍ଜିନିୟର ଶେଖର ଦତ୍ତଙ୍କ ମତରେ ଏହି ଘର ବର୍ତ୍ତିଯିବା ପଛରେ ୩ଟି କାରଣ ରହିଛି ।

ପିଲର୍ ଏବଂ ବିମ୍‌ର ମଜବୁତ ଫ୍ରେମ୍ୱାର୍କ

ଏ ଘରଟି ଏକ ପଞ୍ଜୁରୀ ଭଳି ତିଆରି ହୋଇଛି, ଯାହାକୁ ସ୍ଥାନୀୟ ଭାଷାରେ 'ପିଲର୍ ବାଲା ଘର' କୁହାଯାଏ । ବନ୍ୟା ପାଣିରେ ବଡ଼ ବଡ଼ ପଥର କିମ୍ବା ମାଟି ଅତଡ଼ା ମାଡ଼ ହୋଇ ଯଦି ଗ୍ରାଉଣ୍ଡ୍ ଫ୍ଲୋର୍‌ର ଗୋଟିଏ କିମ୍ବା ଦୁଇଟି ପିଲର୍ ଭାଙ୍ଗି ମଧ୍ୟ ଯାଏ, ତେବେ ବିମ୍ ଓ କଲମ୍‌ର ଏକତ୍ରିତ ଫ୍ରେମ୍ ପୂରା ଘରର ଭାରକୁ ସମ୍ଭାଳି ନେଇଥାଏ, ଫଳରେ ଘରଟି ସହଜରେ ଭୁସୁଡ଼ି ପଡ଼େନି ।

ଦ୍ୱିତୀୟ ବଡ଼ କାରଣ ହେଲା ଘରର ପ୍ଲିନ୍ଥ ବା ଶକ୍ତିଶାଳୀ ମୂଳଦୁଆ । ବନ୍ୟା ପାଣି ସାଧାରଣତଃ ଘର ତଳୁ ମାଟି ଖୋଳିଦେଇଥାଏ, ଯାହା ଫଳରେ ଘର ଧସିଯାଏ । କିନ୍ତୁ ଏହି ଘରର ମୂଳଦୁଆ ବେଶ୍ ଉଚ୍ଚା ଏବଂ ଶକ୍ତ ଭାବେ ସଂଯୁକ୍ତ ଥିଲା, ଯାହା ପାଣିର ଘର୍ଷଣ ସତ୍ତ୍ୱେ ମାଟି ଅତଡ଼ା ଖସିବାରୁ ରକ୍ଷା କରିଥିଲା । ଆଉ ତୃତୀୟ କାରଣଟି ହେଲା ପାଣିର ଦିଗ ଓ ସୌଭାଗ୍ୟ । ବନ୍ୟା ପାଣିର ଭୟଙ୍କର ସ୍ରୋତ ଘର ଭିତରକୁ ସିଧାସଳଖ ନପଶି ଏହାର ଆଖପାଖ ଦେଇ ବାହାରି ଯାଇଥିଲା ।

ଯଦି ଇଞ୍ଜିନିୟରିଂ ଠିକ୍ ଥାଏ ତେବେ ପ୍ରକୃତିର ବଡ଼ରୁ ବଡ଼ ପ୍ରଳୟ ଆଗରେ ବି ମୁଣ୍ଡ ଟେକି ଛିଡ଼ା ହୋଇପାରେ । ନେପାଳର ଏ ଘରଟି ତାହାର ଏକ ଜ୍ୱଳନ୍ତ ଉଦାହରଣ । ପାହାଡ଼ିଆ କିମ୍ବା ବନ୍ୟା ପ୍ରବଣ ଅଞ୍ଚଳରେ ଘର ନିର୍ମାଣ କଲାବେଳେ ଏହି ଉନ୍ନତ ନିର୍ମାଣ କୌଶଳକୁ ଆପଣାଇଲେ ହୁଏତ ଆଗକୁ ଅନେକ ଧନଜୀବନ ରକ୍ଷା କରାଯାଇପାରିବ ।

What's Your Reaction?

like

dislike

love

funny

angry

sad

wow