ସତ୍ୟ ପାଇଁ ସଂଘର୍ଷ, ସମାଜ ପାଇଁ ସମର୍ପଣ: ଆଜି ଜାତୀୟ ପ୍ରେସ୍ ଦିବସ
୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତୀୟ ପ୍ରେସ୍ କାଉନସିଲ୍ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ଐତିହାସିକ ଦିନକୁ ସ୍ମରଣ କରି ଦେଶବ୍ୟାପୀ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଏ। ଏହା କେବଳ ଏକ ଦିବସ ନୁହେଁ, ବରଂ ଗଣମାଧ୍ୟମର ସ୍ୱାଧୀନତା, ନିରପେକ୍ଷତା ଓ ଦାୟିତ୍ୱବୋଧର ପ୍ରତୀକ।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ। ସମାଜର ଦର୍ପଣ ସାମ୍ବାଦିକତା। ସତ୍ୟ ପାଇଁ ସଂଘର୍ଷ, ସମାଜ ପାଇଁ ସମର୍ପଣ। ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା ପର୍ଯ୍ୟନ୍ତ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ। ଖରା, ବର୍ଷା, ଶୀତକୁ ଖାତିର ନକରି ସତ୍ୟର ସନ୍ଧାନରେ ଆଗେଇ ଚାଲିଥାନ୍ତି ସାମ୍ବାଦିକ। ଆଉ ସେହି ସାମ୍ବାଦିକଙ୍କ ନିଷ୍ଠା, ସାହସ ଓ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ପାଳନ କରାଯାଏ ଜାତୀୟ ପ୍ରେସ୍ ଦିବସ।
୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତୀୟ ପ୍ରେସ୍ କାଉନସିଲ୍ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ଐତିହାସିକ ଦିନକୁ ସ୍ମରଣ କରି ଦେଶବ୍ୟାପୀ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଏ। ଏହା କେବଳ ଏକ ଦିବସ ନୁହେଁ, ବରଂ ଗଣମାଧ୍ୟମର ସ୍ୱାଧୀନତା, ନିରପେକ୍ଷତା ଓ ଦାୟିତ୍ୱବୋଧର ପ୍ରତୀକ। ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଧିକାରର ସୁରକ୍ଷା ଦିଗରେ ଗଣମାଧ୍ୟମର ରହିଛି ଗୁରୁଦାୟିତ୍ୱ।
ସମୟ ବଦଳିଛି, ବଦଳିଛି ଖବର ପରିବେଷଣର ମାଧ୍ୟମ। ଖବରକାଗଜ ଓ ଟେଲିଭିଜନ୍ ସହ ଏବେ ଡିଜିଟାଲ୍ ପ୍ଲାଟଫର୍ମରେ ମୁହୂର୍ତ୍ତକ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚୁଛି ଦେଶବିଦେଶର ଖବର। ହେଲେ ଏହା ସହ ବଢ଼ିଛି ମିଥ୍ୟା ଖବର, ଗୁଜବ ଓ ବିଭ୍ରାନ୍ତିକର ସୂଚନାର ଆହ୍ୱାନ। ଏଭଳି ସମୟରେ ପ୍ରତ୍ୟେକ ଖବରର ସତ୍ୟାସତ୍ୟ ଯାଞ୍ଚ କରିବା ଜଣେ ସାମ୍ବାଦିକଙ୍କ ପ୍ରଥମ କର୍ତ୍ତବ୍ୟ। କାରଣ ଗୋଟିଏ ଖବର କେବଳ କିଛି ଶବ୍ଦର ସମାହାର ନୁହେଁ, ଏହା ଲକ୍ଷ ଲକ୍ଷ ଲୋକଙ୍କ ଚିନ୍ତାଧାରା ଓ ଭାବନାକୁ ପ୍ରଭାବିତ କରିପାରେ।
ସତ୍ୟକୁ ସାମ୍ନାକୁ ଆଣିବା, ଅସହାୟଙ୍କ ସ୍ୱର ସାଜିବା ଓ ସମାଜକୁ ସଚେତନ କରିବା ହିଁ ସାମ୍ବାଦିକତାର ମୂଳ ଲକ୍ଷ୍ୟ। କଲମର ଶକ୍ତି ସମାଜରେ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ରଖେ। ଆଜିର ଏହି ସ୍ୱତନ୍ତ୍ର ଦିନରେ ସତ୍ୟ ପାଇଁ ଅହରହ ସଂଘର୍ଷ କରୁଥିବା ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀଙ୍କୁ ଜାତୀୟ ପ୍ରେସ୍ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
What's Your Reaction?