ସଫା ହେବାର ୯ ଦିନ ପରେ ପୁଣି ଗଙ୍ଗାରେ ଭାସିଲା ପ୍ଲାଷ୍ଟିକ୍ ଓ ଅଳିଆ, ନଦୀକୁ ଅପରିଷ୍କାର କରୁଥିବା ଲୋକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଇବାକୁ ଦାବି

Nov 16, 2026 - 14:55
ସଫା ହେବାର ୯ ଦିନ ପରେ ପୁଣି ଗଙ୍ଗାରେ ଭାସିଲା ପ୍ଲାଷ୍ଟିକ୍ ଓ ଅଳିଆ, ନଦୀକୁ ଅପରିଷ୍କାର କରୁଥିବା ଲୋକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଇବାକୁ ଦାବି

ପବିତ୍ର ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ପାଇଁ ଯେତେ ଅଭିଯାନ ଚାଲିଲେ ମଧ୍ୟ ଲୋକଙ୍କ ଅସଚେତନତା ଯୋଗୁଁ ପୁଣି ନଦୀ ପ୍ରଦୂଷିତ ହେଉଛି। ଏହାର ଏକ ଉଦାହରଣ ଉତ୍ତରାଖଣ୍ଡର ହରିଦ୍ୱାରରେ ଦେଖିବାକୁ ମିଳିଛି। 

ପବିତ୍ର ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ପାଇଁ ଯେତେ ଅଭିଯାନ ଚାଲିଲେ ମଧ୍ୟ ଲୋକଙ୍କ ଅସଚେତନତା ଯୋଗୁଁ ପୁଣି ନଦୀ ପ୍ରଦୂଷିତ ହେଉଛି। ଏହାର ଏକ ଉଦାହରଣ ଉତ୍ତରାଖଣ୍ଡର ହରିଦ୍ୱାରରେ ଦେଖିବାକୁ ମିଳିଛି। ନିକଟରେ ୧୮ ଦିନ ଧରି ଚାଲିଥିବା ବଡ଼ ସ୍ୱଚ୍ଛତା ଅଭିଯାନ ପରେ ଗଙ୍ଗାର ଜଳ ଏତେ ସ୍ୱଚ୍ଛ ଦେଖାଯାଉଥିଲା ଯେ, ନଦୀର ତଳେ ଥିବା ପଥର ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା। କିନ୍ତୁ ଏହି ସ୍ୱଚ୍ଛତା ବେଶି ଦିନ ରହିପାରିଲା ନାହିଁ। ପୁଣି ଗଙ୍ଗାରେ ପ୍ଲାଷ୍ଟିକ୍, ପଲିଥିନ୍ ଓ ଅନ୍ୟାନ୍ୟ ଆବର୍ଜନା ଦେଖିବାକୁ ମିଳିଛି।

ବନ୍ଦ କରାଯାଇଥିଲା ଜଳପ୍ରବାହ
ସୂଚନା ଅନୁସାରେ, ହରିଦ୍ୱାରରେ ଗଙ୍ଗା କେନାଲର ସଫେଇ, ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ନିୟମିତ ଭାବେ ଜଳପ୍ରବାହ ବନ୍ଦ କରାଯାଏ। ଚଳିତ ବର୍ଷ ଦଶହରା ପରେ ଭାଗୀରଥୀ ବିନ୍ଦୁଠାରେ ଜଳପ୍ରବାହ ବନ୍ଦ କରାଯାଇଥିଲା। ଫଳରେ ହର୍ କି ପୌଡ଼ି ସମେତ ବିଭିନ୍ନ ଘାଟ ଶୁଖିଯାଇଥିଲା। ଏହି ସୁଯୋଗରେ ଘାଟ ଓ ନଦୀଶଯ୍ୟାର ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ୧୮ ଦିନ ଧରି ଚାଲିଥିବା ଏହି ଅଭିଯାନରେ ପ୍ରାୟ ୧୦ କିଲୋମିଟର ଅଞ୍ଚଳରୁ ୧୫୦ ଟନ୍‌ ଆବର୍ଜନା ବାହାର କରାଯାଇଥିଲା।

ଏଆଇ ଦ୍ୱାରା ତିଆରି
ଏହି ସଫେଇ ଅଭିଯାନରେ ଉତ୍ତରପ୍ରଦେଶ ସିଞ୍ଚାଇ ବିଭାଗ, ହରିଦ୍ୱାର ନଗର ନିଗମର କର୍ମଚାରୀ, ସ୍ୱେଚ୍ଛାସେବୀ ଓ ସାଧାରଣ ନାଗରିକ ସାମିଲ ହୋଇଥିଲେ। ନଦୀରୁ ବହୁ ପରିମାଣର ପ୍ଲାଷ୍ଟିକ୍ ବ୍ୟାଗ୍, ପୁରୁଣା ପୋଷାକ, ଚପଲ ଓ ବିଭିନ୍ନ ପୂଜା ସାମଗ୍ରୀ ସଫା କରାଯାଇଥିଲା। ଏହାପରେ ନଭେମ୍ବର ୭ ତାରିଖରେ ପୁଣି ଗଙ୍ଗା କେନାଲରେ ଜଳପ୍ରବାହ ଆରମ୍ଭ ହୋଇଥିଲା। ଜଳ ଛଡ଼ାଯିବା ପରେ ଗଙ୍ଗାର ସ୍ୱଚ୍ଛ ଓ ନିର୍ମଳ ରୂପର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏପରିକି ନଦୀର ଏତେ ସ୍ୱଚ୍ଛ ଜଳ ଦେଖି କିଛି ଲୋକ ଏହାକୁ ଏଆଇ ଦ୍ୱାରା ତିଆରି ଚିତ୍ର ବୋଲି ମଧ୍ୟ ଭାବିଥିଲେ।

ପୁଣି ଗଙ୍ଗାରେ ଆବର୍ଜନା
ହେଲେ ଏବେ ପୁଣି ଗଙ୍ଗାରେ ଆବର୍ଜନା ଭାସୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ପ୍ଲାଷ୍ଟିକ୍, ପଲିଥିନ୍, ଫୁଲପତ୍ର ଓ ଫିଙ୍ଗାଯାଇଥିବା ପୋଷାକ ନଦୀର ପାଣିକୁ ପୁଣି ପ୍ରଦୂଷିତ କରୁଛି। ଏହାର ଏକ ଭିଡିଓ ଇନଷ୍ଟାଗ୍ରାମରେ 'ଲେନ୍ସ ଅନ୍ ରୋଡ଼୍' ନାମକ ଆକାଉଣ୍ଟରୁ ସେୟାର ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏତେ ବଡ଼ ସଫେଇ ଅଭିଯାନ ପରେ ମଧ୍ୟ ଲୋକେ କାହିଁକି ନଦୀରେ ଅଳିଆ ପକାଉଛନ୍ତି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି।ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ କଡ଼ା ମତ ରଖିଛନ୍ତି। ନଦୀକୁ ଅପରିଷ୍କାର କରୁଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବା ସହ ଜରିମାନା ଲଗାଇବାକୁ ଦାବି ହୋଇଛି। ଏପରିକି ଗଙ୍ଗାରେ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କ ଉପରେ ଅତି କମ୍‌ରେ ୧୦ ହଜାର ଟଙ୍କା ଜରିମାନା ଲଗାଇବା ଉଚିତ ବୋଲି ଜଣେ ୟୁଜର୍ ମତ ଦେଇଛନ୍ତି। ତେବେ କେବଳ ସଫେଇ ଅଭିଯାନ ନୁହେଁ, ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷା ନେଇ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି ହେଲେ ହିଁ ଗଙ୍ଗାର ପବିତ୍ରତା ଓ ସ୍ୱଚ୍ଛତା ବଜାୟ ରହିପାରିବ।

What's Your Reaction?

like

dislike

love

funny

angry

sad

wow