ହାତରେ ଜନ୍ମଦିନର କେକ୍, ଆଖିରେ ଥିଲା ସ୍ୱପ୍ନ... ହେଲେ...!!

Sep 18, 2026 - 14:10
ହାତରେ ଜନ୍ମଦିନର କେକ୍, ଆଖିରେ ଥିଲା ସ୍ୱପ୍ନ... ହେଲେ...!!

ମରଣ ମୁହଁରୁ ବର୍ତ୍ତି ଯାଇଥିବା ହିମାଂଶୁ ଏବେ ବି ବେଡ୍‌ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଥାଇପାରେ ବୋଲି ହିମାଂଶୁ ସନ୍ଦେହ ପ୍ରକାଶ କରିଛନ୍ତି । 

ଥରେ କଳ୍ପନା କରନ୍ତୁ, ଆପଣ ନିଜ ଜନ୍ମଦିନ ପାଳନ କରିବା ପାଇଁ ବଜାରକୁ ଯାଇଛନ୍ତି । ହାତରେ ଆପଣଙ୍କ ପସନ୍ଦର ଜନ୍ମଦିନ କେକ୍ । ଆଖିରେ ସେଲିବ୍ରେସନ୍‌ର ଅସୁମାରୀ ସ୍ୱପ୍ନ । କିନ୍ତୁ ହଠାତ୍... ଗୋଟିଏ ବେପରୁଆ ଗାଡ଼ି କାଳ ଭଳି ମାଡ଼ି ଆସି ଆପଣଙ୍କ ସବୁ ସ୍ୱପ୍ନକୁ ରାସ୍ତା ମଝିରେ ଧକ୍କା ଦେଇ ଚାଲିଯାଏ । ଠିକ୍ ଏମିତି ଏକ ଲୋମଟାଙ୍କୁରା ଘଟଣା ଗ୍ରେଟର ନୋଏଡାରୁ ସାମ୍ନାକୁ ଆସିଛି । ଘଣ୍ଟାପ୍ରତି ୧୦୦ କିଲୋମିଟରରୁ ଅଧିକ ବେଗରେ ଆସୁଥିବା ଯମରୂପୀ କାର୍ ଯୁବକଙ୍କୁ ଏମିତି ଧକ୍କା ଦେଲା ଯେ, ସେ ଫିଲ୍ମ ଷ୍ଟାଇଲରେ ଉଡ଼ିଯାଇ ତଳେ କଚାଡ଼ି ହୋଇପଡ଼ିଲେ । ଆଉ ଏବେ ଜୀବନ-ମରଣ ସହ ହସ୍ପିଟାଲରେ ଲଢ଼େଇ କରୁଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ଉଠିଛି ।

ସହରର ଝାପ୍ସା ଆଲୁଅ... ଆଉ ସେହି ଅନ୍ଧକାରକୁ ଚିରି ଚିତ୍କାର କରି ମାଡ଼ି ଆସୁଥିଲା ମୃତ୍ୟୁର ଚାରି ଚକିଆ ଯାନ । ସ୍ଥାନ... ଗ୍ରେଟର ନୋଏଡା ୱେଷ୍ଟ୍‌ର ଏକ୍ ମୂର୍ତ୍ତି ଛକ । ନୋଏଡାରେ ରହୁଥିବା ୩୨ ବର୍ଷୀୟ ହିମାଂଶୁ ରାୟ ସ୍ତ୍ରୀଙ୍କ ସହ ଆସିଥିଲେ ନିଜର ବାର୍ଥଡେ କେକ୍ ଆଣିବାକୁ । ପତ୍ନୀ ଗାଡ଼ିରେ ବସି ଅପେକ୍ଷା କରିଥିଲେ ଆଉ ହିମାଂଶୁ ରାସ୍ତା ଆରପଟକୁ ଯାଇଥିଲେ କେକ୍ ଆଣିବାକୁ । ହେଲେ କିଏ ଜାଣିଥିଲା, ସେହି ରାସ୍ତା ହିଁ ତାଙ୍କ ପାଇଁ ପାଲଟିଯିବ ଜୀବନ-ମରଣର ଭୟଙ୍କର ଫାଶ...

ହିଂମାଶୁଙ୍କ ହାତରେ ଜନ୍ମଦିନର କେକ୍ ଥାଏ । ରାସ୍ତା ପାରି ହେଉଥିବା ବେଳେ ଆଖି ପିଛୁଳାକେ ପିଟିଦେଲା ଟାଟା ପଞ୍ଚ୍ କାର୍ । ସ୍ପିଡ୍ ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯିବ... ଘଣ୍ଟାପ୍ରତି ଶହେରୁ ଅଧିକ କିଲୋମିଟର ବେଗ । ବ୍ରେକ୍ ମାରିବା ତ ଦୂରର କଥା ରାକ୍ଷସରୂପୀ କାର୍‌ର ଡ୍ରାଇଭର ଗାଡ଼ିର ସ୍ପିଡ୍ ଟିକେ ବି କମାଇ ନଥିଲା । ହିମାଂଶୁଙ୍କୁ ଏତେ ଜୋରରେ ଧକ୍କା ଦେଲା ଯେ, ଖେଳନା ପରି ପବନରେ ଉଡ଼ିଯାଇ କିଛି ଦୂରରେ ଛିଟିକି ପଡ଼ିଲେ । ହାତରୁ ଖସି ପଡ଼ିଲା ସେହି ବାର୍ଥଡେ କେକ୍ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ଛଟପଟ ହେଉଥିଲେ ହିମାଂଶୁ, ଅବିବେକୀ ନିର୍ଦ୍ଦୟ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଗଲା ।

ଆଖି ଆଗରେ ସ୍ୱାମୀଙ୍କର ମର୍ମନ୍ତୁଦ ଦୁର୍ଘଟଣା ଦେଖି ପତ୍ନୀଙ୍କ ପାଟି ତୁନି ପଡ଼ିଗଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କଲେ । କିନ୍ତୁ ଦୁଃଖର ବିଷୟ ହିଂମାସୁଙ୍କ ଦୁଇ ଗୋଡ଼, ହାତ ଆଉ ମେରୁଦଣ୍ଡର ହାଡ଼ ଭାଙ୍ଗି ଚୁରମାର୍ ହୋଇଯାଇଛି । ମରଣ ମୁହଁରୁ ବର୍ତ୍ତି ଯାଇଥିବା ହିମାଂଶୁ ଏବେ ବି ବେଡ୍‌ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଥାଇପାରେ ବୋଲି ହିମାଂଶୁ ସନ୍ଦେହ ପ୍ରକାଶ କରିଛନ୍ତି ।

ସିସିଟିଭି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ନୋଏଡା ପୁଲିସର ନିଦ ଭାଙ୍ଗିଥିଲା । ଶେଷରେ ଇଲେକ୍ଟ୍ରୋନିକ୍ ସର୍ଭେଲାନ୍ସ ସାହାଯ୍ୟରେ ପୁଲିସ୍ ସେ ନରହନ୍ତା ଟାଟା ପଞ୍ଚ୍ କାର୍‌କୁ ଟ୍ରାକ୍ କରିବା ସହ, ଡ୍ରାଇଭରକୁ ଗିରଫ କରିଛି । ଆଉ ସେ ଗାଡ଼ି ଚଲାଉଥିଲା ଜଣେ ୨୪ ବର୍ଷୀୟ ମ୍ୟାନେଜମେଣ୍ଟ୍ ଛାତ୍ର । ଅଭିଯୁକ୍ତ ବିରୋଧରେ ଧାରା ୧୨୫ (ବି) ଏବଂ ୨୮୧ ଅନୁଯାୟୀ ମାମଲା ରୁଜୁ ହୋଇଛି । ଗୋଟିଏ ସେକେଣ୍ଡର ଭୁଲ୍ ଆଉ ବେପରୁଆ ମନୋଭାବ କେମିତି ହସଖୁସିର ପରିବାରକୁ ଧ୍ୱଂସ କରିଦିଏ, ତାହା ଏ ଘଟଣା ବୟାନ କରୁଛି । ସେହି ଯୁବକ ଜଣକ ଆଇନର ଜାଲରେ ତ ଛନ୍ଦି ହୋଇଗଲେ, କିନ୍ତୁ ହିମାଂଶୁ ଜୀବନସାରା ନିଜର ସବୁକିଛି ହରାଇଦେଲେ । ତେଣୁ ରାସ୍ତାରେ ଗାଡ଼ି ଚଳାଇଲା ବେଳେ ଦୟାକରି ନିଜର ଏବଂ ଅନ୍ୟର ଜୀବନ ପ୍ରତି ଯତ୍ନବାନ ହୁଅନ୍ତୁ ।  

What's Your Reaction?

like

dislike

love

funny

angry

sad

wow