ଭାରତକୁ ଗଣତନ୍ତ୍ର ଉପରେ ଭାଷଣ ଦେବା ଠିକ୍ ନୁହେଁ : ମେଲୋନିଙ୍କ ସହଯୋଗୀ
ଇଟାଲୀର ଫୋର୍ଜା ଇଟାଲିଆ ପାର୍ଟିର ନେତା ଡେବୋରା ବର୍ଗାମିନି, ଭାରତରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ଭୋଟ ଚୋରି ସମ୍ପର୍କରେ ମତାମତ ପାଇଁ ୟୁରୋପୀୟ ସମାଜବାଦୀ ପାର୍ଟିର ନେତା ଜିଆକୋମୋ ଫିଲିବେକଙ୍କୁ ସମାଲୋଚନା କରିଛନ୍ତି
ଇଟାଲୀର ଫୋର୍ଜା ଇଟାଲିଆ ପାର୍ଟିର ନେତା ଡେବୋରା ବର୍ଗାମିନି, ଭାରତରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ଭୋଟ ଚୋରି ସମ୍ପର୍କରେ ମତାମତ ପାଇଁ ୟୁରୋପୀୟ ସମାଜବାଦୀ ପାର୍ଟିର ନେତା ଜିଆକୋମୋ ଫିଲିବେକଙ୍କୁ ସମାଲୋଚନା କରିଛନ୍ତି । ସେ ଏପରି ମନ୍ତବ୍ୟକୁ ଭାରତ ଭଳି ଏକ ରଣନୈତିକ ଅଂଶୀଦାର ପାଇଁ ଅନୁପଯୁକ୍ତ ବୋଲି ବର୍ଣ୍ଣନା କରିଛନ୍ତି । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନିଙ୍କ ସରକାରଙ୍କ ସହଯୋଗୀ ଡେବୋରା କହିଛନ୍ତି ଯେ, ଭାରତର ନିଜସ୍ୱ ପ୍ରତିଷ୍ଠିତ ବ୍ୟବସ୍ଥା ଅଛି। ଏପରିସ୍ଥଳେ ବାହାର ଦେଶର କୌଣସି ନେତାଙ୍କୁ ଉପଦେଶ ଭରା ଭାଷଣ ଦେବାର ଆବଶ୍ୟକତା ନାହିଁ । ଇଟାଲୀୟ ନେତା ଆକୋମୋ ଫିଲିବେକ ହାଇଦ୍ରାବାଦରେ ଭୋଟ୍ ଚୋର, ସିଂହାସନ ଛାଡ଼ ସ୍ଲୋଗାନ ଦେବା ପରେ ଡେବୋରା ବର୍ଗାମିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସମର୍ଥନରେ ବାହାରିଛନ୍ତି ।
ସେ ଫିଲିବେକଙ୍କୁ ପାଲଟା ଜବାବ ଦେଇ ଭାରତର ଗଣତାନ୍ତ୍ରିକ ସଂସ୍ଥା ଏବଂ ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରି ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ, ଭାରତକୁ ଗଣତନ୍ତ୍ର ଉପରେ ଭାଷଣ ଦେବା ଠିକ୍ ନୁହେଁ। ଦେଶରେ ଯେଉଁଠାରେ ୯୭ କୋଟି ନାଗରିକ ଭୋଟ୍ ଦେଇଥାନ୍ତି। ନିଜର ବିବାଦ ସମାଧାନ ପାଇଁ ଭାରତର ନିଜସ୍ୱ ନ୍ୟାୟପାଳିକା ଅଛି।
ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଦାବି ଏବଂ ଅଭିଯୋଗ କରିବାକୁ ସ୍ୱାଧୀନତା ରହିଛି । ତେବେ ଭାରତ ଭଳି ଏକ ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହ ଆମେ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ଗଠନ କରିଛୁ ଏବଂ ସମସ୍ତ କ୍ଷେତ୍ରରେ ଗଭୀର ସହଯୋଗ ବିକଶିତ କରିଛୁ। ତେଣୁ ଭାରତର ଘରୋଇ ରାଜନୈତିକ ବିତର୍କରେ ସାମିଲ ହେବା ଭୁଲ୍।
ଫିଲବେକ ସମ୍ମିଳନୀରେ କହିଥିଲେ ଯେ, ଗଣତନ୍ତ୍ର ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପରି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ। ଭାରତରେ ଗଣତନ୍ତ୍ର ଆକ୍ରମଣର ଶିକାର ହେଉଛି। ଆମକୁ ଏହାକୁ ରକ୍ଷା କରିବାକୁ ପଡିବ। ସୁରକ୍ଷା ଦେବାର ସର୍ବୋତ୍ତମ ଉପାୟ ହେଉଛି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ସହିତ ଠିଆ ହେବା ।
What's Your Reaction?