ଆଇଟି ଚାକିରି ଛାଡ଼ି ଖାଦ୍ୟ ବ୍ୟବସାୟ କରିବାର ନିଷ୍ପତ୍ତି ନେଲେ ଦମ୍ପତି; ୯ ମାସରେ ଆୟ କରିଛନ୍ତି ୫୬ଲକ୍ଷ ଟଙ୍କା

Nov 14, 2026 - 13:06
ଆଇଟି ଚାକିରି ଛାଡ଼ି ଖାଦ୍ୟ ବ୍ୟବସାୟ କରିବାର ନିଷ୍ପତ୍ତି ନେଲେ ଦମ୍ପତି; ୯ ମାସରେ ଆୟ କରିଛନ୍ତି ୫୬ଲକ୍ଷ ଟଙ୍କା

ନିଜର ଦୈନନ୍ଦିନ ସମସ୍ୟାକୁ ବ୍ୟବସାୟର ସୁଯୋଗରେ ପରିଣତ କରି ସଫଳତା ପାଇଛନ୍ତି ଏକ ଦମ୍ପତି। ଆଇଟି କମ୍ପାନିରେ ଚାକିରି କରୁଥିବା ଦିୟା କ୍ରିଷ୍ଣକୁମାର ଏବଂ ଆଦିତ୍ୟ ନଟରାଜନ୍‌ ଘରୋଇ ଖାଦ୍ୟ ନମିଳିବା ସମସ୍ୟାରୁ ନିଜର ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଚିନ୍ତା କରିଥିଲେ। 

ନିଜର ଦୈନନ୍ଦିନ ସମସ୍ୟାକୁ ବ୍ୟବସାୟର ସୁଯୋଗରେ ପରିଣତ କରି ସଫଳତା ପାଇଛନ୍ତି ଏକ ଦମ୍ପତି। ଆଇଟି କମ୍ପାନିରେ ଚାକିରି କରୁଥିବା ଦିୟା କ୍ରିଷ୍ଣକୁମାର ଏବଂ ଆଦିତ୍ୟ ନଟରାଜନ୍‌ ଘରୋଇ ଖାଦ୍ୟ ନମିଳିବା ସମସ୍ୟାରୁ ନିଜର ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଚିନ୍ତା କରିଥିଲେ। ଅଫିସ୍‌ରେ ଦୀର୍ଘ ସମୟ କାମ କରିବା ପରେ ଘରକୁ ଫେରି ରୋଷେଇ କରିବା କଷ୍ଟକର ହେଉଥିଲା। ବାହାର ଖାଦ୍ୟ ଅପେକ୍ଷା ସେମାନେ ସ୍ୱାସ୍ଥ୍ୟକର ଓ ଘରୋଇ ଖାଦ୍ୟକୁ ପସନ୍ଦ କରୁଥିଲେ।

ଏହି ସମସ୍ୟାର ସମାଧାନ ଖୋଜିବାକୁ ଯାଇ ଉଭୟ ମିଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ସେବା ବିଷୟରେ ଜାଣିଥିଲେ। କିନ୍ତୁ ସେଠାରେ ମନପସନ୍ଦର ସାଧାରଣ ଭାରତୀୟ ଖାଦ୍ୟ ମିଳୁ ନଥିଲା। ଶେଷରେ ୨୦୨୪ ସେପ୍ଟେମ୍ବରରେ ଆଇଟି ଚାକିରି ଛାଡ଼ି ଉଭୟ ବେଙ୍ଗାଲୁରୁରେ ‘ୱେଲଫେଡ୍‌’ ନାମରେ ଏକ ହେଲ୍‌ଦି ମିଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ।

୬ ଜଣଙ୍କୁ ନେଇ ଟିମ୍‌ ଗଠନ କରିଥିଲେ
ଏହି ବ୍ୟବସାୟ ପାଇଁ ଦମ୍ପତି ନିଜ ସଞ୍ଚିତ ଅର୍ଥରୁ ପ୍ରାୟ ୧୫ ଲକ୍ଷ ଟଙ୍କା ନିବେଶ କରିଥିଲେ। ପ୍ରଥମେ ୬ ଜଣଙ୍କୁ ନେଇ ଟିମ୍‌ ଗଠନ କରିଥିଲେ। ଏଥିରେ ଜଣେ ପୁଷ୍ଟିବିଜ୍ଞାନୀ, ରୋଷେୟା, ଷ୍ଟିୱାର୍ଡ ଓ ଡେଲିଭରି କର୍ମଚାରୀ ରହିଥିଲେ। ଖାଦ୍ୟର ପୁଷ୍ଟିକର ମାନ ନିର୍ଦ୍ଧାରଣ କରିବାରେ ନ୍ୟୁଟ୍ରିସନିଷ୍ଟ ସହାୟତା କରୁଥିଲେ। ପ୍ରଥମେ ବନ୍ଧୁ ଓ ପରିବାରବର୍ଗଙ୍କୁ ଖାଦ୍ୟ ଯୋଗାଇ ମତାମତ ସଂଗ୍ରହ କରିଥିଲେ।

‘ୱେଲଫେଡ୍‌’ର ମେନ୍ୟୁରେ ଡାଲି, ଆଳୁ ଗୋଭି, ଜୱାର ରୁଟି, ଅଦା ଚିକେନ୍‌ ଓ ଛୋଲେ ଚାଟ୍‌ ଭଳି ଖାଦ୍ୟ ରହିଛି। ଏଥିସହ ପନିର, ଟୋଫୁ, ସୋୟା ଓ ଚିକେନ୍‌ ଭଳି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ମଧ୍ୟ ଦିଆଯାଉଛି। ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ରାପ୍ସ, ବିରିୟାନି ଓ ଇଣ୍ଡୋ-ଚାଇନିଜ୍‌ ଖାଦ୍ୟ ମଧ୍ୟ ମେନ୍ୟୁରେ ସାମିଲ କରାଯାଇଛି। ସୋସିଆଲ ମିଡିଆରେ ଜଣେ ନ୍ୟୁଟ୍ରିସନିଷ୍ଟଙ୍କ ରିଲ୍‌ ଯୋଗୁଁ ଷ୍ଟାର୍ଟଅପ୍‌କୁ ପ୍ରଥମ ୧୦୦ ଗ୍ରାହକ ମିଳିଥିଲେ।

ବ୍ୟବସାୟରେ ଧୀରେ ଧୀରେ ସଫଳତା ମିଳିବା ସହ ପ୍ରଥମ ବର୍ଷରେ ପ୍ରାୟ ୪୫ ଲକ୍ଷ ଟଙ୍କା ଆୟ ହୋଇଥିଲା। ତେବେ ୨୦୨୬ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ଏହାର ଆୟ ୫୬ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏଯାବତ୍‌ ୧୫୦୦ରୁ ଅଧିକ ଗ୍ରାହକଙ୍କୁ ୫୫ ହଜାରରୁ ଅଧିକ ମିଲ୍‌ ଯୋଗାଇ ଦେଇଛି ଏହି ସଂସ୍ଥା। ଏବେ ବେଙ୍ଗାଲୁରୁରେ ଡେଲିଭରି ସେବା ବଢ଼ାଇବା ସହ ଭବିଷ୍ୟତରେ ହାଇଦ୍ରାବାଦକୁ ବ୍ୟବସାୟ ସମ୍ପ୍ରସାରଣ କରିବାକୁ ଦମ୍ପତି ଯୋଜନା ରଖିଛନ୍ତି।

What's Your Reaction?

like

dislike

love

funny

angry

sad

wow