ସ୍ମୃତିଶକ୍ତି କମାଉଛି ସ୍କ୍ରିନସଟ୍ : ଆଜି ହିଁ ଛାଡନ୍ତୁ ଏହି ଅଭ୍ୟାସ

Aug 31, 2026 - 15:38
 0  2
ସ୍ମୃତିଶକ୍ତି କମାଉଛି ସ୍କ୍ରିନସଟ୍ : ଆଜି ହିଁ ଛାଡନ୍ତୁ ଏହି ଅଭ୍ୟାସ

ଆଜିକାଲି ସ୍ମାର୍ଟଫୋନ୍ ଆମ ଜୀବନର ଏକ ବଡ଼ ଅଂଶ ପାଲଟିଛି। କୌଣସି ଜରୁରୀ ସୂଚନା, ଫଟୋ କିମ୍ବା ମେସେଜ୍ ଦେଖିଲେ ଅନେକେ ତୁରନ୍ତ ତାହାର ସ୍କ୍ରିନସଟ୍ ନେଇ ରଖୁଛନ୍ତି 

ଆଜିକାଲି ସ୍ମାର୍ଟଫୋନ୍ ଆମ ଜୀବନର ଏକ ବଡ଼ ଅଂଶ ପାଲଟିଛି। କୌଣସି ଜରୁରୀ ସୂଚନା, ଫଟୋ କିମ୍ବା ମେସେଜ୍ ଦେଖିଲେ ଅନେକେ ତୁରନ୍ତ ତାହାର ସ୍କ୍ରିନସଟ୍ ନେଇ ରଖୁଛନ୍ତି। ଏହା ଦ୍ୱାରା ସୂଚନା ପରେ ଦେଖିପାରିବା ବୋଲି ଆମେ ଭାବୁ। କିନ୍ତୁ  ପରେ ଆମେ ଆଉ ଏହା ଉପରେ ଧ୍ୟାନ ଦେଇନଥାଉ। ଏହି ଅଭ୍ୟାସ ପାଇଁ ଆମ ସ୍ମୃତିଶକ୍ତି ହ୍ରାସ ପାଉଛି। ଆଗକାଳର ଲୋକମାନେ ବିନା ଫୋନରେ ଅନେକ ଜିନିଷ ମନେ ରଖୁଥିଲେ। କାରଣ ସେମାନଙ୍କ ପାଖେ ତଥ୍ୟ ସଂରକ୍ଷଣ କରିବାର ଏତେ ସହଜ ମାଧ୍ୟମ ନଥିଲା। କୌଣସି ଜିନିଷକୁ ବାରମ୍ବାର ଦେଖିବାର ସୁଯୋଗ ମିଳୁନଥିଲା। ଯାହା ଦ୍ବାରା ସେ ତଥ୍ୟକୁ ମନେ ରଖିବା ପାଇଁ ଧ୍ୟାନଦେଇ ଦେଖୁଥିଲେ ଓ ମନେ ରଖୁଥିଲେ। 
ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ 

ଆମେରିକାର ବିଙ୍ଗହାମଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଫଟୋ ନେବା ଓ ସ୍ମୃତିଶକ୍ତି ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ ରୋଚକ ଅଧ୍ୟୟନ କରିଥିଲେ। ଏହି ଗବେଷଣାରେ ‘Photo-Taking Impairment Effect’ ବିଷୟରେ ଆଲୋଚନା କରାଯାଇଥିଲା। ସରଳ ଭାଷାରେ କହିଲେ, କୌଣସି ଜିନିଷକୁ ନିଜେ ଧ୍ୟାନ ଦେଇ ଦେଖିବା ଅପେକ୍ଷା ତାହାର ଫଟୋ କିମ୍ବା ସ୍କ୍ରିନସଟ୍ ନେଲେ, ପରେ ସେହି ସୂଚନାକୁ ମନେ ରଖିବାର କ୍ଷମତା କମିପାରେ।

ଅଧ୍ୟୟନ ସମୟରେ ଛାତ୍ରମାନଙ୍କୁ ବିଭିନ୍ନ ଚିତ୍ର, ସ୍କେଚ୍ ଓ କଳାକୃତି ଦେଖାଯାଇଥିଲା। କିଛି ଚିତ୍ରର ସେମାନଙ୍କୁ ସ୍କ୍ରିନସଟ୍ ନେବାକୁ କୁହାଯାଇଥିଲା। ଆଉ କିଛି ଚିତ୍ରକୁ କେବଳ ଧ୍ୟାନ ଦେଇ ଦେଖିବାକୁ କୁହାଯାଇଥିଲା। ପରେ ଗବେଷକମାନେ ଛାତ୍ରମାନଙ୍କୁ ସେହି ଚିତ୍ରଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରିଥିଲେ। ଫଳାଫଳରେ ଦେଖାଯାଇଥିଲା ଯେ, ଯେଉଁ ଚିତ୍ରଗୁଡ଼ିକର ସ୍କ୍ରିନସଟ୍ ନିଆଯାଇଥିଲା, ସେଗୁଡ଼ିକର ବିବରଣୀ ମନେ ରଖିବାରେ ଛାତ୍ରମାନେ ତୁଳନାତ୍ମକ ଭାବେ କମ୍ ସଠିକ୍ ଥିଲେ। ଅନ୍ୟପକ୍ଷରେ, ଯେଉଁ ଚିତ୍ରଗୁଡ଼ିକୁ ସେମାନେ କେବଳ ଧ୍ୟାନ ଦେଇ ଦେଖିଥିଲେ, ସେଗୁଡ଼ିକର ବିବରଣୀ ଅଧିକ ଭଲ ଭାବରେ ମନେ ରଖିପାରିଥିଲେ।

ଗବେଷକଙ୍କ ମତରେ, ଏହାର ଗୋଟିଏ ପ୍ରମୁଖ କାରଣ ହେଉଛି ଧ୍ୟାନ ବିଭାଜିତ ହେବା। ଯେତେବେଳେ ଆମେ କୌଣସି ଜିନିଷର ଫଟୋ କିମ୍ବା ସ୍କ୍ରିନସଟ୍ ନେଉ, ସେତେବେଳେ ଆମର ଧ୍ୟାନ ଦେଖୁଥିବା ବିଷୟବସ୍ତୁରୁ ଫୋନ୍ ଚଳାଇବା ପ୍ରକ୍ରିୟା ଆଡ଼କୁ ମଧ୍ୟ ଯାଇଥାଏ। ଫଳରେ ସେହି ସୂଚନାକୁ ଗଭୀର ଭାବରେ ମନେ ରଖିବାରେ ବାଧା ସୃଷ୍ଟି ହୋଇପାରେ। ସରଳ ଭାବରେ କହିଲେ, ଯେତେବେଳେ ଆମେ ଜାଣୁ ଯେ କୌଣସି ସୂଚନା ଫୋନ୍‌ରେ ସୁରକ୍ଷିତ ଅଛି, ସେତେବେଳେ ତାହାକୁ ନିଜ ସ୍ମୃତିରେ ରଖିବା ପାଇଁ ମସ୍ତିଷ୍କ ଉପରେ ସେତେଟା ଚାପ ଦେଇନଥାଉ। ଏହାର ଏକ ସାଧାରଣ ଉଦାହରଣ ହେଉଛି ଫୋନ୍ ନମ୍ବର। ମୋବାଇଲରେ ନମ୍ବର ସେଭ୍ ରହୁଥିବାରୁ ଆମେ ଅନେକ ସମୟରେ ତାହାକୁ ମନେ ରଖିବାକୁ ଚେଷ୍ଟା କରୁନାହୁଁ।

ଆଜିର ଡିଜିଟାଲ୍ ଯୁଗରେ ଏହି ଅଭ୍ୟାସ ଆହୁରି ବଢ଼ିଚାଲିଛି। କୌଣସି ଦରକାରୀ ତଥ୍ୟ, ନୋଟ୍, ଠିକଣା କିମ୍ବା ମେସେଜ୍ ଦେଖିଲେ ଆମେ ସଙ୍ଗେସଙ୍ଗେ ସ୍କ୍ରିନସଟ୍ ନେଇ ନେଉଛୁ। କିନ୍ତୁ ପ୍ରଶ୍ନ ହେଉଛି—ସେହି ସ୍କ୍ରିନସଟ୍ ପରେ ଆମେ କେତେଥର ଖୋଲି ଦେଖୁଛୁ?

ଅନେକ ସମୟରେ ଫୋନ୍‌ର ଗ୍ୟାଲେରୀରେ ଶହ ଶହ ସ୍କ୍ରିନସଟ୍ ଜମା ହୋଇରହିଥାଏ, କିନ୍ତୁ ସେଥିରେ ଥିବା ଦରକାରୀ ସୂଚନା ଆମ ମନରେ ରହିପାରେ ନାହିଁ। ଅର୍ଥାତ୍, ଆମେ ସୂଚନାକୁ ମନେ ରଖିବା ପରିବର୍ତ୍ତେ ଫୋନ୍‌ର ମେମୋରୀ ଉପରେ ନିର୍ଭରଶୀଳ ହୋଇପଡ଼ୁଛୁ। ତେଣୁ ପ୍ରତ୍ୟେକ ଜିନିଷର ସ୍କ୍ରିନସଟ୍ ନେବା ପୂର୍ବରୁ ଥରେ ଭାବନ୍ତୁ—ଏହି ସୂଚନାକୁ କେବଳ ସେଭ୍ କରିବାକୁ ଚାହୁଁଛନ୍ତି, ନା ସତରେ ମନେ ରଖିବାକୁ ଚାହୁଁଛନ୍ତି?

ତେବେ ଏହାର ଅର୍ଥ ନୁହେଁ ଯେ ସ୍କ୍ରିନସଟ୍ ନେବା ସମ୍ପୂର୍ଣ୍ଣ ଖରାପ। ଜରୁରୀ ସୂଚନାକୁ ପରେ ଦେଖିବା ପାଇଁ ସ୍କ୍ରିନସଟ୍ ନେବା ନିଶ୍ଚୟ ଉପଯୋଗୀ।  କିନ୍ତୁ କୌଣସି ସୂଚନାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରଖିବା ଆବଶ୍ୟକ ହେଲେ, କେବଳ ସ୍କ୍ରିନସଟ୍ ଉପରେ ନିର୍ଭର ନକରି ତାହାକୁ ନିଜେ ପଢ଼ିବା, ବୁଝିବା, ଆଲୋଚନା କରିବା ଏବଂ ଆବଶ୍ୟକ ହେଲେ ନିଜ ଭାଷାରେ ନୋଟ୍ କରିବା ଅଧିକ ଉପଯୋଗୀ ହୋଇପାରେ।

କାରଣ ଫୋନ୍ ସୂଚନାକୁ ସେଭ୍ କରିପାରେ, କିନ୍ତୁ ତାହାକୁ ସତରେ ମନେ ରଖିବାର କାମ ଆମ ମସ୍ତିଷ୍କକୁ ହିଁ କରିବାକୁ ପଡ଼ିଥାଏ। ସ୍ମାର୍ଟଫୋନ୍ ନିଶ୍ଚୟ ଆମ ଜୀବନକୁ ସହଜ କରିଛି। କିନ୍ତୁ ପ୍ରତ୍ୟେକ ସୂଚନାକୁ ଫୋନ୍‌ରେ ସଂରକ୍ଷଣ କରିବାର ଅଭ୍ୟାସ ନକରି, କିଛି ଦରକାରୀ ସୂଚନାକୁ ନିଜେ ମନେ ରଖିବା ଏବଂ ବୁଝିବାର ଅଭ୍ୟାସ କରିବା ମଧ୍ୟ ସେତେଇ ଜରୁରୀ।

ହୋଇପାରେ ପରବର୍ତ୍ତୀ ଥର କୌଣସି ଦରକାରୀ ଜିନିଷ ଦେଖିଲେ, ସଙ୍ଗେସଙ୍ଗେ ସ୍କ୍ରିନସଟ୍ ନେବା ପରିବର୍ତ୍ତେ କିଛି ସେକେଣ୍ଡ ଧ୍ୟାନ ଦେଇ ଦେଖନ୍ତୁ। କାରଣ କେବେ କେବେ ଫୋନ୍‌ରେ ସେଭ୍ କରାଯାଇଥିବା ସୂଚନାଠାରୁ, ନିଜ ମନରେ ସଞ୍ଚିତ ସ୍ମୃତି ଅଧିକ ମୂଲ୍ୟବାନ ହୋଇଥାଏ।

What's Your Reaction?

like

dislike

love

funny

angry

sad

wow