ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶ ଆଗରେ ଦୁଇଟି ସର୍ତ୍ତ ରଖିଲା ଭାରତ
ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆସନ୍ତା ଡିସେମ୍ବର ମାସରେ ସ୍ୱଦେଶ ଫେରିବାକୁ ଯୋଜନା ରଖିଛନ୍ତି। ତେବେ ହାସିନାଙ୍କ ଏହି ପ୍ରତ୍ୟାବର୍ତ୍ତନ ପୂର୍ବରୁ ଭାରତ ସରକାର ବାଂଲାଦେଶ ନିକଟରେ ଦୁଇଟି...
ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆସନ୍ତା ଡିସେମ୍ବର ମାସରେ ସ୍ୱଦେଶ ଫେରିବାକୁ ଯୋଜନା ରଖିଛନ୍ତି। ତେବେ ହାସିନାଙ୍କ ଏହି ପ୍ରତ୍ୟାବର୍ତ୍ତନ ପୂର୍ବରୁ ଭାରତ ସରକାର ବାଂଲାଦେଶ ନିକଟରେ ଦୁଇଟି ପ୍ରମୁଖ ସର୍ତ୍ତ ରଖିଥିବା ''ବିବିସି ବାଂଲା''ର ଏକ ରିପୋର୍ଟରେ ଦାବି କରାଯାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନୂଆଦିଲ୍ଲୀ ହାସିନାଙ୍କ ସ୍ବଦେଶ ଫେରିବା ଯୋଜନାରେ ସହମତ ଥିଲେ ମଧ୍ୟ ତାଙ୍କର ପୂର୍ଣ୍ଣ ସୁରକ୍ଷା ଏବଂ ତାଙ୍କୁ ଏକ ନିରପେକ୍ଷ ବିଚାରର ସୁଯୋଗ ଦେବା ପାଇଁ ଢାକା ନିକଟରୁ ଗ୍ୟାରେଣ୍ଟି ଚାହୁଁଛି।
ରିପୋର୍ଟ ମୁତାବକ, ୨୦୨୪ ମସିହା ଅଗଷ୍ଟ ୫ ତାରିଖରେ ହାସିନା ଯେଉଁଭଳି ଭାବେ ବାଂଲାଦେଶ ସେନାର ଏକ ବିମାନରେ ଭାରତ ଆସିଥିଲେ, ଠିକ୍ ସେହିପରି ବାଂଲାଦେଶ ସେନା ହିଁ ତାଙ୍କୁ ଫେରାଇ ନେବାର ଦାୟିତ୍ୱ ନେଉ ବୋଲି ଭାରତ ଚାହୁଁଛି। ଦ୍ୱିତୀୟ ସର୍ତ୍ତଟି ଆଇନଗତ ପ୍ରକ୍ରିୟା ସହ ଜଡ଼ିତ। ବାଂଲାଦେଶର ଏକ ଅଦାଲତ ହାସିନାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇ ସାରିଥିବାରୁ ଭାରତ ତାଙ୍କୁ ସିଧାସଳଖ ଫାଶୀ ଖୁଣ୍ଟକୁ ଠେଲି ଦେବାକୁ ଚାହୁଁନାହିଁ। ବରଂ ମୃତ୍ୟୁଦଣ୍ଡ ବିରୋଧରେ ଆବେଦନ କରିବାର ସୁଯୋଗ ଏବଂ ୨୦୨୪ ହିଂସା ମାମଲାରେ ଅନ୍ତର୍ଜାତୀୟ ସମୁଦାୟ ଓ ଗଣମାଧ୍ୟମର ନଜରରେ ପୁନର୍ବାର ଏକ ସ୍ୱଚ୍ଛ ଓ ନିରପେକ୍ଷ ବିଚାର ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀ ଦାବି କରିଛି।
ସୋସିଆଲ ମିଡିଆରେ କଟାକ୍ଷ କରିଛନ୍ତି କେଏମ୍ ନଜମୁଲ୍ ହକ୍
ଗତ ନଭେମ୍ବର ୯ ତାରିଖରେ ହାସିନା ନୂଆ ପାସପୋର୍ଟ ଓ ଯାତ୍ରା ଦସ୍ତାବିଜ୍ ପାଇଁ ଆବେଦନ କରି ନିର୍ବାସନ ପରେ ପ୍ରଥମ ଥର ପାଇଁ ବାଂଲାଦେଶ ସରକାରଙ୍କ ସହ ଆନୁଷ୍ଠାନିକ ଯୋଗାଯୋଗ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସରକାର ଏହି ରିପୋର୍ଟ ଉପରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସହକାରୀ ପ୍ରେସ୍ ସଚିବ କେଏମ୍ ନଜମୁଲ୍ ହକ୍ ସୋସିଆଲ ମିଡିଆରେ କଟାକ୍ଷ କରିଛନ୍ତି। ବିଶ୍ୱର କୌଣସି ଦେଶ ହାସିନାଙ୍କୁ ଆଶ୍ରୟ ଦେବାକୁ ରାଜି ନହେବାରୁ ସେ ଶେଷ ବିକଳ୍ପ ଭାବେ ଦଳୀୟ କର୍ମୀଙ୍କ ଉପରେ ଭରସା କରି ବାଂଲାଦେଶ ଫେରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ରାଜନୈତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲେ ମଧ୍ୟ ଗତ କିଛି ମାସ ଧରି ପରଦା ପଛରେ ଉଭୟ ପକ୍ଷର ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଚାଲିଥିବା ରିପୋର୍ଟରେ କୁହାଯାଇଛି। ଗତ ଅକ୍ଟୋବର ମାସରେ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ଦିଲ୍ଲୀ ଆସି ସେନାମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ଭେଟିବା ଘଟଣା ମଧ୍ୟ ଏହି ପ୍ରକ୍ରିୟା ସହ ଜଡ଼ିତ ଥିବା ଚର୍ଚ୍ଚା ହେଉଛି। ତେବେ ବାଂଲାଦେଶର ବର୍ତ୍ତମାନର ଆଭ୍ୟନ୍ତରୀଣ ସଙ୍କଟକୁ ଦୃଷ୍ଟିରେ ରଖି ଢାକା ସରକାର ବାସ୍ତବରେ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ଚାହୁଁନଥିବାରୁ ଆସନ୍ତା ଡିସେମ୍ବରରେ ତାଙ୍କର ସ୍ୱଦେଶ ଫେରିବା ସମ୍ଭାବନା ବହୁତ କମ୍ ବୋଲି କୂଟନୈତିକ ମହଲରେ ଆକଳନ କରାଯାଉଛି।
What's Your Reaction?