ନେପାଳରେ ବନ୍ୟାର ଭୟଙ୍କର ପ୍ରଭାବ, ବିଦ୍ୟୁତ୍ ସଙ୍କଟରେ ସହଯୋଗର ହାତ ବଢ଼ାଇଲା ଭାରତ !
ଏଭଳି ସ୍ଥିତିରେ ନେପାଳର ସହାୟତା ପାଇଁ ଆଗେଇ ଆସିଛି ଭାରତ । ନେପାଳରେ ବିଦ୍ୟୁତ୍ ଅଭାବ ଦେଖାଦେଲେ ଭାରତ ଆବଶ୍ୟକତା ଅନୁସାରେ ଅତିରିକ୍ତ ବିଦ୍ୟୁତ୍ ଯୋଗାଇବାକୁ ପ୍ରସ୍ତୁତ ରହିଛି । ଏହାଦ୍ୱାରା ବନ୍ୟା ପରେ ନେପାଳର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବାରେ ସହାୟତା ମିଳିବ।
ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ନେପାଳ । ଆକସ୍ମିକ ବନ୍ୟା ଯୋଗୁଁ ଦେଶର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ଉପରେ ପଡ଼ିଛି ବଡ଼ ପ୍ରଭାବ । ଅନେକ ପ୍ରକଳ୍ପ କ୍ଷତିଗ୍ରସ୍ତ ହେବାରୁ ପ୍ରାୟ ‘୫୫୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା’ କମିଯାଇଛି । ଏଭଳି ସ୍ଥିତିରେ ନେପାଳର ସହାୟତା ପାଇଁ ଆଗେଇ ଆସିଛି ଭାରତ । ନେପାଳରେ ବିଦ୍ୟୁତ୍ ଅଭାବ ଦେଖାଦେଲେ ଭାରତ ଆବଶ୍ୟକତା ଅନୁସାରେ ଅତିରିକ୍ତ ବିଦ୍ୟୁତ୍ ଯୋଗାଇବାକୁ ପ୍ରସ୍ତୁତ ରହିଛି । ଏହାଦ୍ୱାରା ବନ୍ୟା ପରେ ନେପାଳର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବାରେ ସହାୟତା ମିଳିବ।
ଭାରତଠାରୁ ବିଦ୍ୟୁତ୍ ଚାହିଁଲା ନେପାଳ
ବନ୍ୟା ଯୋଗୁଁ ଜଳବିଦ୍ୟୁତ୍ ଉତ୍ପାଦନରେ ହୋଇଥିବା ହ୍ରାସକୁ ଦୃଷ୍ଟିରେ ରଖି ନେପାଳ ଭାରତଠାରୁ ଅତିରିକ୍ତ ବିଦ୍ୟୁତ୍ ଆମଦାନୀ ପାଇଁ ଅନୁମତି ବଢ଼ାଇବାକୁ ଅନୁରୋଧ କରିଛି। ଭାରତର ବିଦ୍ୟୁତ୍ ମନ୍ତ୍ରଣାଳୟ ଅଧିକାରୀଙ୍କ ଅନୁସାରେ, ନେପାଳର ଚାହିଦା ଅନୁସାରେ ବିଦ୍ୟୁତ୍ ଯୋଗାଇ ଦିଆଯିବ। ଭାରତୀୟ ଅଧିକାରୀଙ୍କ କହିବା ଅନୁସାରେ, ନେପାଳକୁ ଅତିରିକ୍ତ ବିଦ୍ୟୁତ୍ ଯୋଗାଇଲେ ମଧ୍ୟ ଭାରତର ଘରୋଇ ବିଦ୍ୟୁତ୍ ଯୋଗାଣ ଉପରେ ବଡ଼ ପ୍ରଭାବ ପଡ଼ିବ ନାହିଁ। ଦେଶର ମଜବୁତ ପାୱାର ଗ୍ରିଡ୍ ଓ ପର୍ଯ୍ୟାପ୍ତ ଉତ୍ପାଦନ କ୍ଷମତା ଯୋଗୁଁ ଏହି ଅତିରିକ୍ତ ଚାହିଦାକୁ ପୂରଣ କରାଯାଇପାରିବ।
୫୫୦ ମେଗାୱାଟ୍ ଉତ୍ପାଦନ କ୍ଷମତା ଠପ୍
ଅଗଷ୍ଟ ୨୬ରେ ତ୍ରିଶୁଳୀ ଓ ଲେଣ୍ଡେ ଖୋଲା ନଦୀ ଅବବାହିକାରେ ହଠାତ୍ ବନ୍ୟା ଆସିଥିଲା। ଏହାର ପ୍ରଭାବରେ ନେପାଳର ରସୁୱା ଓ ନୁୱାକୋଟ୍ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟ ଠପ୍ ହୋଇଯାଇଛି।
ବନ୍ୟା ପୂର୍ବରୁ ନେପାଳର ସ୍ଥାପିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ‘ ୪,୨୦୦ ମେଗାୱାଟ୍ରୁ ଅଧିକ’ ଥିଲା। କିନ୍ତୁ ବନ୍ୟା ପରେ ପ୍ରାୟ ୫୫୦ ମେଗାୱାଟ୍ ଉତ୍ପାଦନ କ୍ଷମତା ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତକୁ ହେଉଥିବା ନେପାଳର ବିଦ୍ୟୁତ୍ ଯୋଗାଣ ଉପରେ ମଧ୍ୟ ପଡ଼ିଛି। ପ୍ରାୟ ‘୪୦୦ ମେଗାୱାଟ୍ ବିଦ୍ୟୁତ୍ ଯୋଗାଣ କମିଥିବା’ ଜଣାପଡ଼ିଛି।
୯ଟି ପ୍ରକଳ୍ପରେ ବିପୁଳ କ୍ଷତି
ବନ୍ୟାରେ ନେପାଳର ୯ଟି ଜଳବିଦ୍ୟୁତ୍ ପ୍ରକଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ କାମ କରୁଥିବା ‘ପ୍ରାୟ ୫୩୭ ଜଣ କର୍ମଚାରୀ ନିଖୋଜ’ ଥିବା ସୂଚନା ମିଳିଛି । କାଦୁଅ ଓ ମାଟିରେ ଅନେକ ସୁଡ଼ଙ୍ଗ ବନ୍ଦ ହୋଇଯାଇଥିବାରୁ ଭିତରେ ଫସିଥିବା ଲୋକଙ୍କୁ ଖୋଜିବା ଉଦ୍ଧାରକାରୀ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତଥାପି ନିଖୋଜ ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଛି । ବନ୍ୟା ପରେ ନେପାଳର ବିଦ୍ୟୁତ୍ ବ୍ୟବସ୍ଥା ଉପରେ ବଡ଼ ଚାପ ସୃଷ୍ଟି ହୋଇଥିବାବେଳେ, ସଙ୍କଟ ସମୟରେ ଭାରତର ବିଦ୍ୟୁତ୍ ସହଯୋଗ ନେପାଳ ପାଇଁ ଆଶ୍ୱାସନ ପାଲଟିଛି ।
What's Your Reaction?