ବରଗଡ଼ରେ ବାଘ ଆତଙ୍କ! CCTVରେ କଏଦ ବାଘର ଶିକାର
ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଅମ୍ବାଭୋନା ବ୍ଲକ୍ ଲାଉନସରା ଅଞ୍ଚଳରେ ବାଘ ବୁଲୁଥିବାର ଚିତ୍ର ଏବେ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି । ବନ ବିଭାଗ ପକ୍ଷରୁ ଲଗାଯାଇଥିବା CCTV କ୍ୟାମେରାରେ କଏଦ ହୋଇଛି ବାଘର ଗତିବିଧି ।
ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଅମ୍ବାଭୋନା ବ୍ଲକ୍ ଲାଉନସରା ଅଞ୍ଚଳରେ ବାଘ ବୁଲୁଥିବାର ଚିତ୍ର ଏବେ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି । ବନ ବିଭାଗ ପକ୍ଷରୁ ଲଗାଯାଇଥିବା CCTV କ୍ୟାମେରାରେ କଏଦ ହୋଇଛି ବାଘର ଗତିବିଧି । ମଙ୍ଗଳବାର ରାତିରେ ଲାଉନସରା ଅଞ୍ଚଳରେ ବାଘ ବୁଲୁଥିବା ବେଳେ କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଛି ।
କେବଳ ବୁଲୁଥିବା ନୁହେଁ, ଏକ କୁକୁରକୁ ମାରି ଖାଇଥିବାର ଦୃଶ୍ୟ ମଧ୍ୟ CCTVରେ ରେକର୍ଡ ହୋଇଛି । ଯାହା ପରେ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ବଢ଼ିଛି ଭୟ । ବାଘ ଆତଙ୍କକୁ ନେଇ ଲୋକଙ୍କ ଭିତରେ ଛନକା ପଶିଛି । ବିଶେଷକରି ସନ୍ଧ୍ୟା ପରେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି ସ୍ଥାନୀୟ ଲୋକେ । କେତେବେଳେ, କେଉଁଠି ବାଘର ସାମ୍ନା ହୋଇଯିବ, ସେହି ଆଶଙ୍କାରେ ରହିଛନ୍ତି ଅଞ୍ଚଳବାସୀ ।ଦିନରେ ଯେଉଁ ରାସ୍ତାରେ ଲୋକଙ୍କ ଚଳପ୍ରଚଳ ରହୁଥିଲା, ସନ୍ଧ୍ୟା ହେଲେ ଏବେ ସେହି ରାସ୍ତା ଖାଁ ଖାଁ ଲାଗୁଛି । ଘରୁ ବାହାରିବା ପୂର୍ବରୁ ଚାରିଆଡ଼କୁ ଥରେ ନଜର ପକାଉଛନ୍ତି ଲୋକେ । ଛୋଟ ପିଲାମାନଙ୍କୁ ଏକୁଟିଆ ବାହାରକୁ ନ ପଠାଇବା ପାଇଁ ପରିବାର ଲୋକେ ସତର୍କ ହୋଇଛନ୍ତି ।
କାହାର ଘର ପାଖରେ, କାହାର ଚାଷଜମି ନିକଟରେ କିମ୍ବା କେଉଁ ରାସ୍ତାରେ ପୁଣି ବାଘର ଦେଖା ମିଳିବ, ତାହାକୁ ନେଇ ଆତଙ୍କରେ ଅଞ୍ଚଳବାସୀ । ଗାଁରେ ଏବେ ଗୋଟିଏ ଚର୍ଚ୍ଚା—ବାଘଟି ଏବେ କେଉଁଠି ଅଛି?ତେବେ ଲୋକଙ୍କୁ ଭୟଭୀତ ନହେବାକୁ କହିଛି ବନ ବିଭାଗ । ବରଗଡ଼ DFOଙ୍କ ସୂଚନା ଅନୁସାରେ, ବାଘର ଗତିବିଧି ଉପରେ ଲଗାତାର ନଜର ରଖାଯିବା ସହ ତାକୁ ଟ୍ରାକ୍ କରାଯାଉଛି । ଏଥିସହ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି ଏବଂ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତତ୍ପରତାର ସହ କାମ କରୁଛି ।ବନ ବିଭାଗର ଟିମ୍ ବାଘର ପାଦଚିହ୍ନ ଓ ଗତିବିଧିକୁ ନଜରରେ ରଖିଥିବା ବେଳେ, CCTV କ୍ୟାମେରା ମାଧ୍ୟମରେ ମଧ୍ୟ ଲଗାତାର ମନିଟରିଂ କରାଯାଉଛି । ଆବଶ୍ୟକ ପଡ଼ିଲେ ବାଘର ଗତିବିଧି ଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି ।
ସେପଟେ DFOଙ୍କ କହିବା ଅନୁସାରେ, ଜଙ୍ଗଲରେ ୫୦ରୁ ଅଧିକ ବାଘ ଛଡ଼ାଯାଇଛି । ତେଣୁ ଏହି ବାଘଟି କେଉଁ ଅଞ୍ଚଳରୁ ଆସିଛି ଏବଂ ଏହାର ଗତିବିଧି କେଉଁ ଦିଗରେ ରହିଛି, ତାହା ଉପରେ ତୀକ୍ଷ୍ଣ ନଜର ରଖିଛି ବନ ବିଭାଗ ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ—କେବେ ଏହି ବାଘର ଗତିବିଧି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମିଳିବ? କେବେ ଦୂର ହେବ ଲାଉନସରା ଅଞ୍ଚଳବାସୀଙ୍କ ଭୟ? ବନ ବିଭାଗର ଟ୍ରାକିଂ ଅପରେସନ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ସେପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ବନ ବିଭାଗର ପରାମର୍ଶ ମାନିବାକୁ କୁହାଯାଇଛି ।
What's Your Reaction?