ବିବାହ ପରେ ବି ଝିଅଙ୍କୁ ମିଳିବ ବାପାଙ୍କ ସମ୍ପତ୍ତି,ହକ୍ ପାଇଁ ହତାଦର ହେବେନି ଝିଅ; ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ
୨୦୦୫ ମାଧ୍ୟମରେ ସଂସଦ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ସହ ସମାନ ଅଧିକାର ପ୍ରଦାନ କରିଛନ୍ତି । ଏହି ସଂଶୋଧନ ଅନୁଯାୟୀ, ଜଣେ ଝିଅ ଜନ୍ମରୁ ହିଁ ପୈତୃକ ସମ୍ପତ୍ତିରେ ସହ-ଅଂଶୀଦାର ରହିଥାଏ ।
ବର୍ଷ ବର୍ଷ ଧରି ଭାରତୀୟ ସମାଜରେ ଏକ ପରମ୍ପରା ଚାଲିଆସୁଥିଲା ଯେ ପିତାଙ୍କ ସମ୍ପତ୍ତି ଉପରେ କେବଳ ପୁଅମାନଙ୍କର ହିଁ ସମ୍ପୂର୍ଣ୍ଣ ଅଧିକାର ରହିବ । ଏହି କାରଣରୁ ଝିଅମାନଙ୍କର ଅଧିକାର ସବୁବେଳେ ସୀମିତ ହୋଇ ରହିଯାଉଥିଲା । କିନ୍ତୁ ସମୟ ବଦଳିବା ସହ ଆମ ଦେଶର ଆଇନରେ ଏକ ବଡ଼ ପରିବର୍ତ୍ତନ ଆସିଛି ଯାହା ଝିଅମାନଙ୍କୁ ସମାଜରେ ଏକ ନୂଆ ପରିଚୟ ଓ ସମ୍ମାନ ଦେଇଛି । ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୨୦୦୫ ମାଧ୍ୟମରେ ସଂସଦ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ସହ ସମାନ ଅଧିକାର ପ୍ରଦାନ କରିଛନ୍ତି । ଏହି ସଂଶୋଧନ ଅନୁଯାୟୀ, ଜଣେ ଝିଅ ଜନ୍ମରୁ ହିଁ ପୈତୃକ ସମ୍ପତ୍ତିରେ ସହ-ଅଂଶୀଦାର ରହିଥାଏ । ଏହାର ଅର୍ଥ ହେଉଛି ବିବାହ ପରେ ମଧ୍ୟ ଝିଅର ଏହି ଅଧିକାର ଶେଷ ହୁଏ ନାହିଁ ଏବଂ ସେ ସମ୍ପତ୍ତି ଭାଗବଣ୍ଟା ପାଇଁ ଦାବି କରିପାରିବେ । ଏହି ଆଇନରେ ମାନ୍ୟବର ସୁପ୍ରିମକୋର୍ଟଙ୍କ କିଛି ସେଲିବ୍ରେଟେଡ୍ ବା ଐତିହାସିକ ନିଷ୍ପତ୍ତି ଏହି ଅଧିକାରକୁ ଆହୁରି ମଜବୁତ କରିଛି । ଯେମିତିକି
ପ୍ରକାଶ ବନାମ ଫୁଲବତୀ (୨୦୧୬)
ଏହି ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ସମାନ ଅଧିକାରର ଲାଭ ପାଇବା ପାଇଁ ୨୦୦୫ର ସଂଶୋଧନ ଆଇନ ଲାଗୁ ହେବା ସମୟରେ ଝିଅ ଜୀବିତ ଥିବା ଆବଶ୍ୟକ
ବିନୀତା ଶର୍ମା ବନାମ ରାକେଶ ଶର୍ମା (୨୦୨୦)
ଏହା ଝିଅମାନଙ୍କ ସମ୍ପତ୍ତି ଅଧିକାର କ୍ଷେତ୍ରରେ ସବୁଠାରୁ ବଡ଼ ରାୟ ଥିଲା । କୋର୍ଟ ସ୍ପଷ୍ଟ କରିଥିଲେ ଯେ ଯଦି ସେପ୍ଟେମ୍ବର ୯, ୨୦୦୫ ପୂର୍ବରୁ ପିତାଙ୍କର ମୃତ୍ୟୁ ହୋଇଯାଏ,ତଥାପି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ସହ ସମାନ ଅଂଶ ମିଳିବ ।
ଅରୁଣଲାଲା ବନାମ ଊର୍ମିଲା ଲଖବିନ୍ଦର ସିଂ (୨୦୨୨)
ସୁପ୍ରିମକୋର୍ଟ ବ୍ୟବସ୍ଥା କରିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ବିନା କୌଣସି ୱିଲ୍ କରି ଆରପାରିକୁ ଚାଲି ଯାଇଛନ୍ତି ତେବେ ତାଙ୍କର ନିଜ ଅର୍ଜିତ ବା ଭାଗବଣ୍ଟାରେ ମିଳିଥିବା ସମ୍ପତ୍ତି ଉପରେ ପ୍ରଥମ ଅଧିକାର ଝିଅର ହିଁ ରହିବ, ଭାଇ କିମ୍ବା ପୁତୁରାର ନୁହେଁ ।
ଅରୁଣ କୁମାର ସେନ୍ ବନାମ ଛତିଶଗଡ଼ ରାଜ୍ୟ (୨୦୨୪)
ଏଥିରେ କୋର୍ଟ କହିଛନ୍ତି ଯେ କେବଳ ବିବାହ କରିଦେବା ଦ୍ୱାରା ଜଣେ ଝିଅ ନିଜ ପରିବାରରୁ ପର ହୋଇଯାଏ ନାହିଁ । ଯଦି ସେ ପିତାମାତାଙ୍କ ଉପରେ ସମ୍ପୂର୍ଣ୍ଣ ଆଶ୍ରିତ ତେବେ ସେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ମଧ୍ୟ ଯୋଗ୍ୟ ।
ଝିଅମାନେ କେଉଁ ପରିସ୍ଥିତିରେ ସମ୍ପତ୍ତି ପାଇଁ ଦାବି କରିପାରିବେ । ଯଦି ସମ୍ପତ୍ତି ପୈତୃକ ଏବଂ ମିଳିତ ପରିବାରର ହୋଇଥାଏ କିମ୍ବା ପିତା ବିନା ୱିଲ୍ରେ ପରପାରିକୁ ଚାଲିଯା’ନ୍ତି ତେବେ ବିବାହିତ ବା ଅବିବାହିତ ଝିଅ ଆଇନଗତ ଭାବେ ନିଜର ସମାନ ଭାଗ ଦାବି କରିପାରିବେ । ଏପରିକି ପରିବାରରେ କେବଳ ଝିଅ ଥିଲେ ମଧ୍ୟ ସେମାନେ ହିଁ ବୈଧ ଉତ୍ତରାଧିକାରୀ ହେବେ । ତେବେ ସବୁବେଳେ ମନେ ରଖିବା ଉଚିତ ଯେ ପ୍ରତ୍ୟେକ ମାମଲାରେ ସମ୍ପତ୍ତିର ପ୍ରକୃତି ଏବଂ ଦସ୍ତାବିଜ ଭିନ୍ନ ହୋଇଥାଏ । ତେଣୁ ଯଦି ପରିବାର ମଧ୍ୟରେ ସମ୍ପତ୍ତିକୁ ନେଇ କୌଣସି ବିବାଦ ଦେଖାଦିଏ ତେବେ ଜଣେ ଯୋଗ୍ୟ ଓକିଲଙ୍କ ପରାମର୍ଶ ନେଇ ଆଇନଗତ ପ୍ରକ୍ରିୟା ଆପଣାଇବା ବୁଦ୍ଧିମାନର କାମ ।
What's Your Reaction?