ଭାରତୀୟ କୁସ୍ତିକୁ ଦୋହଲାଇଲା ଡୋପିଂ ଝଡ଼, କଠୋର ନିୟମ ଆଣିଲା ଡବ୍‌ଲ୍ୟୁଏଫ୍‌ଆଇ !

Aug 29, 2026 - 15:16
 0  1
ଭାରତୀୟ କୁସ୍ତିକୁ ଦୋହଲାଇଲା ଡୋପିଂ ଝଡ଼, କଠୋର ନିୟମ ଆଣିଲା ଡବ୍‌ଲ୍ୟୁଏଫ୍‌ଆଇ !

୨୦୨୬ ଏସୀୟ କୁସ୍ତି ପ୍ରତିଯୋଗିତାରେ ରୌପ୍ୟ ଜିତିଥିବା ମୁକୁଲ ମେ ୩୧ରେ ଲକ୍ଷ୍ନୌସ୍ଥିତ ସାଇ କେନ୍ଦ୍ରରେ ହୋଇଥିବା ଏସୀୟ କ୍ରୀଡ଼ା ଚୟନ ପରୀକ୍ଷାରେ ୮୬ କିଲୋଗ୍ରାମ ବର୍ଗରେ ପ୍ରଥମ ହୋଇଥିଲେ। 

ଭାରତୀୟ କୁସ୍ତିରେ ଲଗାତାର ଡୋପିଂ ଏବଂ ହୋୟାରଏବାଉଟ୍‌ସ ବା ଠିକଣା ନିୟମ ଉଲ୍ଲଂଘନ ମାମଲା ସାମ୍ନାକୁ ଆସିବା ପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ)। କୁସ୍ତିଯୋଦ୍ଧାମାନେ ସେମାନଙ୍କ ଶରୀରକୁ ଯାଉଥିବା ଔଷଧ, ସପ୍ଲିମେଣ୍ଟ ଓ ଅନ୍ୟ ପଦାର୍ଥ ପାଇଁ ନିଜେ ଦାୟୀ ବୋଲି ସ୍ପଷ୍ଟ କରିଛି ମହାସଂଘ। ଡୋପିଂ ମାମଲାରେ ଦୁଇ ଏସୀୟ କ୍ରୀଡ଼ା ମନୋନୀତ କୁସ୍ତିଯୋଦ୍ଧା ମୁକୁଲ ଦହିୟା ଓ ଦୀପାଂଶୁଙ୍କୁ ଦଳରୁ ବାଦ୍‌ ଦେବାକୁ ପଡ଼ିବା ପରେ ଡବ୍ଲ୍ୟୁଏଫ୍‌ଆଇ ଏହି କଡ଼ା ନିର୍ଦ୍ଦେଶ ଜାରି କରିଛି। ଏହି ଡୋପିଂ କେଳେଙ୍କାରୀ ପାଇଁ କିନ୍ତୁ ଏସୀୟ କ୍ରୀଡ଼ାରେ ଭାରତ ଦୁଇଟି କୁସ୍ତି ବର୍ଗରେ ପ୍ରତିଯୋଗିତା କରିବାର ସୁଯୋଗ ହରାଇଛି।  

୮୬ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ ବର୍ଗର ମୁକୁଲ ଦହିୟା ଏବଂ ୧୩୦ କିଲୋଗ୍ରାମ ଗ୍ରିକୋ-ରୋମାନ୍‌ ବର୍ଗର ଦୀପାଂଶୁଙ୍କୁ ଡୋପିଂ ମାମଲା ପରେ ଏସୀୟ କ୍ରୀଡ଼ା ଦଳରୁ ବାଦ୍‌ ଦିଆଯାଇଛି। ୨୦୨୬ ଏସୀୟ କୁସ୍ତି ପ୍ରତିଯୋଗିତାରେ ରୌପ୍ୟ ଜିତିଥିବା ମୁକୁଲ ମେ ୩୧ରେ ଲକ୍ଷ୍ନୌସ୍ଥିତ ସାଇ କେନ୍ଦ୍ରରେ ହୋଇଥିବା ଏସୀୟ କ୍ରୀଡ଼ା ଚୟନ ପରୀକ୍ଷାରେ ୮୬ କିଲୋଗ୍ରାମ ବର୍ଗରେ ପ୍ରଥମ ହୋଇଥିଲେ। ତାଙ୍କ ନମୁନାରେ ନିଷିଦ୍ଧ ଉତ୍ତେଜକ ‘ମେଫେଣ୍ଟର୍ମାଇନ୍‌’ ମିଳିବା ପରେ ନାଡା ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରିଛି। ମୁକୁଲ ଜଣେ ସାଥୀ କୁସ୍ତିଯୋଦ୍ଧାଙ୍କ ପରାମର୍ଶରେ ଇଞ୍ଜେକ୍ସନ ନେଇଥିବା କହିଥିବା ଜଣାପଡ଼ିଛି। ତେବେ ଡବ୍ଲ୍ୟୁଏଫ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ନିଜ ଶରୀରକୁ କ’ଣ ଯାଉଛି ସେଥିପାଇଁ କ୍ରୀଡ଼ାବିତ୍‌ଙ୍କୁ ନିଜେ ଦାୟିତ୍ୱ ନେବାକୁ ପଡ଼ିବ। ଅନ୍ୟପକ୍ଷରେ ଦୀପାଂଶୁଙ୍କୁ ଷ୍ଟାନୋଜୋଲଲ୍‌ ପାଇଁ ଦ୍ୱିତୀୟ ଥର ଆଣ୍ଟି-ଡୋପିଂ ଅପରାଧରେ ଦୋଷୀ ଧରାଯାଇଥିବାରୁ ୮ ବର୍ଷର ବାସନ୍ଦାଦେଶ ମିଳିଥିବା ଡବ୍ଲ୍ୟୁଏଫ୍‌ଆଇ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ମଧ୍ୟ ସେହି ପଦାର୍ଥ ପାଇଁ ସେ ୩ ବର୍ଷର ବାସନ୍ଦାଦେଶ ଭୋଗିଥିଲେ। ଏହି ଦୁଇ ମାମଲା ଯୋଗୁଁ ଏସୀୟ କ୍ରୀଡ଼ା ପାଇଁ ଭାରତର କୁସ୍ତି ଦଳ ୧୮ରୁ ୧୬ ଜଣକୁ ହ୍ରାସ ପାଇଛି। 

କନିଷ୍ଠ ସ୍ତରରେ ବି ଚିନ୍ତା
ଏବେ ଡୋପିଂ ଚିନ୍ତା ୨୩ବର୍ଷରୁ କମ୍‌ ବା କନିଷ୍ଠ ଓ ଯୁବ ସ୍ତରକୁ ମଧ୍ୟ ବ୍ୟାପିଛି। ଜୁଲାଇରେ ରୋହତକରେ ହୋଇଥିବା ଜାତୀୟ ୨୩ବର୍ଷରୁ କମ୍‌ କୁସ୍ତି ପ୍ରତିଯୋଗିତାରେ ପଦକ ଜିତିଥିବା ନିଖିଲ (୫୫ କେଜି ଗ୍ରୀକୋ-ରୋମାନ୍‌) ଓ ରୋହିତ କୁମାର (୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌) ମଧ୍ୟ ନିଷିଦ୍ଧ ପଦାର୍ଥ ସେବନ ମାମଲାରେ ଅସ୍ଥାୟୀ ଭାବେ ନିଲମ୍ବିତ ହୋଇଛନ୍ତି। ଫଳରେ ସେମାନେ ବିଶ୍ୱ ୨୩ ବର୍ଷରୁ କମ୍‌ ଚାମ୍ପିଅନ୍‌ସିପ୍‌ ଚୟନ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ। ଏହା ସହ ୨୦୨୪ ମସିହାର ୨୩ବର୍ଷରୁ କମ୍‌ ବିଶ୍ୱ ଚାମ୍ପିଅନ୍‌ ଚିରାଗ ଛିକାରାଙ୍କ ବିରୋଧରେ ମଧ୍ୟ ହୋୟାରଏବାଉଟ୍‌ସ

ଉଲ୍ଲଂଘନ ମାମଲା ଆସିଛି। ତିନିଥର ନିର୍ଦ୍ଧାରିତ ସ୍ଥାନରେ ଉପଲବ୍ଧ ନ ଥିବାରୁ ତାଙ୍କୁ ଦୁଇ ବର୍ଷ ପାଇଁ ନିଷିଦ୍ଧ କରାଯାଇଛି। ଏଥିଲାଗି ଔଷଧ, ସପ୍ଲିମେଣ୍ଟ କିମ୍ବା ପୋଷଣ ସାମଗ୍ରୀ ନେବା ପୂର୍ବରୁ ସେଥିରେ କୌଣସି ନିଷିଦ୍ଧ ପଦାର୍ଥ ଅଛି କି ନାହିଁ ଯାଞ୍ଚ କରିବାକୁ ଡବ୍ଲ୍ୟୁଏଫ୍‌ଆଇ ପରାମର୍ଶ ଦେଇଛି। ଡାକ୍ତରଙ୍କୁ ମଧ୍ୟ ନିଜେ ଆଣ୍ଟି-ଡୋପିଂ ନିୟମ ଅଧୀନରେ ଥିବା କଥା ଜଣାଇବାକୁ ଖେଳାଳିଙ୍କୁ କୁହାଯାଇଛି। ସେହିପରି ସାଥୀ କୁସ୍ତିଯୋଦ୍ଧା, କୋଚ୍‌, ଟ୍ରେନର୍‌ କିମ୍ବା ଜିମ୍‌ କର୍ମଚାରୀଙ୍କ ପରାମର୍ଶରେ ନିଜ ଇଚ୍ଛାରେ ଔଷଧ ବା ସପ୍ଲିମେଣ୍ଟ ନ ନେବାକୁ ମଧ୍ୟ ସତର୍କ କରାଯାଇଛି। ଡୋପିଂ ମୁକ୍ତ କୁସ୍ତି ପାଇଁ ଆଗାମୀ ଦିନରେ ଆଣ୍ଟି-ଡୋପିଂ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଡବ୍ଲ୍ୟୁଏଫ୍‌ଆଇ କହିଛି।

What's Your Reaction?

like

dislike

love

funny

angry

sad

wow