ବୟସ ୭୪, ମାତୃତ୍ୱର ନୂଆ ଅଧ୍ୟାୟ; IVFରେ ଯାଆଁଳା ସନ୍ତାନ ଜନ୍ମ
ବହୁ ବର୍ଷ ଧରି ସନ୍ତାନ ପାଇଁ ଚେଷ୍ଟା କରିବା ପରେ ମଧ୍ୟ ସଫଳତା ମିଳିନଥିଲା । ତେବେ ପଡ଼ୋଶର ଜଣେ ୫୫ ବର୍ଷୀୟା ମହିଳା କୃତ୍ରିମ ପ୍ରଜନନ ପଦ୍ଧତିରେ ସନ୍ତାନ ଜନ୍ମ ଦେବା ପରେ ମଙ୍ଗାୟମ୍ମାଙ୍କ ମନରେ ପୁଣି ଆଶା ସଞ୍ଚାର ହୋଇଥିଲା ।
ମା’ ହେବାର ଇଚ୍ଛା ମଣିଷକୁ କେତେ ଦୂର ନେଇପାରେ, ତାହାର ଏକ ଅସାଧାରଣ ଉଦାହରଣ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଏରାମାଟି ମଙ୍ଗାୟମ୍ମା । ୭୪ ବର୍ଷ ବୟସରେ IVF ଚିକିତ୍ସା ଜରିଆରେ ସେ ଯାଆଁଳା ଝିଅଙ୍କୁ ଜନ୍ମ ଦେଇଥିଲେ । ୨୦୧୯ର ଏହି ଘଟଣା ଏବେ ପୁଣି ଚର୍ଚ୍ଚାକୁ ଆସିଛି । ମଙ୍ଗାୟମ୍ମା ଓ ତାଙ୍କ ସ୍ୱାମୀ ରାଜା ରାଓଙ୍କ ବିବାହକୁ ୫୭ ବର୍ଷ ବିତିଥିଲେ ମଧ୍ୟ ସେମାନଙ୍କର ସନ୍ତାନ ହୋଇନଥିଲା । ବହୁ ବର୍ଷ ଧରି ସନ୍ତାନ ପାଇଁ ଚେଷ୍ଟା କରିବା ପରେ ମଧ୍ୟ ସଫଳତା ମିଳିନଥିଲା । ତେବେ ପଡ଼ୋଶର ଜଣେ ୫୫ ବର୍ଷୀୟା ମହିଳା କୃତ୍ରିମ ପ୍ରଜନନ ପଦ୍ଧତିରେ ସନ୍ତାନ ଜନ୍ମ ଦେବା ପରେ ମଙ୍ଗାୟମ୍ମାଙ୍କ ମନରେ ପୁଣି ଆଶା ସଞ୍ଚାର ହୋଇଥିଲା ।
ଏହାପରେ ସେ IVF ବିଷୟରେ ଜାଣିବା ଆରମ୍ଭ କରିଥିଲେ । ୨୦୧୮ରେ ଏହି ଦମ୍ପତି ଗୁଣ୍ଟୁରର ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଡୋନରଙ୍କ ଅଣ୍ଡାଣୁ ଓ ତାଙ୍କ ସ୍ୱାମୀଙ୍କ ଶୁକ୍ରାଣୁ ବ୍ୟବହାର କରି IVF ପ୍ରକ୍ରିୟା କରାଯାଇଥିଲା । ୨୦୧୯ ଜାନୁଆରୀରେ ସେ ଗର୍ଭବତୀ ହୋଇଥିଲେ । ବୟସ ଅଧିକ ଥିବାରୁ ଗର୍ଭାବସ୍ଥାରେ ତାଙ୍କୁ ଡାକ୍ତରଙ୍କ କଡ଼ା ନଜରରେ ରଖାଯାଇଥିଲା । ଏକାଧିକ ବିଶେଷଜ୍ଞ ତାଙ୍କ ସ୍ୱାସ୍ଥ୍ୟର ନିୟମିତ ନିରୀକ୍ଷଣ କରିଥିଲେ । ଶେଷରେ ୨୦୧୯ ସେପ୍ଟେମ୍ବର ୫ ତାରିଖରେ ଗୁଣ୍ଟୁରର ଏକ ଘରୋଇ ହସ୍ପିଟାଲରେ ସି-ସେକ୍ସନ୍ ଜରିଆରେ ସେ ଯାଆଁଳା ଝିଅଙ୍କୁ ଜନ୍ମ ଦେଇଥିଲେ ।
ଡାକ୍ତରଙ୍କ ସୂଚନା ଅନୁସାରେ, ଜନ୍ମ ସମୟରେ ଉଭୟ ଶିଶୁ ସୁସ୍ଥ ଥିଲେ । ପ୍ରସବ ପରେ ମଙ୍ଗାୟମ୍ମାଙ୍କୁ ଆଇସିୟୁରେ ରଖାଯାଇଥିଲା । ତେବେ ବୟସ ଯୋଗୁଁ ସେ ନିଜ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିନଥିଲେ । ଏହି ଘଟଣା ପୁଣି ଚର୍ଚ୍ଚାକୁ ଆସିବା ପରେ IVF ଚିକିତ୍ସା ପାଇଁ ବୟସର ସୀମା ରହିବା ଉଚିତ କି ନାହିଁ, ତାକୁ ନେଇ ମତଭେଦ ଦେଖାଦେଇଛି । କିଛି ଲୋକ ଏତେ ଅଧିକ ବୟସରେ ସନ୍ତାନ ଜନ୍ମ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଶେଷକରି ଭବିଷ୍ୟତରେ ପିଲାମାନଙ୍କ ଦେଖାଶୁଣା କିଏ କରିବ, ତାକୁ ନେଇ ଅନେକେ ଚିନ୍ତା ପ୍ରକାଶ କରିଛନ୍ତି ।
ଅନ୍ୟପଟେ କିଛି ଲୋକ କହିଛନ୍ତି, ବର୍ଷ ବର୍ଷ ଧରି ସନ୍ତାନ ପାଇଁ ଅପେକ୍ଷା କରିଥିବା ଦମ୍ପତିଙ୍କୁ ତାଙ୍କ ଇଚ୍ଛା ପୂରଣ ପାଇଁ ଦୋଷ ଦେବା ଠିକ୍ ନୁହେଁ । ସନ୍ତାନ ନଥିଲେ ସମାଜ ପ୍ରଶ୍ନ କରେ, ଆଉ ସନ୍ତାନ ହେଲେ ମଧ୍ୟ ଲୋକେ ମନ୍ତବ୍ୟ କରନ୍ତି—ତେଣୁ ଏଭଳି ମାମଲାରେ ଦମ୍ପତିଙ୍କୁ ବିଚାର ନକରିବାକୁ ମଧ୍ୟ କିଛି ଲୋକ ମତ ଦେଇଛନ୍ତି । ମଙ୍ଗାୟମ୍ମାଙ୍କ ଏହି ଘଟଣା ଚିକିତ୍ସା ବିଜ୍ଞାନର ସମ୍ଭାବନା ସହିତ ବୟସ, ମାତୃତ୍ୱ ଓ ଶିଶୁଙ୍କ ଭବିଷ୍ୟତକୁ ନେଇ ଏକ ବଡ଼ ସାମାଜିକ ଆଲୋଚନାର ବିଷୟ ହୋଇଛି ।
What's Your Reaction?