ମସ୍କୋରେ ପୁଟିନଙ୍କ ସହ ସେଲଫି ନେଇ ଚର୍ଚ୍ଚାରେ କେରଳର ରାଉଲ; ୧୬ ବର୍ଷରେ ଚଳାଉଛନ୍ତି ଷ୍ଟାର୍ଟଅପ୍
ମାତ୍ର ୯ ବର୍ଷ ବୟସରେ ବାଥରୁମ୍ ଭିତରେ ବସି ଭିଡିଓ ତିଆରି କରୁଥିବା, ୧୨ ବର୍ଷରେ ସ୍କୁଲ ପ୍ରୋଜେକ୍ଟ ପାଇଁ ରୋବଟ୍ ବନାଇଥିବା ଏବଂ ଏବେ ୧୬ ବର୍ଷ ବୟସରେ ଏକ ଏଆଇ ଷ୍ଟାର୍ଟଅପ୍ ଚଳାଇବା ସହ ନିଜ ବାପାଙ୍କୁ କର୍ମଚାରୀ ରଖିଥିବା କେରଳର ରାଉଲ ଜନ୍...
ମାତ୍ର ୯ ବର୍ଷ ବୟସରେ ବାଥରୁମ୍ ଭିତରେ ବସି ଭିଡିଓ ତିଆରି କରୁଥିବା, ୧୨ ବର୍ଷରେ ସ୍କୁଲ ପ୍ରୋଜେକ୍ଟ ପାଇଁ ରୋବଟ୍ ବନାଇଥିବା ଏବଂ ଏବେ ୧୬ ବର୍ଷ ବୟସରେ ଏକ ଏଆଇ ଷ୍ଟାର୍ଟଅପ୍ ଚଳାଇବା ସହ ନିଜ ବାପାଙ୍କୁ କର୍ମଚାରୀ ରଖିଥିବା କେରଳର ରାଉଲ ଜନ୍ ଆଜୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସେଲଫି ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କୋଚିର ଦ୍ୱାଦଶ ଶ୍ରେଣୀ ବାଣିଜ୍ୟ ଛାତ୍ର ରାଉଲ ନଭେମ୍ବର ୨୬ ତାରିଖରେ ମସ୍କୋରେ ଆୟୋଜିତ ‘ଏଆଇ ଜର୍ଣ୍ଣି ୨୦୨୬’ ସମ୍ମିଳନୀ ଅବସରରେ ପୁଟିନଙ୍କୁ ଭେଟିଥିଲେ। ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ରାଉଲ ଲେଖିଛନ୍ତି ଯେ, ୯ ବର୍ଷ ବୟସରେ ବାଥରୁମ୍ ଭିତରେ ପ୍ରଥମ ଭିଡିଓ ବନାଇବାଠାରୁ ଆରମ୍ଭ କରି ରାଷ୍ଟ୍ରପତି ପୁଟିନଙ୍କ ସହ ସେଲଫି ନେବା ପର୍ଯ୍ୟନ୍ତ ଯାତ୍ରା ତାଙ୍କ କଳ୍ପନାର ବାହାରେ ଥିଲା।
ତାଙ୍କ ବାପା ଆଡୋବ୍ ସଂସ୍ଥାରେ ଯୋଗ ଦେବା ପରେ ରାଉଲଙ୍କୁ ପ୍ରିମିୟମ୍ ଭିଡିଓ ଏଡିଟିଂ ସଫ୍ଟୱେୟାର ବ୍ୟବହାର କରିବାର ସୁଯୋଗ ମିଳିଥିଲା ଏବଂ ସେବେଠାରୁ ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ଭିଡିଓ ବନାଇବା ଆଗ୍ରହ ଧୀରେ ଧୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଅନୁସନ୍ଧାନରେ ପରିଣତ ହୋଇଥିଲା। ୧୨ ବର୍ଷ ବୟସରେ ସେ ସ୍କୁଲ ବିଜ୍ଞାନ ପ୍ରକଳ୍ପ ପାଇଁ ‘ମିବଟ୍’ ନାମକ ଏକ ରୋବଟ୍ ପ୍ରସ୍ତୁତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ରେସ୍କ୍ୟୁ ଏଆଇ, ଜାପଗ୍ୟାପ୍, ଇନଭେଷ୍ଟୋ ଏଆଇ ଓ ଫିଡଫାଏ ସମେତ ୧୫ରୁ ଅଧିକ ଏଆଇ ଟୁଲ୍ ବିକଶିତ କରିଛନ୍ତି।
ଆହୁରି ଅନେକ କିଛି ଶିଖିବାର ବାକି ଅଛି: ରାଉଲ
ରାଉଲ ବର୍ତ୍ତମାନ ଏକ ଏଆଇ ଉଦ୍ୟୋଗ ସହିତ ଛାତ୍ର ଓ ବୃତ୍ତିଧାରୀଙ୍କୁ ଏଆଇ ତାଲିମ ଦେଉଥିବା ଥିଙ୍କକ୍ରାଫ୍ଟ ଏକାଡେମୀ ପରିଚାଳନା କରୁଛନ୍ତି। ତାଙ୍କ ପଦକ୍ଷେପ ଦ୍ୱାରା ପ୍ରାୟ ପାଞ୍ଚ ଲକ୍ଷ ଶିକ୍ଷାର୍ଥୀ ଉପକୃତ ହୋଇଥିବା ବେଳେ ତାଙ୍କ ଷ୍ଟାର୍ଟଅପରେ ପାଖାପାଖି ୧୫ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ତାଙ୍କ ବାପା ଆଜୁ ଜୋସେଫ୍ ତାଙ୍କ ଷ୍ଟାର୍ଟଅପରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ମାସିକ ପ୍ରାୟ ୨ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ଆମାଜନ, ଆଡୋବ୍, ୱିପ୍ରୋ ଓ ଆଇବିଏମ୍ ଭଳି ସଂସ୍ଥାରେ କାମ କରିବାର ଅଭିଜ୍ଞତା ଥିବା ତାଙ୍କ ବାପା ବ୍ୟବସାୟିକ ପରିଚାଳନାରେ ସହଯୋଗ କରୁଛନ୍ତି। ଫୋନ୍ ମାଧ୍ୟମରେ ବୈଷୟିକ ଜ୍ଞାନ ଶିଖିହେଲେ ମଧ୍ୟ ବାପାଙ୍କ ବୃତ୍ତିଗତ ଅଭିଜ୍ଞତା ସେଭଳି ମିଳିପାରିବ ନାହିଁ ଏବଂ ବାପାଙ୍କ ଉପସ୍ଥିତି ମାର୍କେଟିଂ ପାଇଁ ମଧ୍ୟ ସହାୟକ ହେଉଛି ବୋଲି ରାଉଲ କହିଛନ୍ତି। ତେବେ ମସ୍କୋ ସମ୍ମିଳନୀରେ ପୁଟିନଙ୍କ ସହ ସାକ୍ଷାତ ତାଙ୍କ ପାଇଁ ଏକ ନୂଆ ମାଇଲଖୁଣ୍ଟ ହୋଇଥିଲେ ମଧ୍ୟ ପ୍ରମୁଖ ଏଆଇ ବିଶେଷଜ୍ଞମାନଙ୍କୁ ଭେଟିବା ପରେ ତାଙ୍କର ଆହୁରି ଅନେକ କିଛି ଶିଖିବାର ବାକି ଅଛି ବୋଲି ସେ ଅନୁଭବ କରିଥିବା ପ୍ରକାଶ କରିଛନ୍ତି।
What's Your Reaction?