ଶୃଙ୍ଖଳା କବ୍ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡ ପାଇଁ କର ବା ମର ମୁକାବିଲା
ପ୍ରଥମ ମ୍ୟାଚ୍ରେ ୨୨୬ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତ ଦମଦାର ବିଜୟ ହାସଲ କରିଥିଲା। ଦ୍ୱିତୀୟ ମୁକାବିଲାରେ ତିଳକ ବର୍ମା ଓ ନୀତୀଶ କୁମାର ରେଡ୍ଡୀଙ୍କ ଚମତ୍କାର ବ୍ୟାଟିଂ ଦଳକୁ ପରାଜୟ ମୁହଁରୁ ବିଜୟ ଆଡ଼କୁ ନେଇଥିଲା।
ନ୍ୟୁଜିଲାଣ୍ଡ ମାଟିରେ ଶୃଙ୍ଖଳା ଜିତିବାକୁ ପ୍ରସ୍ତୁତ ଟିମ୍ ଇଣ୍ଡିଆ। ମଙ୍ଗଳବାର ଖେଳାଯିବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟ୍ବେଣ୍ଟି-୨୦ ମୁକାବିଲା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଛି। ଏବେ ତୃତୀୟ ମ୍ୟାଚ୍ ଜିତି ଶୃଙ୍ଖଳା କବ୍ଜା କରିବାକୁ ଲକ୍ଷ୍ୟ ରଖିଛି ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଅନ୍ୟପଟେ ଘରୋଇ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି।
ପ୍ରଥମ ମ୍ୟାଚ୍ରେ ୨୨୬ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତ ଦମଦାର ବିଜୟ ହାସଲ କରିଥିଲା। ଦ୍ୱିତୀୟ ମୁକାବିଲାରେ ତିଳକ ବର୍ମା ଓ ନୀତୀଶ କୁମାର ରେଡ୍ଡୀଙ୍କ ଚମତ୍କାର ବ୍ୟାଟିଂ ଦଳକୁ ପରାଜୟ ମୁହଁରୁ ବିଜୟ ଆଡ଼କୁ ନେଇଥିଲା। ଫଳରେ ଭାରତୀୟ ଖେଳାଳିଙ୍କ ମନୋବଳ ଏବେ ବେଶ୍ ଦୃଢ଼ ରହିଛି।
ତେବେ ତୃତୀୟ ମ୍ୟାଚ୍ ପୂର୍ବରୁ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ଈଶାନ କିଶନଙ୍କ ଅନୁପସ୍ଥିତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଏହି ମ୍ୟାଚ୍ରେ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ପୁଣିଥରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିପାରେ। ବୈଭବ ଅଭିଷେକ ଶର୍ମାଙ୍କ ସହ ପାଳି ଆରମ୍ଭ କରିବାର ସମ୍ଭାବନା ରହିଛି। ସେହିପରି ସଞ୍ଜୁ ସାମ୍ସନ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରନ୍ତି।
ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। ମ୍ୟାଟ୍ ହେନରି ଓ ଲୋକି ଫର୍ଗୁସନ୍ଙ୍କ ଅନୁପସ୍ଥିତିରେ ଆଦାମ ମିଲ୍ନେ ଓ ବ୍ଲେୟର ଟିକ୍ନରଙ୍କୁ ସୁଯୋଗ ମିଳିଛି। ମିଚେଲ ସାଣ୍ଟନର ଓ ମାଇକେଲ ବ୍ରେସ୍ୱେଲଙ୍କ ସ୍ପିନ୍ ବୋଲିଂ ଭାରତୀୟ ବ୍ୟାଟରଙ୍କ ପାଇଁ ବଡ଼ ଆହ୍ୱାନ ହୋଇପାରେ। ଉଭୟ ସ୍ପିନର ପ୍ରଥମ ଦୁଇ ମ୍ୟାଚ୍ରେ ମିଳିତ ଭାବେ ୮ଟି ୱିକେଟ୍ ନେଇଛନ୍ତି।
ୱେଲିଂଟନ୍ର ପବନ ଓ ଛୋଟ ବାଉଣ୍ଡରି ମ୍ୟାଚ୍ରେ ନିର୍ଣ୍ଣାୟକ ଭୂମିକା ନେଇପାରେ। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ୧୦ଟି ମୁକାବିଲାରୁ ୯ଟି ଜିତିଥିବା ଭାରତ ଏହି ମ୍ୟାଚ୍ରେ ମଧ୍ୟ ଫେଭରିଟ୍ ଭାବେ ପଡ଼ିଆକୁ ଓହ୍ଲାଇବ। ଏବେ ଦେଖିବାକୁ ବାକି ରହିଲା, ଭାରତ ଆଗୁଆ ଶୃଙ୍ଖଳା ଜିତୁଛି ନା ନ୍ୟୁଜିଲାଣ୍ଡ ପ୍ରତ୍ୟାବର୍ତ୍ତନ କରୁଛି।
What's Your Reaction?