ସେପ୍ଟେମ୍ବର ୧ ‘ସମ୍ବନ୍ଧ’ର ଶୁଭାରମ୍ଭ
ଓଡ଼ିଶା ରାଜ୍ୟ ସମବାୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଆସନ୍ତା ମଙ୍ଗଳବାର ଅର୍ଥାତ୍ ସେପ୍ଟେମ୍ବର ୧ ତାରିଖରେ ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଏକ ମେଗା ସମବାୟ ସଦସ୍ୟତା ଅଭିଯାନ “ସମ୍ବନ୍ଧ”ର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ।
ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ ଆରମ୍ଭ କରାଯିବା ସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ ଆପ୍ଲିକେସନ୍ର ଶୁଭାରମ୍ଭ ହେବ । “ସମ୍ବନ୍ଧ” ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ସମସ୍ତ ଘରୁ ଅତିକମରେ ଜଣଙ୍କୁ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି । ଯାହାକି ସମବାୟ ସେବାକୁ ସମସ୍ତ ଘରେ ଘରେ ପହଞ୍ଚାଇବାର ପଥ ସୁଗମ କରିବ ଓ ଗ୍ରାମୀଣ ଜୀବନ ଶୈଳୀକୁ ସହଜ ଓ ଉନ୍ନତ କରିବାରେ ସହାୟ ହେବ । ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।
ଏହା ସହିତ ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗୁଡ଼ିକ ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୮୦ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସର ପାଖାପାଖି ୩ ଲକ୍ଷରୁ ଅଧିକ ହିତାଧିକାରୀ ୧୪ କୋଟି ଟଙ୍କା ଲାଭାଂଶ ପାଇବେ । ସେହିପରି ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବରେ ୪ କୋଟି ୨୨ ଲକ୍ଷ ଟଙ୍କା ପାଇବେ, ଯାହା ପୁନର୍ବାର ସମବାୟ କ୍ଷେତ୍ରର ବିକାଶ ପାଇଁ ବିନିଯୋଗ ହେବ ।
What's Your Reaction?