ସ୍ତ୍ରୀ, ପୁଅ ଏବଂ ୨ ପୁରୋହିତଙ୍କୁ ଗୁଳି କରି ହତ୍ୟା : ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ନିହତ
ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ନିଜ ସ୍ତ୍ରୀ ଏବଂ ଦୁଇ ଜଣ ପୁରୋହିତଙ୍କୁ ଗୁଳି କରି ହତ୍ୟା କରି ପରେ ନିଜ ପିଲାମାନଙ୍କୁ ବନ୍ଧକ ରଖିଥିବା ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି ।
ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ନିଜ ସ୍ତ୍ରୀ ଏବଂ ଦୁଇ ଜଣ ପୁରୋହିତଙ୍କୁ ଗୁଳି କରି ହତ୍ୟା କରି ପରେ ନିଜ ପିଲାମାନଙ୍କୁ ବନ୍ଧକ ରଖିଥିବା ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି । ପୁଲିସଠାରୁ ଖସି ପଳାୟନ କରିବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ ଅରବିନ୍ଦ ସିଂହଙ୍କୁ ଗୁଳି କରାଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସଠାରୁ ବଞ୍ଚିବା ପାଇଁ ସେ ନିଜ ପିଲାଙ୍କୁ ବନ୍ଧକ ରଖିଥିଲେ । ସେ ନିଜ ପୁଅକୁ ମଧ୍ୟ ଗୁଳି କରିଥିଲେ। ଆହତ ପୁଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୁଅଙ୍କର ମୃତ୍ୟୁ ଘଟିଥିଲା ।
ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅରବିନ୍ଦ ଘରେ ପହଞ୍ଚିବା ପରେ ଏହି ଘଟଣା ଘଟିଥିଲା। ତାଙ୍କ ସ୍ତ୍ରୀ ବବିତା ସିଂହ ସେହି ସମୟରେ ପୂଜା କରୁଥିଲେ। ପୂଜା ପାଇଁ ଦୁଇଜଣ ପୁରୋହିତ ୬୦ ବର୍ଷୀୟ ମହେନ୍ଦ୍ର ପାଠକ ଏବଂ ୫୦ ବର୍ଷୀୟ ଅଖିଳେଶ ମିଶ୍ର ପହଞ୍ଚିଥିଲେ। ଏହା ଦେଖି ଅରବିନ୍ଦ ରାଗି ସ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲେ। ଝଗଡା ବଢିଥିଲା। କ୍ରୋଧରେ ଅଭିଯୁକ୍ତ ଅରବିନ୍ଦ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରିଥିଲେ। ତା’ପରେ ସେ ଦୁଇ ପୁରୋହିତଙ୍କୁ ମଧ୍ୟ ଗୁଳି କରିଥିଲେ।
ଅରବିନ୍ଦଙ୍କ ତିନି ପିଲା ମଧ୍ୟ ଘରେ ଥିଲେ।
ଘଟଣା ପରେ, ସେ ସମସ୍ତ ପିଲାମାନଙ୍କୁ ଏକ କୋଠରୀକୁ ନେଇ କବାଟ ବନ୍ଦ କରିଦେଇଥିଲେ। ଏଡିଜି ନବୀନ ଆରୋରା ରିପୋର୍ଟ କରିଛନ୍ତି ଯେ ପୁଲିସ ଅଭିଯୁକ୍ତଙ୍କୁ କୋଠରୀରୁ ବାହାର କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ବାହାରକୁ ଆସିବାକୁ କିମ୍ବା ପିଲାମାନଙ୍କୁ ଛାଡିବାକୁ ଅନିଇଚ୍ଛୁକ ଥିଲେ। ବହୁ ବୁଝାସୁଝା ପରେ ମଧ୍ୟ ସେ ପିଲାମାନଙ୍କୁ ବାହାରକୁ ନ ଛାଡିବାକୁ ଦୃଢ଼ ନିଷ୍ପତ୍ତି ନେଇଥିଲେ। ସାତ ଘଣ୍ଟା ନିରନ୍ତର ଆଲୋଚନା ଏବଂ ପ୍ରୟାସ ପରେ, ସକାଳ ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପୁଲିସ ରାତିସାରା ସଜାଗ ରହିଥିଲା।
ଭୋର୍ ସମୟରେ ବାହାରେ ପୁଲିସ ପ୍ରସ୍ତୁତି ଚାଲିଥିଲା, ସେତେବେଳେ ଭିତରୁ ଗୁଳି ଫୁଟିଥିଲା। ପୁଲିସ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଭିତରେ ତିନି ଜଣ ପିଲା ଥିଲେ, ଏବଂ ସେମାନଙ୍କୁ ଉଦ୍ଧାର କରିବା ଜରୁରୀ ଥିଲା। ତୁରନ୍ତ ଷ୍ଟନ୍ ଗ୍ରେନେଡ୍ ଏବଂ ଲୁହ ଗ୍ୟାସ୍ ବ୍ୟବହାର କରି ପୁଲିସ ଦଳ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଅଭିଯୁକ୍ତ ପୁଲିସ ଦଳ ଉପରେ ଚାରି କିମ୍ବା ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ। ତାଙ୍କ ପାଖରେ ଏକ ଛଅ ରାଉଣ୍ଡ ରିଭଲଭର ଥିଲା। ସେ ସବୁ ରାଉଣ୍ଡ ଶେଷ କରିଦେଇଥିଲେ।
ପୁଲିସ ଦଳକୁ ପିଲାଙ୍କ ସୁରକ୍ଷା ପାଇଁ ଚାରି ରାଉଣ୍ଡ ଗୁଳି ଚଳାଇବାକୁ ପଡିଥିଲା। ଅଭିଯୁକ୍ତ ପୁଅଙ୍କୁ ଗୁଳି କରି ସାରି ବଡ଼ ଝିଅକୁ ଢାଲ ଭାବରେ ବ୍ୟବହାର କରି ଖସିବାକୁ ଚେଷ୍ଟା କରୁଥିବାବେଳେ ସାନ ଝିଅ ତାଙ୍କ ହାତରୁ ଖସି ପଡ଼ିଥିଲା। ପୁଲିସ ଏହାର ସୁଯୋଗ ନେଇ ଗୁଳି କରିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
What's Your Reaction?