SIRକୁ ନେଇ ଜ୍ଞାନେଶ କୁମାର ବିବାଦ; ଦିଲ୍ଲୀରେ ସମର୍ଥନରେ ମାର୍ଚ୍ଚ, ECI ଭିତରେ ମତଭେଦ ରିପୋର୍ଟ
ଏସ୍ଆଇଆର ବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନକୁ ନେଇ ନିର୍ବାଚନ କମିଶନକୁ ଘେରିଛି ରାଜନୈତିକ ବିବାଦ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ମଧ୍ୟ ରାଜନୈତିକ ତର୍କ ବଢ଼ିଛି ।
ଏସ୍ଆଇଆର ବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନକୁ ନେଇ ନିର୍ବାଚନ କମିଶନକୁ ଘେରିଛି ରାଜନୈତିକ ବିବାଦ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ମଧ୍ୟ ରାଜନୈତିକ ତର୍କ ବଢ଼ିଛି । ଏହାରି ମଧ୍ୟରେ ଦିଲ୍ଲୀରେ ଜ୍ଞାନେଶ କୁମାରଙ୍କ ସମର୍ଥନରେ ପଦଯାତ୍ରା ହୋଇଥିବା ବେଳେ, ତାଙ୍କୁ ଭାରତ ରତ୍ନ ଦେବାକୁ ମଧ୍ୟ ଦାବି ଉଠିଛି ।
ବୈଶ୍ୟ ସମାଜ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ଜ୍ଞାନେଶ କୁମାରଙ୍କ ସମର୍ଥନରେ ନାରା ଦିଆଯାଇଥିବା ବେଳେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବଙ୍କ ବିରୋଧରେ ମଧ୍ୟ ନାରାବାଜି ହୋଇଥିବା ରିପୋର୍ଟ ହୋଇଛି । ପ୍ରଦର୍ଶନକାରୀମାନେ ଏସ୍ଆଇଆରକୁ ନେଇ ନିର୍ବାଚନ କମିଶନଙ୍କ ବିରୋଧରେ ଚାଲିଥିବା ଆପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏନେଇ ରାଷ୍ଟ୍ରପତିଙ୍କ ନାମରେ ଦାବିପତ୍ର ଦିଆଯାଇଥିବା କୁହାଯାଇଛି ।
ସେପଟେ ଏସ୍ଆଇଆର ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନ ଭିତରେ ମତଭେଦ ଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦ ଆହୁରି ବଢ଼ିଛି । ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ କମିଶନର କିଛି ନିଷ୍ପତ୍ତି ଓ ପଦକ୍ଷେପ ଉପରେ ଅନେକଥର ଲିଖିତ ଆପତ୍ତି ଜଣାଇଥିଲେ । ନୂଆ ଭୋଟରଙ୍କ ନାଁ ଯୋଡ଼ିବା, ଭୋଟର ତାଲିକାରୁ ନାଁ ବାଦ୍ ଦେବା ଏବଂ ଭୋଟର ଡାଟାବେସ୍ ପରିଚାଳନାକୁ ନେଇ ସେମାନେ ପ୍ରଶ୍ନ ଉଠାଇଥିବା ରିପୋର୍ଟରେ କୁହାଯାଇଛି ।
ବିଶେଷ କରି ଫର୍ମ-୬ରେ ଏସ୍ଆଇଆର ସମ୍ପର୍କିତ ତଥ୍ୟ ଯୋଡ଼ାଯିବାକୁ ନେଇ ମଧ୍ୟ ଦୁଇ ନିର୍ବାଚନ କମିଶନର ଆପତ୍ତି ଜଣାଇଥିବା ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ରିପୋର୍ଟକୁ ନେଇ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ଦେଇଛି । ଇସିଆଇ କହିଛି, ଆଲୋଚନା ସମୟରେ ବ୍ୟକ୍ତିଗତ ମତ ଭିନ୍ନ ହୋଇପାରେ, କିନ୍ତୁ ଏସ୍ଆଇଆର ସମେତ କମିଶନର ସମସ୍ତ ନିଷ୍ପତ୍ତି ତିନି ନିର୍ବାଚନ କମିଶନରଙ୍କ ଅନୁମୋଦନ ସହ ସର୍ବସମ୍ମତିରେ ନିଆଯାଇଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୨୬ରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ବୈଠକ କରିଥିଲେ । ପରେ କମିଶନ ପକ୍ଷରୁ ଏସ୍ଆଇଆର ଓ ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀକୁ ନେଇ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦିଆଯାଇଛି ।
ଅନ୍ୟପଟେ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ପକ୍ଷରୁ ବିଭିନ୍ନ ରାଜ୍ୟରେ ପ୍ରତିବାଦ କରାଯାଉଛି । ଏଭଳି ସ୍ଥିତିରେ ଏସ୍ଆଇଆରକୁ ନେଇ ନିର୍ବାଚନ କମିଶନ ଓ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବିବାଦ ଜାରି ରହିଛି ।
What's Your Reaction?