ଉଚ୍ଚନ୍ୟାଳୟଙ୍କ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ
ଉଚ୍ଚନ୍ୟାଳୟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଆଜି ପୁଣି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ଉଚ୍ଚନ୍ୟାଳୟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନଥିବା ଲିଖିତ ଉତ୍ତର ଦେଇଥିବା ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ଯେ, ସରକାରଙ୍କ ବିଚାରାଧୀନ ଅଛି ଉଚ୍ଚନ୍ୟାଳୟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ। ଲୋକଙ୍କୁ ତ୍ୱରିତ ଗତିରେ ନ୍ୟାୟ ଦେବା ପାଇଁ ସରକାର ବଦ୍ଧପରିକର। ଗତକାଲି ଯେଉଁ ଉତ୍ତର ଦିଆଯାଇଥିଲା ତାହା ସର୍ବୋଚ୍ଚଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଥିଲା ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀ । ଗତକାଲି ମୋହନ ମାଝୀ ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ନେଇ ହୋଇଥିଲା ଜୋରଦାର ବିରୋଧ। ଏପରିକି ପଶ୍ଚିମ ଓଡ଼ିଶାରେ ତେଜିଥିଲା ଅସନ୍ତୋଷର ନିଆଁ । କାରଣ ବିରୋଧୀ ଦଳ ଆସନରେ ବିଜେପି ଥିବା ବେଳେ ଉଚ୍ଚନ୍ୟାଳୟ ବେଞ୍ଚ ସପକ୍ଷରେ ଥିଲା । କିନ୍ତୁ ସରକାରକୁ ଆସିବା ପରେ ଆଭିମୁଖ୍ୟରେ କାହିଁକି ପରିବର୍ତ୍ତନ ବୋଲି ଉଠିଥିଲା । ଏପରିକି ବିଜେଡି ମଧ୍ଯ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲା କଟାକ୍ଷ।ସେପଟେ ବେଞ୍ଚ କାହିଁକି ହେବନି ବୋଲି ପ୍ରଶ୍ନ କରିଥିଲେ ନିଜେ ବିଜେପି ବିଧାୟକ ଜୟ ନାରାୟଣ। ତେବେ ଏନେଇ କଳିକେଶ ସିଂହଦେଓ କହିଛନ୍ତି ଯେ, ଆମେ କେତେ ଦିନ ଆଉ ଏହାକୁ ବିଚାରାଧୀନ ରଖିବା। ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରତିଶୃତି ଦିଅନ୍ତୁ, ପଶ୍ଚିମ ଓଡି଼ଶାରେ ସ୍ଥାୟୀ ବେଞ୍ଚ ହେବ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାଜନ ଏକ୍କା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କଥାରେ ନାହିଁ ସ୍ପଷ୍ଟତା। ସର୍ବୋଚ୍ଚଅଦାଲତ ଯାହା କୁହନ୍ତୁ, ଓଡ଼ିଶା ଲୋକଙ୍କ ଆବଶ୍ୟକତା ଦେଖିବା କଥା। ଲୋକଙ୍କୁ ଦ୍ୱନ୍ଦ୍ୱରେ ନ ପକାଇ ନେତୃତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ ।
What's Your Reaction?