ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଥରେ ନୁହେଁ ବରଂ ଦୁଇ ଦୁଇ ଥର ସେ ହୋଇଛନ୍ତି ଚିଟଫଣ୍ଡର ଶିକାର ।ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।୧୯୯୦ ଓ ୨୦୦୨ରେ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ଜମାକାରୀଙ୍କ ଭଳି ମୋହନ ଟଙ୍କା ଯୋଗାଡ କରି ସଂସ୍ଥାରେ ଜମା କରିଥିଲେ। କିନ୍ତୁ ଉଠାଣ ବେଳକୁ ସଂସ୍ଥା ନଥିବା ଜାଣିବାକୁ ପାଇଥିଲେ। ୧୯୮୬ ଆଇନରେ ଅପିଲ କରିଥିଲେ ମଧ୍ୟ ମିଳିନଥିଲା ଟଙ୍କା । ତେବେ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ଯେ, ବହୁତ ବର୍ଷ ଧରି ଲମ୍ବିଛି ଚିଟଫଣ୍ଡ ଠକେଇର ଚେର। ମୁଖ୍ୟମନ୍ତ୍ରୀଙ୍କ ଭଳି ଅନେକ ଜମାକାରୀ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରି ଏବେ ସୁଦ୍ଧା ଫେରି ପାଇନାହାନ୍ତି ଟଙ୍କା । ବିଜେପି ମଧ୍ୟ ନିର୍ବାଚନ ପ୍ରତିଶ୍ରୁତିରେ ସ୍ପଷ୍ଟ କରିଥିଲା ଯେ, ଦଳ କ୍ଷମତାକୁ ଆସିଲେ ଚିଟଫଣ୍ଡ ଠକେଇର ଶିକାର ଜମାକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଦିଆଯିବ। କିନ୍ତୁ ସରକାରକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଟଙ୍କା ଫେରିପାଇନାହାନ୍ତି ଜମାକାରୀ। ଅନ୍ୟପଟେ ଯେଉଁଠି ମୁଖ୍ୟମନ୍ତ୍ରୀ ଆଇନଗତ ଲଢେଇ କରି ମଧ୍ୟ ଚିଟଫଣ୍ଡ ଟଙ୍କା ପାଇନାହାନ୍ତି ,ସେଠି ସାଧାରଣ ଲୋକଙ୍କୁ କେବେ ଚିଟିଫଣ୍ଡ ଟଙ୍କା ମିଳିବ ବୋଲି ତାହା ସୃଷ୍ଠି ହୋଇଛି ସବୁଠୁ ବଡ ପ୍ରଶ୍ନବାଚୀ।
What's Your Reaction?






