ଡେଙ୍ଗୁ ଭୟରେ ସ୍କୁଲ ଡ୍ରେସ୍ ବଦଳିବ! ଝିଅଙ୍କୁ ସ୍କର୍ଟ ନୁହେଁ, ସାଲୱାର ପିନ୍ଧିବାକୁ ଅପିଲ୍

Sep 5, 2026 - 14:10
 0  0
ଡେଙ୍ଗୁ ଭୟରେ ସ୍କୁଲ ଡ୍ରେସ୍ ବଦଳିବ! ଝିଅଙ୍କୁ ସ୍କର୍ଟ ନୁହେଁ, ସାଲୱାର ପିନ୍ଧିବାକୁ ଅପିଲ୍

ଡେଙ୍ଗୁ ଭୟରେ ସ୍କୁଲ ଡ୍ରେସ୍ ବଦଳିବ! ଝିଅଙ୍କୁ ସ୍କର୍ଟ ନୁହେଁ, ସାଲୱାର ପିନ୍ଧିବାକୁ ଅପିଲ୍ 

ଡେଙ୍ଗୁ ରୋକିବାକୁ ପଶ୍ଚିମବଙ୍ଗରେ ନୂଆ ପଦକ୍ଷେପ । ମଶା କାମୁଡ଼ାରୁ ସ୍କୁଲ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ୟୁନିଫର୍ମରେ ଅସ୍ଥାୟୀ ପରିବର୍ତ୍ତନ ପାଇଁ ଅପିଲ୍ କରିଛନ୍ତି ପଶ୍ଚିମବଙ୍ଗର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଶାରଦ୍ୱତ ମୁଖାର୍ଜୀ । ବିଶେଷକରି ଡେଙ୍ଗୁର ପ୍ରଭାବ ଅଧିକ ଥିବା ଆଗାମୀ ତିନି ମାସ ପାଇଁ ଛାତ୍ରଛାତ୍ରୀଙ୍କ ହାତ ଓ ଗୋଡ଼ ପୂରା ଢାଙ୍କି ରହିବା  ଭଳି ପୋଷାକ ପିନ୍ଧାଇବାକୁ ସ୍କୁଲଗୁଡ଼ିକୁ ଅନୁରୋଧ କରାଯାଇଛି । 

ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟାଳୟ ସ୍ୱାସ୍ଥ୍ୟ ଭବନରେ ହୋଇଥିବା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମନ୍ତ୍ରୀ ଏହି ଅପିଲ୍ କରିଛନ୍ତି। ତାଙ୍କ କହିବା ଅନୁସାରେ, ଆଗାମୀ ତିନି ମାସ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ ପିଲାମାନେ ଯେପରି ମଶା କାମୁଡ଼ାରୁ ଅଧିକ ସୁରକ୍ଷିତ ରହିପାରିବେ, ସେଥିପାଇଁ ସ୍କୁଲଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ନେବା ଆବଶ୍ୟକ । 

ମନ୍ତ୍ରୀ ସ୍କୁଲର ଶିକ୍ଷକ, ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ଅପିଲ୍ କରି କହିଛନ୍ତି, ଏହି ସମୟରେ ପିଲାଙ୍କୁ ଫୁଲ୍ ସ୍ଲିଭ୍‌ ଶାର୍ଟ ଓ ଫୁଲ୍ ଲେଙ୍ଗ୍‌ଥ ପ୍ୟାଣ୍ଟ ପିନ୍ଧିବାକୁ ଅନୁମତି ଦିଆଯାଉ । ଯେଉଁ ସ୍କୁଲରେ ଝିଅମାନେ ସ୍କର୍ଟ ପିନ୍ଧନ୍ତି, ସେଠାରେ ସ୍କର୍ଟ ବଦଳରେ ଗୋଡ଼ ଢାଙ୍କି ରହୁଥିବା ସାଲୱାର ସୁଟ୍ ପିନ୍ଧିବାକୁ ଅନୁମତି ଦେବାକୁ ମଧ୍ୟ ସେ କହିଛନ୍ତି । ତେବେ ମଶା କାମୁଡ଼ାରୁ ବଞ୍ଚିବା ପାଇଁ ନି-ହାଇ ସକ୍ସ ପିନ୍ଧାଇବା ପ୍ରସ୍ତାବକୁ ମନ୍ତ୍ରୀ ଉପଯୁକ୍ତ ବିକଳ୍ପ ମାନିନାହାନ୍ତି । ତାଙ୍କ ଯୁକ୍ତି ହେଉଛି, ଏଭଳି ସକ୍ସ ପତଳା ହୋଇଥିବାରୁ ତାହା ମଶା କାମୁଡ଼ାକୁ ସମ୍ପୂର୍ଣ୍ଣ ରୋକିପାରିବ ନାହିଁ। ତେଣୁ ହାତ ଓ ଗୋଡ଼କୁ ଭଲ ଭାବରେ ଢାଙ୍କି ରଖୁଥିବା ପୋଷାକ ହିଁ ଅଧିକ ପ୍ରଭାବୀ ବୋଲି ସେ ଗୁରୁତ୍ୱ ଦେଇଛନ୍ତି।

ଏହି ସତର୍କତାମୂଳକ ପଦକ୍ଷେପ ନେଇ ସରକାରୀ ସ୍କୁଲଗୁଡ଼ିକ ପାଇଁ ପ୍ରଶାସନିକ ନିର୍ଦ୍ଦେଶନାମା ଜାରି ହେବାର ସମ୍ଭାବନା ରହିଛି। ଘରୋଇ ସ୍କୁଲଗୁଡ଼ିକୁ ମଧ୍ୟ ସମାନ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ।  ତେବେ ୟୁନିଫର୍ମ ପରିବର୍ତ୍ତନ ନେଇ ଶେଷ ନିଷ୍ପତ୍ତି ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ରହିବ । ମନ୍ତ୍ରୀ ଏହା ସହ ଡେଙ୍ଗୁର ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ଚିକିତ୍ସା ନେବାକୁ ମଧ୍ୟ ଲୋକଙ୍କୁ ସଚେତନ କରିଛନ୍ତି। ଅର୍ଥାତ୍, ମଶା ନିୟନ୍ତ୍ରଣ ସହିତ ସଚେତନତା, ଶରୀରକୁ ଅଧିକ ଢାଙ୍କି ରଖିବା ଓ ସମୟରେ ଚିକିତ୍ସା ଏହି ତିନୋଟି ଦିଗ ଉପରେ ଏବେ ପଶ୍ଚିମବଙ୍ଗ ସରକାର ଗୁରୁତ୍ୱ ଦେଉଛି ।

What's Your Reaction?

like

dislike

love

funny

angry

sad

wow