ନୀଳକନ୍ଦର ଫେରିବେ ନୀଳମଣି : ରସୋଗଲା ଦେଇ ମାନଭଞ୍ଜନ କରିବେ କାଳିଆ ଠାକୁର
ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ । ବଡ଼ଦାଣ୍ଡରେ ସରି ଆସିଲା ଶ୍ରୀଜୀଉଙ୍କ ଲୀଳାଖେଳା । ନୀଳକନ୍ଦର ଫେରିବେ ନୀଳମଣି । ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ । ଆଜି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିବେ କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି କଳାଠାକୁର । ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଇ ପରେ ସିଂହାସନ ମାଜଣା କରାଯାଇ ହୋଇଥାଏ ପହଣ୍ଡି ଆରମ୍ଭ । ଶ୍ରୀ କ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ଶ୍ରୀଜିଉଙ୍କର ଅନନ୍ୟ ଲୀଳା ହେଉଛି ନୀଳାଦ୍ରି ବିଜେ । ଆଜି ମା' ମହାଲକ୍ଷ୍ମୀ କଳାଠାକୁରଙ୍କ ଉପରେ ରୋଷ କରି ଶ୍ରୀମନ୍ଦିରରକୁ ଯିବା ସମୟରେ ଓଗାଳିବେ ବାଟ। ଆଉ ସେଠି ଦେଖିବାକୁ ମିଳିବ ଲକ୍ଷ୍ମୀ-ନାରାୟଣ କଳି । ବଡ଼ଦାଣ୍ଡରେ ବଡ଼ଠାକୁର ଏହା ହେଉଛି ଏକ ଅନନ୍ୟ ଲୀଳା । ତା ପରେ ମା'ମହାଲକ୍ଷ୍ମୀଙ୍କୁ ପ୍ରିୟ ରସୋଗଲା ଦେଇ ଠାକୁର ସବୁ କଳିର କରିବେ ସମାଧାନ। ତା ପରେ ଶ୍ରୀମନ୍ଦିର ଭିତରକୁ ବିଜେ କରିବେ ବଡ଼ଠାକୁର । ଏହି ପରମ୍ପରା ଅନୁଯାୟୀ ଓଡ଼ିଶାର ରସଗୋଲାକୁ ପ୍ରଚାର ପ୍ରସାର କରିବା ପାଇଁ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଆସନ୍ତାକାଲିଠାରୁ ପୁଣି ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେବେ ଠାକୁର।
What's Your Reaction?