ନୂଆ ଯୁବ ମତଦାତା ଭାରତ ନିର୍ବାଚନରେ ରଚିବେ ରୋଚକ ଇତିହାସ

May 30, 2024 - 12:56
 0  10
ନୂଆ ଯୁବ ମତଦାତା ଭାରତ ନିର୍ବାଚନରେ ରଚିବେ ରୋଚକ ଇତିହାସ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ କହିଥିଲେ, "ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ଵାରା, ଲୋକମାନଙ୍କ ପାଇଁ" l ସୁତରାଂ ସାମ୍ପ୍ରତିକ ସମୟରେ ବିଶ୍ୱର କୌଣସି ବି ରାଷ୍ଟ୍ରର ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ, ସର୍ବନିମ୍ନ ତଥା ସମସ୍ତ ପ୍ରକାର ଆବଶ୍ୟକତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ସମସ୍ତ ନାଗରିକ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ, ସବୁଠୁଁ ଉତ୍କୃଷ୍ଟ ଶାସନ ବ୍ୟବସ୍ତା ହେଉଛି ଗଣତନ୍ତ୍ର। ଯେହେତୁ, ଗଣତାନ୍ତ୍ରିକ ଶାସନ ବ୍ୟବସ୍ତାରେ ସଂଖ୍ୟାଗରିଷ୍ଠ ମତ ହିଁ ସବୁବେଳେ ସର୍ବାଧିକ ଗୁରୁତ୍ଵ ରଖେ ଏବଂ ତାହାକୁ ହିଁ ପ୍ରାଧାନ୍ୟ ଦିଆଯାଏ। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଯଦି ଆମେ ଆମ ଦେଶ ଭାରତର କଥା ଦେଖିବା,ଏହାର ସମ୍ପୂର୍ଣ୍ଣ ଜନସଂଖ୍ୟାର ସବୁଠୁ ଅଧିକ ପ୍ରତିଶତ ହେଉଛନ୍ତି ଯୁବପିଢି ; ଯାହାକି ଭାରତର ସାମର୍ଥ୍ୟ ଏବଂ ଏହି ସୁଦକ୍ଷ ମାନବସମ୍ବଳକୁ ନେଇ ଆଗାମୀ ଦିନରେ ସମୃଦ୍ଧ ହେବାର ସ୍ଵପ୍ନ ଦେଖୁଚି ଆମ ଭାରତବର୍ଷ l ସେଥିପାଇଁ ନିର୍ବାଚନ ପ୍ରକ୍ରିୟାରେ ମତଦାନ ବ୍ୟବସ୍ଥାରେ ନିଜ ପସନ୍ଦର ଦକ୍ଷ ତଥା ଶ୍ରେଷ୍ଠ ଜନପ୍ରତିନିଧିଙ୍କୁ ବାଛି ସରକାର ଗଠନ କରିବାରେ ଯୁବପିଢି ତଥା ଯୁବ ଭୋଟରମାନଙ୍କ ଭୂମିକା ଉଲ୍ଲେଖନୀୟ ନିଶ୍ଚୟ । ସେମାନଙ୍କ ମତଦାନ ଉପରେ ହିଁ ନିର୍ଭର କରେ ଏକ ସୁଦୃଢ଼ ଗଣତନ୍ତ୍ରର ମୂଳଭିତ୍ତି l ଦେଖିବାକୁ ଗଲେ ରାଜନୀତି ଆଉ ପୂର୍ବପରି ଚିରାଚରିତ ହୋଇ ରହିନାହିଁ, ବର୍ତ୍ତମାନ ରାଜନୀତି ବିକାଶ ସହିତ ସମ୍ପର୍କିତ ହୋଇଛି । ସାଧାରଣ ଭାବେ କୌଣସି ସମସ୍ୟା ସମ୍ପର୍କିତ ଘଟଣାକୁ ନେଇ ଯେଉଁମାନେ ସ୍ଵର ଉତ୍ତୋଳନ କରୁଛନ୍ତି, ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଯତ୍ନବାନ୍ ହେଉଛନ୍ତି ; ସେଇ ମାନେ ହିଁ ସଫଳ ହେବାର ଦେଖାଯାଉଛି । ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ ଅଧିକ ଅନୁଭବୀ ବରିଷ୍ଠ ଲୋକଙ୍କ ଅପେକ୍ଷା ଯୁବକ ମାନେ ଏ ପ୍ରକାର ରାଜନୀତିକୁ ବେଶ୍ ପସନ୍ଦ କରୁଛନ୍ତି ଏବଂ ଯୁବକମାନେ ଯଦି ନିଜେ ରାଜନୀତିରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ; ତେବେ ସେମାନେ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେଇ ଉଚିତ୍ ପଦକ୍ଷପ ନେଉଥିବା ଦେଖିବାକୁ ମିଳୁଛି ଯାହାକୁ ଯୁବପିଢି ବେଶ୍ ପସନ୍ଦ କରୁଛନ୍ତି। ଏହାଦ୍ୱାରା ରାଜନୀତି ଅଧିକ ଭାବେ ସାମଗ୍ରିକ ବିକାଶ ସହିତ ଜଡ଼ିତ ହୋଇ ପାରିଛି ; ଯାହାକି ରାଜନୀତିର ପ୍ରମୁଖ ଉଦ୍ଦେଶ୍ୟ l ସୁତରାଂ ଉଭୟ ଯୁବ ଭୋଟର ତଥା ଯୁବ ରାଜନେତାଙ୍କର ଗୁରୁତ୍ୱ ଏବଂ ଆବଶ୍ୟକତା ସାମ୍ପ୍ରତିକ ଭାରତୀୟ ଶାସନ ଓ ଗଣତନ୍ତ୍ରିକ ବିଧିବ୍ୟବସ୍ଥାରେ ଅଧିକମାତ୍ରାରେ ରହିଛି। ବର୍ତ୍ତମାନ୍ ଭାରତର ପ୍ରାୟ ସତୁରି କୋଟିରୁ ଉର୍ଦ୍ଧ୍ବ ବୟସର ଜନସଂଖ୍ୟା ହେଉଛନ୍ତି ୧୮ ବର୍ଷ ରୁ ୩୫ ବର୍ଷର ଯୁବପିଢି l ଏହି ବୟସରେ ମଣିଷ ଉଭୟ ଶାରୀରିକ ଓ ମାନସିକ ଭାବେ ସବୁଠୁ ଅଧିକ ସମର୍ଥ ଓ ସଶକ୍ତ ରହିଥାଏ l ଏହି ବୟସରେ ମଣିଷ କେବଳ ସ୍ୱପ୍ନ ଦେଖେ ନାହିଁ ; ତାକୁ ବାସ୍ତବତା ରେ ବଦଳେଇବାର ସାମର୍ଥ୍ୟ ବି ରଖେ। ଏହି ବୟସରେ ଶାରୀରିକ ସାମର୍ଥ୍ୟ ତଥା କାମ କରିବାର ଦକ୍ଷତା ଏବଂ କୌଣସି କଥାକୁ ବିଚାର କରି ଶୀଘ୍ର ନିଷ୍ପତ୍ତି ନେବାରେ ତତ୍ପରତା ଏବଂ ସକ୍ରିୟତା ମଧ୍ଯ ଥାଏ । ତେଣୁ ଏହି ବୟସର ଲୋକମାନେ ଯଦି ଶାସନ ବ୍ୟବସ୍ଥା ଓ ପ୍ରଶାସନ ସହିତ ସଂଶ୍ଳିଷ୍ଟ ହେବେ ; ନିଶ୍ଚିତ ଭାବେ ପ୍ରତିଟି କାର୍ଯ୍ୟର ଅଗ୍ରଗତି ଆହୁରି ସହଜ ଆଉ ଶୀଘ୍ର ହୋଇପାରିବ। କାରଣ ଯୁବାବସ୍ଥାରେ ମନ ସବୁବେଳେ ଚଳଚଞ୍ଚଳ ଥାଏ। ଭାରତୀୟ ଯୁବପିଢ଼ିଙ୍କ ପାଇଁ ସେମାନଙ୍କ ଭାବନା ଓ ସମ୍ପର୍କ ସହ ନିର୍ବାଚନ ଓ ଗଣତନ୍ତ୍ର ଜଡ଼ିତ। ପ୍ରଥମ ଥର ବିଶ୍ଵ ଇତିହାସରେ ଶହେ କୋଟିରୁ ଉର୍ଦ୍ଧ୍ବ ଲୋକ ଭୋଟ ଦେବାକୁ ଯାଉଛନ୍ତି। ପ୍ରଥମ ଥର ମତଦାତାଙ୍କୁ ତାଲିକାଭୁକ୍ତ କରାଇବା ଏବଂ ସେମାନଙ୍କ ମଧ୍ୟରେ ନିର୍ବାଚନ, ମତଦାନ ଅଧିକାର ତଥା ଦାୟିତ୍ୱକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଗ୍ରହଣ କରିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ନିୟମିତ ଭୋଟର ପଞ୍ଜିକରଣ ଅଭିଯାନକୁ ଏକ ଆନ୍ଦୋଳନ ଭାବେ ବିବେଚନା କରି ନୂତନ ଭୋଟରଙ୍କୁ ପଞ୍ଜୀକୃତ କରାଯାଉଛି। ପ୍ରଥମ ଥର- ମତଦାତାଙ୍କ ପାଇଁ ନିର୍ବାଚନ ଆୟୋଗ ପଞ୍ଜିକରଣ ପ୍ରକ୍ରିୟାକୁ ସରଳ, ସୁଲଭ ଏବଂ ଉପଭୋକ୍ତା ଅନୁକୂଳ କରିଛି l ସୁତରାଂ ଚଳିତ ନିର୍ବାଚନ ସର୍ବାଧିକ ଯୁବ ଭୋଟର ତଥା ମତଦାତାଙ୍କ ପ୍ରଭାବ ଏବଂ ସଭିଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ଵାରା ଭାରତ ତଥା ସମଗ୍ର ବିଶ୍ଵ ଇତିହାସରେ ଏକ ସ୍ମରଣୀୟ ଗଣତାନ୍ତ୍ରିକ ମହାପର୍ବ ହେବାକୁ ଯାଉଚି l

What's Your Reaction?

like

dislike

love

funny

angry

sad

wow