ଦେବୀ ଦେବଙ୍କ ବିଗ୍ରହ ବଦଳରେ ମନ୍ଦିରରେ ପୂଜା ପାଉଛନ୍ତି ବୀର ସହିଦଙ୍କର ମୂର୍ତ୍ତି

Feb 12, 2025 - 12:37
 0  6
ଦେବୀ ଦେବଙ୍କ ବିଗ୍ରହ ବଦଳରେ ମନ୍ଦିରରେ ପୂଜା ପାଉଛନ୍ତି ବୀର ସହିଦଙ୍କର ମୂର୍ତ୍ତି

ଝାରସୁଗୁଡ଼ା ଜିଲ୍ଲା ଲଜ୍କୁରାରେ ଦେଖିବାକୁ ମିଳେ ବୀର ପୂଜନର ଏକ ନିଆରା ଉଦାହରଣ। ଏଠି ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗୀ ମିଟୁ କୁଅଁରଙ୍କୁ ଲୋକେ ମନ୍ଦିରରେ ସ୍ଥାପନା କରି ଦେବତା ଭାବେ କରୁଛନ୍ତି ପୂଜାର୍ଚ୍ଚନା। ପୂଜା ପାଉଛି ପ୍ରଜାମାନଙ୍କୁ ସଂଗଠିତ କରି ଇଂରେଜ ସରକାର ବିରୋଧରେ ଗରିଲା ଯୁଦ୍ଧ କରି କରି ବ୍ରିଟିଶ ଗୁଳିରେ ସହିଦ ହୋଇଥିବା ମିଟୁ କୁଅଁରଙ୍କ ପଥର ମୂର୍ତ୍ତି। ଏହି ମନ୍ଦିରରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣମୀ ଓ ପୌଷ ପୂର୍ଣ୍ଣମୀ ଦିନ ମହାଆଡ଼ମ୍ବରରେ ହୋଇଥାଏ ମେଳା। ସମସ୍ତ ଶୁଭକାର୍ଯ୍ୟ ପୂର୍ବରୁ ଗ୍ରାମବାସୀ ସେଠାରେ କରିଥାନ୍ତି ପୂଜାର୍ଚ୍ଚନା । ବିବାହ ବେଳେ ମୂର୍ତ୍ତି ଶରୀରରୁ ନିଆଯାଇଥାଏ ବରକନ୍ୟାଙ୍କ ଗାଧୋଇବା ହଳଦି । ପୁଣି ବିବାହ ପରେ ବରକନ୍ୟା ସେ ମନ୍ଦିରକୁ ଯାଇ କରିଥାନ୍ତି ଦର୍ଶନ । ମନସ୍କାମନା ପୂରଣ ପାଇଁ ହୋଇଥାଏ ବାବା ମିଟୁ କୁଅଁରଙ୍କ ପୂଜା । ଅଭିଷ୍ଟ ପୂରଣ ପରେ କେହି କେହି  ବୋଦା ଓ କୁକୁଡ଼ା ବଳି ମଧ୍ୟ ଦେଇ ଥାଆନ୍ତି ଏଠାରେ । ଗ୍ରାମଦେବତା ଅତ୍ୟନ୍ତ ପ୍ରତ୍ୟକ୍ଷ ବୋଲି ସ୍ଥାନୀୟ ଅଧିବାସୀଙ୍କ ରହିଛି ବିଶ୍ବାସ। ଇବ୍ ନଦୀକୂଳରେ ଅବସ୍ଥିତ ଲଜ୍କୁରା ଝାରସୁଗୁଡ଼ା ଜିଲ୍ଲାର ଏକ ରାଜସ୍ବ ଗ୍ରାମ। ବ୍ରଜରାଜନଗର ରେଳଷ୍ଟେସନ ଠାରୁ ପ୍ରାୟ ୨ କି.ମି. ଦୂରରେ ଅବସ୍ଥିତ ଏହି ସ୍ଥାନ ବହନ କରେ ସ୍ବାଧୀନତା ସଂଗ୍ରାମର ପବିତ୍ର ସ୍ମୃତି । ସୁରେନ୍ଦ୍ର ସାଏଙ୍କ ପ୍ରଥମ ଆନ୍ଦୋଳନ ସମୟର କଥା। ଇଂରେଜ ସରକାରଙ୍କ ଅନୁଗତ ଓ ଗୁପ୍ତଚର ଥିବା ରାମପୁର ଜମିଦାର ଦୁର୍ଲଭ ସିଂଙ୍କ ବାପା ଦୁର୍ଯ୍ୟୋଧନ ସିଂ ଓ ତାଙ୍କ ପୁତ୍ରଙ୍କ ହତ୍ୟା ଓ ଘରଦ୍ବାର ପୋଡ଼ିଦେବା ଅଭିଯୋଗରେ ସୁରେନ୍ଦ୍ର ସାଏ, ତାଙ୍କ ଭାଇ ଉଦନ୍ତ ଓ କାକା ବଳରାମ ଗିରଫ ହୋଇ ଆଜୀବନ କାରାଦଣ୍ଡରେ ହୁଅନ୍ତି ଦଣ୍ଡିତ । ସେମାନେ ହଜାରିବାଗ୍ ଜେଲ୍ରେ ବନ୍ଦୀ ଜୀବନ ବିତାଉଥିବା ବେଳେ ସେ ଅଞ୍ଚଳର ରାମପୁର ଜମିଦାର ବ୍ରିଟିଶ ପୁଲିସ ଜରିଆରେ ଚଳାନ୍ତି ଆତଙ୍କରାଜ। ସୁରେନ୍ଦ୍ର ସାଏଙ୍କୁ ବିଶେଷ ଭାବରେ ସମର୍ଥନ କରୁଥିଲେ ଗଣ୍ଡ ଜାତିର ଜମିଦାର ଓ ଗୌନ୍ତିଆ ଯାହାଙ୍କ ମଧ୍ୟରେ ଥିଲେ ଲଜ୍କୁରାର ଗଣ୍ଡ ମୁଖିଆ ମିଟୁ କୁଅଁର। ମିଟୁ ଧନୁ-ତୀର, ଖଣ୍ଡା ଆଦି ଧରାଇ ପ୍ରଜାମାନଙ୍କୁ ସଂଗଠିତ କରି ଇଂରେଜ ବିରୁଦ୍ଧରେ ମେଳି କରି ସେଇ ଆଖପାଖ ଅଞ୍ଚଳରେ ଆରମ୍ଭ କରିଥିଲେ ଗରିଲା ଯୁଦ୍ଧ। ବହୁଳ ଥିବା ସେ ଅଞ୍ଚଳରେ କମାର (ଲୁହୁରା)ମାନେ  ଯୋଗାଉଥିଲେ ଖଣ୍ଡା, ବର୍ଚ୍ଛା, ବିଷଲେପିତ ତୀର । ୧୮୪୨ରୁ ୧୮୪୪ ମଧ୍ୟରେ ତୀବ୍ରତର ହେଲା ଗରିଲା ଯୁଦ୍ଧ  ଏବଂ ୧୮୪୪ରେ ବ୍ରିଟିଶ ଗୁଳିରେ ମିଟୁ କୁଅଁର ଏକ ପୋଖରୀ ହୁଡ଼ାରେ ଟଳି ପଡ଼ି ହୋଇଗଲେ ସହିଦ। ପରବର୍ତ୍ତୀ କାଳରେ ମିଟୁ କୁଅଁରଙ୍କ ପଥର ମୂର୍ତ୍ତିଟିଏ ଏକ ବରଗଛ ତଳେ ସ୍ଥାପିତ ହୋଇ ପୂଜା ପାଇ ଗ୍ରାମଦେବତା ରୂପେ ବାବା ମିଟୁ କୁଅଁର ନାମରେ ହେଲା ନାମିତ। ମୂର୍ତ୍ତିରେ କୁଅଁର ଗୋଟିଏ ହାତରେ ଧରିଛନ୍ତି ଧନୁ ଓ ଅନ୍ୟ ହାତରେ ଖଣ୍ଡା l ସେହିଭଳି କାନ୍ଧରେ ଧାରଣ କରିଛନ୍ତି ତୁଣୀ।ଏଭଳି ଅନନ୍ୟ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଭାବରେ ଏବେ ଖୁବ ଲୋକପ୍ରିୟ l

What's Your Reaction?

like

dislike

love

funny

angry

sad

wow