କ୍ଷୁଦ୍ର ହୀରା ଖଣ୍ଡଟିଏ କାଳ କାଳ ପାଇଁ ଧାରଣ-ସଂରକ୍ଷଣ କରି ପାରିବ ଅମାପ ତଥ୍ୟ

Dec 7, 2024 - 11:46
Dec 7, 2024 - 11:49
 0  6
 କ୍ଷୁଦ୍ର ହୀରା ଖଣ୍ଡଟିଏ କାଳ କାଳ ପାଇଁ ଧାରଣ-ସଂରକ୍ଷଣ କରି ପାରିବ ଅମାପ ତଥ୍ୟ

 ହୀରାକୁ ସାଧାରଣତଃ ବିଚାର କରାଯାଇଥାଏ ଶାଶ୍ବତ ପ୍ରେମର ଏକ ସଂକେତ ଭାବରେ । ଏବେ ଜଣା ପଡ଼ିଛି ଯେ କୌଣସି ସୂଚନା ବା ତଥ୍ୟକୁ ଲକ୍ଷ ଲକ୍ଷ ବର୍ଷ ପାଇଁ ସୁରକ୍ଷିତ ରଖିବାରେ ହୀରାର କ୍ଷମତା ଖୁବ ବିସ୍ମୟଜନକ। ନିକଟରେ ଗବେଷକମାନେ ଏକ ହୀରା-ଭିତ୍ତିକ ତଥ୍ୟ ଧାରଣ ପ୍ରଣାଳୀ ବିକଶିତ କରିଛନ୍ତି, ଯହିଁରେ ଏକ ଘନ ସେ.ମି. ପିଛା ଗଚ୍ଛିତ ହୋଇପାରୁଛି ୧.୮୫ ଟେରାବାଇଟ୍ସ ତଥ୍ୟ  । ସାଧାରଣ ଡିସ୍କ ଆକାରର ଏକ ଡାଏମଣ୍ଡ୍ ଅପ୍ଟିକାଲ୍ ଡିସ୍କଟିଏରେ ସୁରକ୍ଷିତ ହୋଇ ରହିପାରୁଛି ୧୦୦ ଟେରାବାଇଟ୍ସ ଡାଟା , ଯାହାକି ୨,୦୦୦ଟି ବ୍ଳୁ-ରେ’ ଅପ୍ଟିକାଲ୍ ଡିସ୍କର କ୍ଷମତା ସହିତ ସମାନ। ଏଥି ସହିତ ଏହି ସାଧାରଣ ବ୍ଲୁ-ରେ’ ଡିସ୍କରେ କୌଣସି ତଥ୍ୟ ମାତ୍ର ଅଳ୍ପ କେତୋଟି ଦଶନ୍ଧି ଲାଗି ସୁରକ୍ଷିତ ରହିପାରୁଥିବା ବେଳେ ଡାଇମଣ୍ଡ୍ ଡିସ୍କରେ ଅନେକ ନିୟୁତ ବର୍ଷ ପାଇଁ ତାହା ରହିପାରିବ ବୋଲି  କରାଯାଇଛି ଦାବି । ସୁତରାଂ ଏହି ନୂତନ ସରଞ୍ଜାମ ଭବିଷ୍ୟତର ତଥ୍ୟ ଧାରଣ-ସଞ୍ଚୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କରାଯାଉଛି ଆଶା । ଗବେଷକମାନେ ଏକ ନୂତନ ପ୍ରକ୍ରିୟାରେ ଲେଜର୍ ରଶ୍ମିକୁ ବ୍ୟବହାର କରି ହୀରାର ଆଭ୍ୟନ୍ତରୀଣ ଗଠନରେ ପରିବର୍ତ୍ତନ ଆଣିପାରିଛନ୍ତି ଯଦ୍ଦ୍ବାରା ହୀରାର ଆଣବିକ ସ୍ତରରେ  ସୃଷ୍ଟି ହୋଇପାରୁଛି ଅତି କ୍ଷୁଦ୍ର ଶୂନ୍ୟସ୍ଥାନ।ଲେଜର୍ ରଶ୍ମିର କ୍ଷମତାକୁ ନିୟନ୍ତ୍ରଣ କରି ଗବେଷକମାନେ ହୀରାଖଣ୍ଡ ଭିତରେ ମନମୁତାବକ ସଂଖ୍ୟାଧିକ ଶୂନ୍ୟସ୍ଥାନ ସୃଷ୍ଟି କରିପାରିଛନ୍ତି, ଯାହା  ତଥ୍ୟ ସଞ୍ଚୟ ଓ ପୁନରୁଦ୍ଧାର ଦିଗରେ ପ୍ରଦାନ କରିପାରୁଛି ୯୯% ସଠିକତା । ଅପରପକ୍ଷେ, ହାର୍ଡ ଡ୍ରାଇଭ୍ ବା ଅପ୍ଟିକାଲ୍ ଡିସ୍କ ପରି ସରଞ୍ଜାମର ମାନ ସମୟକ୍ରମେ ହ୍ରାସ ପାଉଥିବା ବେଳେ ଏହି ହୀରା ଡିସ୍କ ରକ୍ଷଣାବେକ୍ଷଣ ବିନା ଅଦ୍ବିତୀୟ କ୍ଷୟପ୍ରତିରୋଧକତା ପ୍ରଦର୍ଶନ କରିବା ସହ ସାଧାରଣ ତାପମାତ୍ରାରେ ନିୟୁତ ନିୟୁତ ବର୍ଷ ପାଇଁ ସୁରକ୍ଷିତ ରଖିପାରିବ ଅମାପ ତଥ୍ୟ।



What's Your Reaction?

like

dislike

love

funny

angry

sad

wow