ଅନିଶ୍ଚିତତାରେ ଦଣ୍ଡାଦେଶ: ଦିଲୀପ ରାୟଙ୍କ ପାଇଁ ଅଦାଲତ ଦ୍ୱାର ଖୋଲିଲେ କେମିତି!

Mar 26, 2026 - 13:24
Mar 26, 2026 - 13:27
 0  4
ଅନିଶ୍ଚିତତାରେ ଦଣ୍ଡାଦେଶ:  ଦିଲୀପ ରାୟଙ୍କ ପାଇଁ ଅଦାଲତ ଦ୍ୱାର ଖୋଲିଲେ କେମିତି!

ଅକ୍ଟୋବର ୨୦୨୦ରେ, ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ୧୯୯୯ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତିରେ ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସଭଙ୍ଗ ଏବଂ ଜାଲିଆତି ଅଭିଯୋଗରେ । ହାଇ-ପ୍ରୋଫାଇଲ୍ ଦୁର୍ନୀତି ମାମଲାରେ ଆଶା କରାଯାଉଥିବା କଠୋର ଶୁଣାଣି ପରେ ତାଙ୍କୁ ହୋଇଥିଲା ତିନି ବର୍ଷର କାରାଦଣ୍ଡାଦେଶ । ତଥାପି, ଏପ୍ରିଲ୍ ୨୦୨୪ରେ ଦିଲ୍ଲୀ ହାଇକୋର୍ଟ ଏପରି ଏକ ପଦକ୍ଷେପ ନେଲେ, ଯାହାକୁ କୁହାଯାଇପାରେ କେବଳ ଶକ୍ତିଶାଳୀ ବ୍ୟକ୍ତିଙ୍କ ପ୍ରତି ନ୍ୟାୟିକ ସହାନୁଭୂତିର ଏକ ନମୁନା ବୋଲି l ଏଥିରୁ ସ୍ପଷ୍ଟ ହୋଇଗଲା ଯେ କେବଳ ଦୋଷୀ ସାବ୍ୟସ୍ତ ଦିଲୀପ ରାୟଙ୍କୁ ୨୦୨୪ ନିର୍ବାଚନ ଲଢ଼ିବାକୁ ଅନୁମତି ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ଖଣ୍ଡପୀଠର ଅଧ୍ୟକ୍ଷ ବିଚାରପତି କରିଥିଲେ ଏହି ବିଚିତ୍ର କାର୍ଯ୍ୟ । ଅସାଧାରଣ ଉଦାରତା ଦେଖାଇଥିବା ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଆଜି ଦିନର ଆଇନ ଶିକ୍ଷାର୍ଥୀ ମାନଙ୍କ ପାଇଁ ଏକ ଚମକାଇଲା ଭଳି ଉଦାହରଣ ସୃଷ୍ଟି କରିଛନ୍ତି ଯେ,  ଭାରତରେ ନ୍ୟାୟର ନିକିତି କିଭଳି ନଇଁ ଯାଇପାରେ ‘ଅସାଧାରଣ ବିବେକାନୁମୋଦିତ’ ବିଚାର ଆଳରେ । ଯେଉଁଠାରେ ସାଧାରଣ ମଣିଷ ଏକ କଠୋର ଏବଂ କ୍ଷମାହୀନ ନ୍ୟାୟିକ ବ୍ୟବସ୍ଥା ଭିତର ଦେଇ ଗତି କରେ, ସେଠାରେ ମୌଳିକ ଅଦାଲତଙ୍କ ‘ଦୋଷାଦେଶ ରାୟ ଉପରେ ଉଚ୍ଚ ନ୍ୟାୟାଳୟର ରହିତାଦେଶ ଦେବାର କ୍ଷମତା ନ୍ୟାୟପାଳିକାର ଭୂମିକା ଉପରେ ଗୋଟିଏ ମୌଳିକ ପ୍ରଶ୍ନବାଚୀ ସୃଷ୍ଟି କରେ  : କେଉଁ ଅସାଧାରଣ ପରିସ୍ଥିତିରେ ‘ରାଜନୈତିକ ଜୀବନୀକୁ ସୁରକ୍ଷା ଦେବା’ ସିଦ୍ଧାନ୍ତଟି ‘ଆଇନର ଶାସନ’ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଗଲା!  ଭାରତରେ କେବଳ ‘ଦଣ୍ଡାଦେଶ ସ୍ଥଗିତ’ ପାଇବା ମଧ୍ୟ ବିରଳରୁ ବିରଳତମ ନ୍ୟାୟିକ ସିଦ୍ଧାନ୍ତ ବୋଲି ବିବେଚିତ ହୋଇଥାଏ। ଦୋଷୀ ସାବସ୍ତ୍ୟ ବ୍ୟକ୍ତିକୁ ଅସ୍ଥାୟୀ ଭାବରେ ହେଲେବି ଦୋଷମୁକ୍ତ ଆଖ୍ୟା ଦିଆ ଯାଇ ପାରିବ ନାହିଁ, ବିଶେଷ ଭାବରେ ରାଜନୈତିକ ଦୁର୍ନୀତି ପାଇଁ ଦୋଷୀ ସାବସ୍ତ୍ୟ ବ୍ୟକ୍ତି ଜଣକ ପାଇଁ l
୧୦ ଜୁଲାଇ ୨୦୧୩ରେ, ଯେତେବେଳେ ଲିଲି ଥୋମାସ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ଐତିହାସିକ ନିଷ୍ପତ୍ତି ପରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ଅଯୋଗ୍ୟତା ସମ୍ପର୍କିତ ଆଇନଗତ ସ୍ଥିତି ବଦଳିଗଲା, ସେତେବେଳେ ଆନନ୍ଦିତ ହୋଇ ଯାଇଥିଲା ସମଗ୍ର ଉପମହାଦେଶ । ଅତ୍ୟନ୍ତ ସାହସୀ ବିଚାରପତି ଜଷ୍ଟିସ୍ ଏ.କେ. ପଟ୍ଟନାୟକ ଏବଂ ଜଷ୍ଟିସ୍ ଏସ୍.ଜେ. ମୁଖୋପାଧ୍ୟାୟଙ୍କ ଖଣ୍ଡପୀଠ ଶୁଣାଇଥିଲେ ଏହି ବହୁ ପ୍ରତିକ୍ଷିତ ରାୟ l ସେମାନେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮(୪)କୁ ରଦ୍ଦ କରିଦେଇଥିଲେ। ପୂର୍ବରୁ, ଏହି ଧାରା ବିଧାୟକ ଏବଂ ସାଂସଦମାନଙ୍କୁ ସେମାନଙ୍କ ପଦ ନ ହରାଇ ଦୋଷାଦେଶ ବିରୋଧରେ ଅପିଲ୍ କରିବା ପାଇଁ ଦେଉଥିଲା। ତିନି ମାସର ସମୟ l କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଯଦି କୌଣସି ସାଂସଦ ବା ବିଧାୟକ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଅତିକମରେ ଦୁଇ ବର୍ଷର କାରାଦଣ୍ଡ ପାଆନ୍ତି, ତେବେ ସେହି ଦିନଠାରୁ ହିଁ ସେମାନେ ତୁରନ୍ତ ଘୋଷିତ ହେବେ ଅଯୋଗ୍ୟ। ସାମାଜିକ କର୍ମୀ, ସଂସ୍କାରକ ଏବଂ ଦୁର୍ନୀତି ବିରୋଧୀ ସଂଗ୍ରାମୀମାନେ ଏହି ମହାନ ରାୟକୁ ସ୍ୱାଗତ କରିଥିଲେ ଏବଂ ଭାବିଥିଲେ ଯେ ରାଜନୀତିରୁ ଚିରଦିନ ପାଇଁ ବିଦା ହୋଇଯିବେ ଅପରାଧୀମାନେ।
ସାଧାରଣତଃ, ଅତି ବିରଳ ପରିସ୍ଥିତିରେ ଅପିଲ୍ କୋର୍ଟ କେବଳ ‘ଦଣ୍ଡାଦେଶ’ ଉପରେ ରୋକ୍ ଲଗାନ୍ତି, କେବେ ହେଲେ ‘ଦୋଷାଦେଶ’ ଉପରେ ନୁହେଁ। ତଥାପି, ହାଇକୋର୍ଟଙ୍କ ଦ୍ୱାରା ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟକୁ ଫିଙ୍ଗି ଦିଆଗଲା ଅଳିଆ ଗଦାକୁ । ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ରାଜନୈତିକ ଦୁର୍ନୀତି ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ହେବା ଉଚିତ, ଯେପରିକି ଜନସାଧାରଣଙ୍କ ମନରେ ନ୍ୟାୟପାଳିକା ପ୍ରତି ରହିବ ବିଶ୍ୱାସ l କିନ୍ତୁ ଦିଲୀପ-ପ୍ରେମୀ ବିଚାରପତି ଜଷ୍ଟିସ୍ ଶର୍ମା ଚିନ୍ତା ପ୍ରକଟ କରି କହିଥିଲେ ଯେ ଯଦି ଦୋଷାଦେଶ ଉପରେ ରୋକ୍ ନ ଲଗାଯାଏ, ତେବେ ‘ଦେଶପ୍ରେମୀ’ ଦିଲୀପ ରାୟ ଜଣେ ଜନପ୍ରତିନିଧି ହେବାର ରାଜନୈତିକ ସୁଯୋଗ ହରାଇ ‘ଅପୂରଣୀୟ କ୍ଷତି’ ସହିବେ। ଏହି ମନଗଢା କୈଫୟତ ଦେଇ ଜଣେ ଦୋଷୀ’ଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଧିକାର ଦେଇ ଦିଆଗଲା, ଯଦିଓ ଓଡ଼ିଶାରେ ପ୍ରଚଣ୍ଡ ସରକାର ବିରୋଧୀ ହାୱା ସତ୍ତ୍ୱେ ଦେଶପ୍ରେମୀ ରାଜନେତା ଜଣକ ଶେଷରେ ପରାଜିତ ହୋଇ ଚାଟିଥିଲେ ଧୂଳି । ଉଲ୍ଲେଖଯୋଗ୍ୟ ଯେ, ସିବିଆଇ ମଧ୍ୟ ବାରମ୍ବାର ସର୍ବୋଚ୍ଚ ନ୍ୟାୟାଳୟରେ ନିବେଦନ କରିଆସୁଛି ‘ତିନି ବର୍ଷ ଜେଲ ଦଣ୍ଡ’କୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ । ତଥାପି ଦିଲ୍ଲୀ ହାଇକୋର୍ଟ ଏକ ଅତ୍ୟନ୍ତ ବିପଜ୍ଜନକ ଉଦାହରଣ ସୃଷ୍ଟି କଲେ, ଯାହାକି ସାଧାରଣ ଜନତାଙ୍କୁ ବ୍ୟଥିତ ତଥା ଚିନ୍ତିତ କରିଛି l ‘ରାଜନୈତିକ ଜୀବନୀ ସୁରକ୍ଷା’ ଆଳରେ କେବେ ହେଲେ ‘ଦୁର୍ନୀତି ପାଇଁ ଦୋଷାଦେଶ’କୁ କୌଣସି ପ୍ରକାରରେ କାଟିବା ବୈଧ ଆଧାର ହୋଇପାରିବ ନାହିଁ। ମୂଳ ଅଦାଲତର ନିଷ୍ପତ୍ତି ଏବଂ ରାଏ ଥିଲା ପ୍ରମାଣ ଉପରେ ଆଧାରିତ, କିନ୍ତୁ ହାଇକୋର୍ଟଙ୍କ ରହିତାଦେଶ ଆଧାରିତ ଥିଲା କେବଳ ଭାବପ୍ରବଣତା ଉପରେ l
ଦିଲୀପ ରାୟ ବାହ୍ୟତଃ ଜଣେ ଜଣାଶୁଣl ମିଷ୍ଟଭାଷୀ ବ୍ୟକ୍ତି। ଶତ୍ରୁ ହେଲେବି ସେ କେବେ କାହା ବିରୋଧରେ କଟୁ ମନ୍ତବ୍ୟ ଦିଅନ୍ତି ନାହିଁ, ତେଣୁ ଅତ୍ୟନ୍ତ ଭଦ୍ର ଲୋକ ହିସାବରେ ସେ ଜଣାଶୁଣା । ତେବେ ଏହି ପରିପ୍ରେକ୍ଷୀରେ ଏକ ପୁରୁଣା ‘୧୯୯୯ ବିମାନବନ୍ଦର ଘଟଣା’ ମନେ ପକାଇବା ଜରୁରୀ। ସେତେବେଳେ ରାୟ ଥିଲେ ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ l ବିଦେଶ ଗସ୍ତ ବେଳେ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷା ଓ କଷ୍ଟମ୍ସ ଅଧିକାରୀମାନେ ତାଙ୍କ ପାଖରେ ବହୁ ପରିମାଣର ଅଘୋଷିତ ବିଦେଶୀ ମୁଦ୍ରା ଆବିଷ୍କାର କରି ଅଟକାଇ ରଖିବାକୁ ବାଧ୍ୟ ହୋଇଥିଲେ। ଯଦିଓ ସେ ଦାବି କରିଥିଲେ ଯେ ଏହି ଟଙ୍କା ବ୍ୟବସାୟିକ କାର୍ଯ୍ୟ ପାଇଁ ଥିଲା l ତେଣେ ଜଣେ କେନ୍ଦ୍ର ମନ୍ତ୍ରୀ ବିମାନବନ୍ଦରରେ ଏପରି ଭାବେ ‘ଧରାପଡ଼ି’ ହଟହଟା ହେବା କଥାଟି ସରକାରଙ୍କ ଭାବମୂର୍ତ୍ତିକୁ ପହଞ୍ଚାଇଥିଲା ଅସୀମ କ୍ଷତି । ଏହି ଘଟଣା ଏବଂ ନବୀନ ପଟ୍ଟନାୟକଙ୍କ ସହ କେତେକ ପ୍ରସଙ୍ଗରେ ଶକ୍ତି ସଂଘର୍ଷ କାରଣରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା ହେବାକୁ ପଡ଼ିଥିଲା ମଇ ୨୦୦୦ରେ।
ଦିଲୀପ ରାୟଙ୍କୁ ନେଇ ଆଉ ଏକ ମିଥ୍ୟା ଧାରଣା ହେଉଛି ଯେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ନିବିଡ଼ତା କାରଣରୁ ତାଙ୍କର ବର୍ଷିଆନ ନେତାଙ୍କ ପ୍ରତି ଉତ୍ସର୍ଗୀକୃତ ସେବାଭାବ । କିନ୍ତୁ ଜାଣିବା ଶୁଣିବା ଲୋକେ କୁହନ୍ତି ଯେ ଜୀବନର ଶେଷ ସମୟରେ ବିଜୁ ବାବୁଙ୍କ ସେବା କରିବା ପଛରେ ରାୟଙ୍କର ‘ମହାନ ହୃଦୟ’ ଅପେକ୍ଷା ରାଜନୈତିକ ସ୍ୱାର୍ଥ ଓ ସମ୍ପତ୍ତି ବୃଦ୍ଧିର ଉଦ୍ଦେଶ୍ୟ ଥିଲା ବହୁ ଅଧିକ। ୧୯୯୦-୯୫ ମସିହାରେ ବିଜୁ ବାବୁ ତାଙ୍କୁ ମନ୍ତ୍ରୀପଦ ସହ ଦେଇଥିଲେ ଅପୂର୍ବ ସ୍ୱାଧୀନତା l ସମାଲୋଚକମାନଙ୍କ ମତରେ, ଏହି ସମୟରେ ହିଁ ଜନସେବା ନୁହେଁ ରାଜନୈତିକ କୌଶଳ ମାଧ୍ୟମରେ ସ୍ଥାପିତ ହୋଇଥିଲା ରାୟଙ୍କର ‘ଅମାପ ସମ୍ପତ୍ତି’ର ଭିତ୍ତିଭୂମି ।  ବିଜୁ ପଟ୍ଟନାୟକଙ୍କ ଶେଷ ସମୟରେ ଯତ୍ନ ନେବା କୌଣସି ପୁଣ୍ୟ କାମ ନଥିଲା, ବରଂ ନିଜର ବ୍ୟକ୍ତିଗତ ସାମ୍ରାଜ୍ୟ ଗଢ଼ିବା ପାଇଁ ଏହା ଥିଲା ଏକ ମାଧ୍ୟମ। ବିଜୁ ବାବୁଙ୍କ ପାଇଁ ଯେତିକି କ୍ଷମତା ଏବଂ ସମ୍ପତ୍ତି ଭୋଗ ହେଉଥିଲା, ତା ପ୍ରତି ବଦଳରେ ସାମାନ୍ୟ ବ୍ୟକ୍ତିଗତ ସେବା କଦାପି ତୁଳନୀୟ ହୋଇ ପାରିବ ନାହିଁ l
ବିଜେପିର ଦୁର୍ନୀତି ବିରୋଧୀ ସ୍ଲୋଗାନ ଏବେ ଫିକା ପଡ଼ିଯାଇଛି, କାରଣ ସେମାନେ ରାଜନୈତିକ ସଂରକ୍ଷଣ ଦେଇଛନ୍ତି ଜଣେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ । ଯେଉଁ ବ୍ୟକ୍ତିର ଯୋଗ୍ୟତା କେବଳ ଏକ ‘ବିରଳ’ ନ୍ୟାୟିକ ଦୟା ଉପରେ ନିର୍ଭରଶୀଳ, ତାଙ୍କ ସହ ସମ୍ପର୍କ ରଖିବା ଦ୍ୱାରା ଦଳ ନିଜର ନୈତିକ ସ୍ଥିତି ହରାଇଛି। ଏହି ସୁବିଧାବାଦୀ ମେଣ୍ଟ ଦର୍ଶାଉଛି ଯେ ବିଜେପି ପାଇଁ ରାଜନୈତିକ ଲାଭ ‘ନୀତି’ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ, ଯାହା ତାଙ୍କର ସଂସ୍କାରବାଦୀ ଭାବମୂର୍ତ୍ତିକୁ ଚିରଦିନ ପାଇଁ କରିଦେଇଛି କଳଙ୍କିତ l

ମନ୍ତବ୍ୟର ମୁଖ୍ୟ ଅଂଶଗୁଡ଼ିକ ଏହିଭଳି :
ଦଣ୍ଡାଦେଶ ଓ କୋର୍ଟଙ୍କ ହସ୍ତକ୍ଷେପ: ୨୦୨୦ରେ ସିବିଆଇ କୋର୍ଟ କୋଇଲା ଦୁର୍ନୀତି ପାଇଁ ଦିଲୀପ ରାୟଙ୍କୁ ଶୁଣାଇଥିଲେ ୩ ବର୍ଷ ଜେଲ୍ ଦଣ୍ଡ l କିନ୍ତୁ ୨୦୨୪ ନିର୍ବାଚନ ଲଢ଼ିବା ପାଇଁ ଦିଲ୍ଲୀ ହାଇକୋର୍ଟ ତାଙ୍କ ‘ଦୋଷାଦେଶ’ ଉପରେ ରୋକ୍ ଲଗାଇ ଦେଖାଇଲେ ଏକ ବିରଳ ନ୍ୟାୟିକ ସହାନୁଭୂତି l
ଆଇନର ଅବମାନନା: ସାଧାରଣତଃ କୋର୍ଟ ‘ଦଣ୍ଡ’ ସ୍ଥଗିତ ରଖନ୍ତି, ‘ଦୋଷ’ ନୁହେଁ। ଲିଲି ଥୋମାସ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ (ଦୋଷୀ ସାବ୍ୟସ୍ତ ହେଲେ ତୁରନ୍ତ ଅଯୋଗ୍ୟତା)କୁ ଏହି ନିଷ୍ପତ୍ତି ଦ୍ୱାରା ଉପେକ୍ଷା କରାଯାଇଥିବା ଅଭିଯୋଗ ।
ନ୍ୟାୟ ବନାମ ରାଜନୈତିକ ସ୍ୱାର୍ଥ: ବିଚାରପତିଙ୍କ ‘ଉଦାରତା’ ଉପରେ ପ୍ରଶ୍ନ ଉଠାଇ କୁହାଯାଇଛି ଯେ, ରାଜନୈତିକ କ୍ୟାରିୟର ବଞ୍ଚାଇବା ପାଇଁ ଦୁର୍ନୀତି ମାମଲାକୁ ହାଲୁକା ଭାବେ ଗ୍ରହଣ କରାଯାଇଛି, ଯାହା ଦେଶର ଦୁର୍ନୀତି ବିରୋଧୀ ଅଭିଯାନକୁ କରୁଛି ଦୁର୍ବଳ ।
୧୯୯୯ ବିମାନବନ୍ଦର ଘଟଣା: ରାୟ କେନ୍ଦ୍ରମନ୍ତ୍ରୀ ଥିବାବେଳେ ଦିଲ୍ଲୀ ବିମାନବନ୍ଦରରେ ଅଘୋଷିତ ବିଦେଶୀ ମୁଦ୍ରା ସହ ଧରାପଡ଼ିଥିଲେ, ଯାହା ସେତେବେଳେ ସାଜିଥିଲା ସରକାରଙ୍କ ପାଇଁ ବଡ଼ ଅପମାନର କାରଣ ।
ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ: ବିଜୁ ବାବୁଙ୍କ ଶେଷ ସମୟରେ ତାଙ୍କର ଶୁଶ୍ରୁଷା କରିବା ପଛରେ ସେବା ମନୋବୃତ୍ତି ଅପେକ୍ଷା ରାଜନୈତିକ ପ୍ରତିପତ୍ତି ଓ ଅମାପ ସମ୍ପତ୍ତି ବୃଦ୍ଧିର ଲକ୍ଷ୍ୟ ଥିବା ନେଇ ମତ ଦେଇଛନ୍ତି ସମାଲୋଚକ ଗଣ ।
ବିଜେପି ଉପରେ କଟାକ୍ଷ: ଦୁର୍ନୀତି ବିରୋଧରେ ଗର୍ଜୁଥିବା ବିଜେପି ମୁଖିଆମାନେ ଜଣେ ଦୋଷୀ ସାବ୍ୟସ୍ତ ନେତାଙ୍କୁ ପ୍ରୋତ୍ସାହନ ଦେବା ଦ୍ୱାରା ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଦଳର ନୈତିକ ସ୍ଥିତି ଓ ଭାବମୂର୍ତ୍ତି ।

What's Your Reaction?

like

dislike

love

funny

angry

sad

wow